ଚିନ୍ତା ବଢ଼ାଉଛି ବାୟୁପ୍ରଦୂଷଣ: ତାଳଚେରରେ କମୁଛି, ଅନୁଗୁଳରେ ବଢ଼ୁଛି

ଅନୁଗୁଳ: ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଅନୁଗୁଳ-ତାଳଚେର ସହର‌ବାସୀଙ୍କୁ ସ୍ବଚ୍ଛ ବାୟୁ ଦେବା ପାଇଁ ଆରମ୍ଭ କରାଯାଇଛି ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ। ହେଲେ, ବାୟୁ ପ୍ରଦୂଷଣରେ ରୋକ୍‌ ଲଗାଇବା ପାଇଁ ସରକାର ଏହି କାର୍ଯ୍ୟକ୍ରମରେ ଟଙ୍କା ଅଜାଡ଼ି ଦେଉଥି‌ଲେ ମଧ୍ୟ ଏହାକୁ ଠିକ୍‌ ଭାବେ ଖର୍ଚ୍ଚ କରାଯାଇ ପାରୁ ନଥିବାରୁ ପ୍ରଦୂଷଣକୁ ନିୟନ୍ତ୍ରଣ ଭିତରେ ରଖାଯାଇପାରୁନି।

ଅନୁଗୁଳ ଓ ତାଳଚେର ସହରର ବିଷାକ୍ତ ବାୟୁକୁ ଦୃଷ୍ଟିରେ ରଖି ୨୦୧୯ରେ ଏହି ଦୁଇ ସହରକୁ ଜାତୀୟ ସ୍ବଚ୍ଛ ବାୟୁ କାର୍ଯ୍ୟକ୍ରମ‌ରେ ସାମିଲ କରାଯାଇଥିଲା। ସେହି ୨୦୧୯-୨୦ ସମୟରେ ଅନୁଗୁଳ‌ରେ ପିଏମ-୧୦ ସ୍ତର ହାରାହାରି ୯୫ ରହିଥିଲା। ଏହ‌ାକୁ ଆଉ ୪୦ ପ୍ରତିଶତ କମାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଏହି ମହତାକାଂକ୍ଷୀ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ସହରାଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ରାସ୍ତା ଧୂଳିକୁ କମାଇବା ସହ ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ବ ଦିଆଯାଇଥିଲା। ସେହିପରି ଶିଳ୍ପାନୁଷ୍ଠାନର ଧୂଆଁ ନିୟନ୍ତ୍ରଣ କରିବାକୁ ଧ୍ୟାନ ଦିଆଯାଇଥିଲା। ଯୋଜନା କାର୍ଯ୍ୟକାରୀ ପାଇଁ ଅନୁଗୁଳ ପୌରାଞ୍ଚଳକୁ ଦାୟିତ୍ବ ଦିଆଯାଇଥିଲା ବେଳେ ଏହାର ତଦାରଖ ପାଇଁ ଭୁବନେଶ୍ବର ଆଇଆଇଟିକୁ ଚୟନ କରାଯାଇଥିଲା। ଏ ଭିତରେ ୩ ବର୍ଷ ବିତିଥିଲେ ମଧ୍ୟ ବାୟୁ ପ୍ରଦୂଷଣ କମା ଯାଇପାରିନି। ବରଂ, ପିଏମ୍‌-୧୦ ସ୍ତର ବଢ଼ିଛି। ସରକାରୀ ତଥ୍ୟ ଅନୁସାରେ, ୨୦୨୦-୨୧ରେ ଏହା ୮୮, ୨୦୨୧-୨୨ରେ ୯୭ ଓ ୨୦୨୨-୨୩ରେ ୯୮ ରହିଛି।

ତାଳଚେରରେ କିନ୍ତୁ ଏହି କାର୍ଯ୍ୟକ୍ରମରୁ ଆଖିଦୃଶିଆ ସଫଳତା ମିଳିଛି। ରାଉରକେଲାର ଏନ୍‌ଆଇଟି ଅନୁଷ୍ଠାନ ଏହି ସହରର ପ୍ରଦୂଷଣ କମାଇବା କାର୍ଯ୍ୟକ୍ରମର ତଦାରଖ କରୁଥିଲା ବେଳେ ଏହାକୁ କାର୍ଯ୍ୟକାରୀ କରୁଛି ତାଳଚେର ପୌରପାଳିକା। ୨୦୧୯-୨୦ ବେଳକୁ ଏଠାରେ ବାୟୁ ପ୍ରଦୂଷଣର ପ୍ରମୁଖ ଉପାଦାନ ପିଏମ୍‌-୧୦ ସ୍ତର ବାର୍ଷିକ ହାରାହାରି ୧୨୨ ରହିଥିଲା। ଏବେ ଏହା କମି କମି ୯୩ରେ ପହଞ୍ଚିଛି। ୨୦୨୦-୨୧ରେ ଏହା ୯୮ ରହିଥିଲା ବେଳେ ୨୦୨୧-୨୨ରେ ୮୧ ରହିଥିଲା। ଆଉ ଏହି ପିଏମ୍‌-୧୦ ସ୍ତର କମିବାରୁ ତାଳଚେରର ବାୟୁ ଅନୁଗୁଳ ଅପେକ୍ଷା ଅଧିକ ସ୍ବଚ୍ଛ ରହୁଛି। ଏପରିକି ତାଳଚେର ତୁଳନାରେ ଅନୁଗୁଳ ଅଧିକ ପ୍ରଦୂଷିତ ସହର ଭାବେ ଦୁର୍ନାମ ମୁଣ୍ଡାଇଛି। ତେବେ ପ୍ରଦୂଷଣ କମାଇବା ନେଇ ନିଆଯାଇଥିବା ଟାର୍ଗେଟ୍‌ ଏବେ ବି ଅପହଞ୍ଚ ହୋଇରହିଛି। ‌ଗୋଟିଏ ପଟେ ସହରାଞ୍ଚଳରେ ଶୁଦ୍ଧ ବାୟୁ ନ ପାଇ ଲୋକେ ଛଟପଟ ହେଉଥିଲା ବେଳେ ଏଥିପାଇଁ ଆସିଥିବା ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଛି। ୨୦୧୯-୨୦ରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲେ ମଧ୍ୟ ସେହିବର୍ଷ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇ ନଥିଲା। ୨୦-୨୧ ଆର୍ଥିକ ବର୍ଷରେ ୫୭ ଲକ୍ଷ ଆସିଥିବା ବେଳେ ମାତ୍ର ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଚଳିତ ବର୍ଷ ୪୫ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ଖର୍ଚ୍ଚ ହୋଇଛି ୫ ଲକ୍ଷ ଟଙ୍କା। ଏହି କାର୍ଯ୍ୟକ୍ରମରେ ଅନୁଗୁଳ ସହର ପାଇଁ ସମୁଦାୟ ୧.୬୧ କୋଟି ଟଙ୍କା ଓ ତାଳଚେର ସହର ପାଇଁ ୩.୦୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଖର୍ଚ୍ଚ ନ ହୋଇ ଦୁଇ ସହରରେ ଏବେ ବି କୋଟିଏରୁ ଅଧିକ ଟଙ୍କା ପଡ଼ିରହିଛି।

ସମ୍ବନ୍ଧିତ ଖବର