ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ଗିରଫ, ମାଓବାଦୀ ନାମରେ ରହିଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର

ମାଲକାନଗିରି: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା। ଜଣେ ଦୁର୍ଦ୍ଦାନ୍ତ ମହିଳା ନକ୍ସଲକୁ ପୁଲିସ ଗିରଫ କରିଛି, ଯାହାର ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ଜିଲ୍ଲାର ଅରଛା ଥାନାରୁ ଡିଆରଜି ଯବାନ ଏବଂ ଜିଲ୍ଲା ପୁଲିସ ମିଳିତ ଭାବେ କୋଡଲି ଆଦେରଖେଡା, ମୁସନାର, କାବନାର ଗ୍ରାମ ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିଲେ। ଏହି ସମୟରେ କାବାନର ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ମହିଳା ଏବଂ ପୁରୁଷମାନେ ପୁଲିସକୁ ଦେଖି ଦୌଡି ପଳେଇବାକୁ ଚେଷ୍ଟା କରୁଥିଲେ।

ତେବେ ପୁଲିସ ସେହି ଅଂଚଳକୁ ଘେରିବା ପରେ ଜଣେ ମହିଳାକୁ ପୁଲିସ କାବୁ କରିଥିଲା। ତାକୁ ଧରି ପଚରାଉଚରା କରିବା ପରେ ସେ ସୁଖମତି କୁମେଟି ବୋଲି ନିଜର ପରିଚୟ ଦେଇଥିଲା। ସେ ୨୦୧୮ ମସିହାରେ ମିଲିସିଆ କମାଣ୍ଡର ମନୋଜ ଦ୍ବାରା ନକ୍ସଲ ସଂଗଠନରେ ଜଡିତ ହୋଇଥିଲା। ପ୍ରଥମେ ମିଲିସିଆ ଭାବେ କାମ କରିବା ପରେ ସେ ବସ୍ତର ଡିଭିଜିନର କମ୍ପାନି ନମ୍ବର ୬ର ସଦସ୍ୟା ଭାବେ କାମ କରୁଥିଲା। ପୁଲିସ ସୁଖମତିକୁ ଗିରଫ କରିବା ପରେ ଅଧିକା ପଚରାଉଚରା କରିଥିଲା। ତାଂକ ନାମରେ ବହୁ ହିଂସା ରହିଥିବା ପୁଲିସ କହିଛି। ଅରଛା ଗ୍ରାମରେ ପୁଲିସ ଏସଆଇ ରାମପ୍ରସାଦ ଭଗକୁ ଟାଙ୍ଗିଆରେ ଆକ୍ରମଣ କରି ଇନସାସ ରାଇଫଲକୁ ଲୁଟ କରି ନେବାରେ ସଫଳ ହୋଇଥିଲା। କଟେନାର ଏବଂ ଚିକପାଲ ନିକଟରେ ଏକ ବୋମା ଖଞ୍ଜି ବିସ୍ଫୋରଣ କରିବା ପରେ ଜଣେ ଆଇଟିବିପିର ଯବାନ ଗୁରୁତର ଆହତ ହୋଇଥିଲା। ଅମଦଇଘାଟି ଠାରେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲା। ଆମଦଇ ଘାଟିରେ ଯବାନଙ୍କ ଉପରେ ଗୁଳି ଚଳାଇବା ଘଟଣରେ ଜଣେ ଆଇଟିବିପିର ଯବାନ ସହିଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲା। ମହିଳା ନକ୍ସଲ ଜଣକ ସମସ୍ତ ଘଟଣାକୁ ସ୍ବୀକାର କରିଥିଲା। ତାଂକ ନାମରେ ୮ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିବା କୁହାଯାଇଛି। ଆଜି ପୁଲିସ କୋର୍ଟ ଚାଲାଣ କରିଥିବା କହିଛି।

ସମ୍ବନ୍ଧିତ ଖବର