କାର୍ଯ୍ୟକ୍ଷମ ହେଲା ନୂତନ ଟର୍ମିନାଲ

ପାରାଦୀପ ବନ୍ଦରକୁ ଆଉ ଏକ ସଫଳତା

ପାରାଦୀପ: ପାରାଦୀପ ବନ୍ଦରକୁ ଆଉ ଏକ ସଫଳତା ମିଳିଛି। ନିର୍ମିତ ହୋଇଥିବା ଏକ ନୂଆ ଟର୍ମିନାଲ ଆଜି କାର୍ଯ୍ୟକ୍ଷମ ହୋଇଛି। ସୂଚନା ଅନୁସାରେ, ଏହି ଟର୍ମିନାଲ ନିର୍ମାଣ ପାଇଁ ୧୨୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏଥିରେ ପଣ୍ୟଦ୍ରବ୍ୟର କାରବାର ହେବ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ଟର୍ମିନାଲରେ କ୍ରେନ୍‌ ଯୋଗେ ଅତ୍ୟାଧୁନିକ ଲୋଡିଂ ଓ ଅନଲୋଡିଂର ବ୍ୟବସ୍ଥା ରହିଛି। ଯାହାକି ପଣ୍ୟ କାରବାର ପ୍ରକ୍ରିୟାକୁ ଆହୁରି ସୁଗମ କରିବ। ପୂର୍ବରୁ ଗୋଟିଏ ଜାହାଜରୁ ପଣ୍ୟ ଲୋଡିଂ ଓ ଅନଲୋଡିଂ ଯେତିକି ସମୟ ଲାଗୁଥିଲା ଏହି ଟର୍ମିନାଲରେ କମ୍‌ ସମୟ ଲାଗିବ ବୋଲି ଜଣାପଡ଼ିଛି।

ପ୍ରଥମ ଥର ପାଇଁ ଫ୍ୟାନ୍‌-ଜେଡ୍‌ଏଚ୍‌ଓୟୁ ନାମକ ଏକ ଜାହାଜ ଏହି ଟର୍ମିନାଲରେ ପହଞ୍ଚିଛି। ଏଥିରେ ଜେଏମ୍‌ ବକ୍ସି କମ୍ପାନିର ପଣ୍ୟ ଆସିଛି। ଏହି ଜାହାଜର ଦୈଘ୍ୟ ୧୪୨.୮୦ ମିଟର। ଆଜି ଏହି ଜାହାଜ ସକାଳ ୮ଟାରେ ଇଣ୍ଟରନେସନାଲ କଣ୍ଟେନର ଟର୍ମିନାଲରେ ପହଞ୍ଚିଥିଲା। ଏହି ସମୟରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟ, କ୍ୟାପ୍‌ଟେନ୍‌ ଅତୁଲ୍ୟ କୁମାର ମହାପାତ୍ର, କ୍ୟାପ୍‌ଟେନ ଅଲେଖ ଚନ୍ଦ୍ର୍ର ସାହୁ, ବର୍ଥ କ୍ୟାପ୍‌ଟେନ୍‌ ଗୋଲେଖ ଚନ୍ଦ୍ର ପ୍ରଧାନ, ବିକ୍ରମ ପରିଡ଼ା ଓ ରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶଥାଉକି, ଗତକାଲି ୨୪ ଘଣ୍ଟା ମଧ୍ୟରେ ୨୪ଟି ଜାହାଜ କାରବାର କରି ବନ୍ଦର ରେକର୍ଡ ସୃଷ୍ଟି କରିଥିବା ବେଳେ ଆଜି ନୂତନ ଏକ ଟର୍ମିନାଲ କାର୍ଯ୍ୟକ୍ଷମ କରାଇ ଆଉ ଏକ ସଫଳତା ଫର୍ଦ୍ଦ ଯୋଡ଼ିବାକୁ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର