ବିଜେଡି ଶାସନରେ ବିପଦରେ ମହିଳା: ଜିଲ୍ଲା ବିଜେପିର ବିକ୍ଷୋଭ, ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ବର: ରାଜ୍ୟରେ ମହିଳା ନିର୍ଯାତନା, ଶିଶୁ ନିଖୋଜ, ଅପହରଣ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ଅଧିକାଂଶ କ୍ଷେତ୍ରରେ ଶାସକ ବିଜେଡିର ମନ୍ତ୍ରୀ ଓ ନେତାଙ୍କ ସଂପୃକ୍ତି ମଧ୍ୟ ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରାୟୋଜିତ ପୁରସ୍କାର ଗ୍ରହଣ କରିବାକୁ ନିନ୍ଦାଜନକ ବୋଲି କହିଛି ଭୁବନେଶ୍ବର ଜିଲ୍ଲା ବିଜେପି। ଏଭଳି ପ୍ରହସନ କେବେ ବନ୍ଦ ହେବ? କେବେ ରାଜ୍ୟର ମା ଓ ଭଉଣୀଙ୍କୁ ସୁରକ୍ଷା ମିଳିବ ବୋଲି ପ୍ରଶ୍ନ କରିଛନ୍ତି ଭୁବନେଶ୍ବର ବିଜେପି ଜିଲ୍ଲା ସଭାପତି ବାବୁ ସିଂହ। ‘ବିଜେଡ଼ି ଶାସନରେ ମହିଳା ବିପଦରେ ଏବଂ ଓଡ଼ିଶାରେ ମହିଳା ବିରୋଧୀ ହିଂସା’କୁ ବିରୋଧ କରି ଆଜି ରାଜଭବନ ସମ୍ମୁଖରେ ଆୟୋଜିତ ବିକ୍ଷୋଭ ସଭାରେ ଶ୍ରୀ ସିଂହ ଏଭଳି ପ୍ରଶ୍ନ କରିବା ସହ ରାଜ୍ୟପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ବିଜେଡି ଶାସନରେ ଶିଶୁ ଓ ମହିଳା ସଂପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛନ୍ତି। ନାରୀ ସଶକ୍ତୀକରଣର କଥା କହୁଥିବା ରାଜ୍ୟ ସରକାର ମୁଖା ଖୋଲି ଦେଇଛି ଏନ୍‌ସିଆରବି ରିପୋର୍ଟ। ଏଭଳି ସ୍ଥିତିରେ ରାଜ୍ୟପାଳ ହସ୍ତକ୍ଷେପ କରନ୍ତୁ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ନିବେଦନ କରିଛନ୍ତି। ଏବେ ସାଇବର କ୍ରାଇମ ଆତଙ୍କ ସୃଷ୍ଟି କରିଛି। ସମଗ୍ର ଦେଶରେ ଓଡିଶା ରାଜ୍ୟ କ୍ରମାଗତ ଭାବେ ପ୍ରଥମ ସ୍ଥାନ ହାସଲ କରୁଛି। ଏହାକୁ ରୋକିବାରେ ସରକାର ବିଫଳ ହୋଇଛନ୍ତି। ଏହା ଚିନ୍ତାଜନକ ଓ ଲଜ୍ଜାଜନକ ବୋଲି କହିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ କହିଛନ୍ତି। ଅପରାଧିକ ସାମ୍ରାଜ୍ୟ ବୃଦ୍ଧି ପାଇଁ ଓଡିଶାରେ ଅପରାଧୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରତିଯୋଗିତାକୁ ରାଜ୍ୟ ସରକାର ପ୍ରୋତ୍ସାହିତ କରୁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି ଅଭିଯୋଗ କରିଛନ୍ତି। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଜିଲ୍ଲା ପ୍ରଭାରୀ ଭୁବନ ମୋହନ ଜେନା ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର