ବିଦ୍ୟୁତ୍‌ ଆଘାତରେ ମାଲିକ ଓ ଶ୍ରମିକ ମୃତ

ତାଳଚେର : ରବିବାର ରାତିରେ ତାଳଚେର ଥାନା ଅନ୍ତର୍ଗତ ହରିହରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ଥିବା ଏକ ଇଟାଭାଟିରେ ବିଦ୍ୟୁତ୍‌ ଆଘାତରେ ମାଲିକ ଅନନ୍ତ ଚରଣ ସାହୁ (୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ବଞ୍ଚାଇବାକୁ ଯାଇ ଶ୍ରମିକ ମଞ୍ଜରୀ ମୁଣ୍ଡା (୩୫)ଙ୍କର ମଧ୍ୟ ଜୀବନ ଯାଇଛି। ଏ ସଂପର୍କରେ ଖବର ପାଇ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସୂଚନା ଅନୁଯାୟୀ, ହରିହରପୁର ଗ୍ରାମର ଅନନ୍ତ ଚରଣ ସାହୁ ନିଜର ଏକ ଇଟାଭାଟି କରିଥିଲେ। ରଜ ପର୍ବ ଯୋଗୁଁ ସବୁ ଶ୍ରମିକମାନେ ଗାଁ’କୁ ଯାଇଥିବା ବେଳେ କେବଳ ମହିଳା ଶ୍ରମିକ ତେଲକୋଇ ଥାନା ଅନ୍ତର୍ଗତ ପଟାଟାଙ୍ଗରା ଗ୍ରାମର ମଞ୍ଜରୀ ମୁଣ୍ଡା ଇଟାଭାଟି ଜଗିବା ପାଇଁ ରହିଥିଲେ। ଗତକାଲି ରାତିରେ ଅନନ୍ତ ତାଙ୍କ ପୋଷା କୁକୁର ବାନ୍ଧିବାକୁ ଶାବଳରେ ଏକ ଗାତ ଖୋଳୁଥିଲେ। ଗାତ ଖୋଳିବା ବେଳେ ମାଟି ତଳେ ଯାଇଥିବା ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିବାରୁ ଅନନ୍ତ ଥରିବାରେ ଲାଗିଥିଲେ। ଏହି ସମୟରେ ପାଖରେ ଥିବା ମଂଜରୀ ଅନନ୍ତଙ୍କୁ ବଞ୍ଚାଇବାକୁ ଯାଇ ସେ ବି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ବିଦ୍ୟୁତ୍‌ ଆଘାତରେ ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆଜି ସକାଳ ଗ୍ରାମବାସୀ ଏହା ଦେଖି ପୁଲିସକୁ ଜଣାଇଥିଲେ। ଏ ସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର