ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ୫% କମ୍

ଭୁବନେଶ୍ବର: ରାଜ୍ୟରେ ଏବେ ସୁଦ୍ଧା ୨କୋଟିରୁ ଅଧିକ ଡୋଜ୍ ଟିକା ଦିଆଗଲାଣି। ଏଥିରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ୫ ପ୍ରତିଶତ କମ୍ ରହିଛି। କିଛି ଜିଲ୍ଲାରେ ଅଧିକ ସଂଖ୍ୟାରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଟିକା ନେଇଛନ୍ତି। ‌ତେବେ ରାଜ୍ୟରେ ଆଉ ୧୪ଲକ୍ଷ ହିତାଧିକାରୀ ଦ୍ବିତୀୟ ଡୋଜ୍ ଟିକା ଅପେକ୍ଷାରେ ରହିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୯ତାରିଖ ସୁଦ୍ଧା ରାଜ୍ୟରେ ୨ଲକ୍ଷ ୩୧ଲକ୍ଷ ୫୧ହଜାର ୧୬୧ ଡୋଜ୍ ଟିକା ଦିଆଯାଇଛି। ଏଥିରେ ୧କୋଟି ୬୬ଲକ୍ଷ ୮ହଜାର ୯୭୫ଡୋଜ୍ ଟିକା ପୁରୁଷମାନେ ନେଇଥିବା ବେଳେ ମହିଳାମାନେ ୯୬ଲକ୍ଷ ୪୨ହଜାର ୪୯ଡୋଜ୍ ଟିକା ନେଇଛନ୍ତି। ଗଞ୍ଜାମ, ଗଜପତି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ପୁରୁ‌ଷଙ୍କ ତୁଳନାରେ ମହିଳାଙ୍କ ଟିକାକରଣ ଅଧିକ ରହିଛି।

ଖୋର୍ଧା ଜିଲ୍ଲାରେ ସର୍ବାଧିକ ୨୫ଲକ୍ଷରୁ ଅଧିକ, ଏହାପଛକୁ ଗଞ୍ଜାମରେ ୨୧ ଲକ୍ଷ, କଟକ ୧୨ ଲକ୍ଷ ଡୋଜ୍‌ ଟିକା ଦିଆଗଲାଣି। ଆଜି ରାଜ୍ୟରେ ୧୩୦୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୨ଲକ୍ଷ ୧୯ହଜାର ୨୭୬ ଡୋଜ୍‌ ଟିକା ‌ଦିଆଯାଇଛି। ୧୮-୪୪ ବର୍ଗରେ ୧୦,୭,୨୭୬ ପ୍ରଥମ ଡୋଜ୍‌, ୩୯,୦୪୮ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ସେହିପରି ୪୫ ବର୍ଷରୁ ଅଧିକ ୪୦,୫୨୫ ପ୍ରଥମ ଓ ୩୦,୨୩୯ ଦ୍ବିତୀୟ ଡୋଜ୍‌ ଟିକା ନେଇଛନ୍ତି। ଆଜି ୩୧୯୨ ଗର୍ଭବତୀଙ୍କୁ ମିଶାଇ ସମୁଦାୟ ୮୮,୫୫୮ ଜଣ କ‌ରୋନା ଟିକା ନେଇ ସାରିଲେଣି। ଆଜିକୁ ମିଶାଇ ରାଜ୍ୟରେ ୨ କୋଟି ୯୩ ଲକ୍ଷ ୧୫୫୫ ଡୋଜ୍‌ ଟିକା ଦିଆଗଲାଣି। ଆସନ୍ତାକାଲି ରାଜ୍ୟରେ ୬୯୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର