ବଜାର ଓ ଇସ୍ପାତ ଉତ୍ପାଦକଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି: ଧର୍ମେନ୍ଦ୍ର

ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ କର୍ମଶାଳା

ଭୁବନେଶ୍ବର : ବଜାର ଓ ଇସ୍ପାତ ଉତ୍ପାଦକଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। ଏହା ଘରୋଇ ଇସ୍ପାତ କ୍ଷେତ୍ରକୁ ନୂଆ ଉଚ୍ଚତାକୁ ନେବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତୀୟ ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ‘ରେଳ ଓ ପ୍ରତିରକ୍ଷା କ୍ଷେତ୍ରରେ ଇସ୍ପାତର ବ୍ୟବହାରକୁ ବଢ଼ାଇବା’ ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ‌ଶ୍ରୀ ପ୍ରଧାନ ଏହା କହିଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଥି‌େଲ, ଘରୋଇ ଶିଳ୍ପରେ ଉତ୍ପାଦିତ ଇସ୍ପାତର ବ୍ୟବହାରକୁ ପ୍ରୋତ୍ସାହନ ଦେବା ପାଇଁ ରେଳ ଓ ପ୍ରତିରକ୍ଷା କ୍ଷେତ୍ରର ଭୂମିକା ମହତ୍ତ୍ବପୂର୍ଣ୍ଣ। ଏହି କର୍ମଶାଳାରେ ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟର ଅଂଶୀଦାରମାନଙ୍କୁ ସାମିଲ କରାଯାଇଛି। ଶୂନ୍ୟ ଇସ୍ପାତ ଆମଦାନୀ ପାଇଁ କର୍ମଶାଳା ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବ। ଘରୋଇ ଇସ୍ପାତ କ୍ଷେତ୍ରକୁ ନୂଆ ସ୍ତରକୁ ନେବା ପାଇଁ ସାମୂହିକ ଭାବେ ବଜାର ଓ ଇସ୍ପାତ ଉତ୍ପାଦକଙ୍କ ମଧ୍ୟରେ ଥିବା ଦୂରତାକୁ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ‘ହର୍‌ କାମ୍‌ ଦେଶ କେ ନାମ୍‌’ ଭାବନାରେ ପ୍ରେରିତ ହୋଇ ଆମକୁ ଦୃଢ଼ ନୂଆ ଭାରତ ଗଠନ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ରେଳ ଓ ପ୍ରତିରକ୍ଷା କ୍ଷେତ୍ରରେ ଇସ୍ପାତ ବ୍ୟବହାର ଅର୍ଥନୀତିକୁ ସୁଦୃଢ଼ କରିବ। ଏହା ସହ ଏହି ଦୁଇ ପ୍ରମୁଖ କ୍ଷେତ୍ର ଆଗାମୀ ଦିନରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଇସ୍ପାତ ଉଦ୍ୟୋଗକୁ ପ୍ରଗତିଶୀଳ କରାଇ ବିଶ୍ବ ପ୍ରତିଯୋଗିତାରେ ମୁଖ୍ୟ ଭୂମିକା ଗ୍ରହଣ କରିବ। ସମ୍ପ୍ରତ୍ତି ଇସ୍ପାତ ଉତ୍ପାଦନରେ ଅଧିକ ମୂଲ୍ୟ ଲାଗିବା କାରଣରୁ ବିଶ୍ବ ଇସ୍ପାତ ଶିଳ୍ପ ଚିନ୍ତାରେ ରହିଛି। ଏହି ପରିପ୍ରେକ୍ଷୀରେ ଦେଶର ଇସ୍ପାତ ଶିଳ୍ପମାନେ ଇସ୍ପାତ ଶିଳ୍ପର କଞ୍ଚାମାଲ୍‌ର ରପ୍ତାନୀକୁ ହ୍ରାସ କରିବା ତଥା ଉତ୍ପାଦନ ମୂଲ୍ୟରେ ସ୍ଥିର କରିବା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି କର୍ମଶାଳା ମାଧ୍ୟମରେ ଦେଶର ପ୍ରମୁଖ କ୍ଷେତ୍ରରେ ସ୍ବଦେଶୀ ଭାବେ ପ୍ରସ୍ତୁତ ଉଚ୍ଚମାନ ଯୁକ୍ତ ଇସ୍ପାତ ଉତ୍ପାଦନ ବଢ଼ିବ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଥିଲେ। କର୍ମଶାଳାରେ ଭାରତୀୟ ସେନାର ବିଭିନ୍ନ କ୍ଷେତ୍ରର ପ୍ରତିନିଧି ମଣ୍ଡଳୀ ଓ ରେଳ ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର