ବିଶିଷ୍ଟ ଲେଖକ ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ସାରସ୍ବତ ସ୍ରଷ୍ଟା ତଥା ଓଡ଼ିଆ ସାହିତ୍ୟର ଜଣେ ମୂର୍ଦ୍ଧନ୍ୟ ସମାଲୋଚକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଆଉ ନାହାନ୍ତି। ୮୩ ବର୍ଷ ବୟସରେ ରାଜଧାନୀର ଏକ ‌ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ହୋଇଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସାରସ୍ବତ ମହଲରେ ଶୋକର ଛାୟା ଖେଳିଯାଇଛି। କିଛିଦିନ ତଳେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଗତ ମେ’ ୧୮ ତାରିଖରୁ ସେ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିଛିଦିନ ତଳେ ମସ୍ତିଷ୍କାଘାତର ଶିକାର ହେବା ପରେ ଆଜି ସକାଳ ୯ଟା ୧୫ରେ ଆଖି ବୁଜିଥିଲେ। ମୃତ୍ୟୁ ପରେ ହସ୍ପିଟାଲରୁ ତାଙ୍କ ‌ଶୈଳଶ୍ରୀ ବିହାରସ୍ଥିତ ବାସଭବନକୁ ତାଙ୍କ ମର ଶରୀର ନିଆଯାଇଥିଲା। କିଛି ଲେଖକ, କବି ଓ ତାଙ୍କ ଶୁଭାକାଂକ୍ଷୀମାନେ ସେଠାରେ ତାଙ୍କର ଶେଷ ଦର୍ଶନ କରିଥିଲେ।

୧୯୩୭ ମସିହାରେ ଜଗତସିଂହପୁର ଜିଲ୍ଲା ଗରାଇ (ପୀତାମ୍ବରପୁର) ଶାସନରେ ସେ ଜନ୍ମ ଗ୍ରହଣ କରିଥିଲେ। ପିତା ବିଦ୍ୟାଧର ଶତପଥୀ ଓ ମା’ ଦୁର୍ଗାବତୀ ଦେବୀଙ୍କ ସନ୍ତାନ ପ୍ରଫେସର ଶତପଥୀ ରେଭେନ୍‌ସା କଲେଜରୁ ଓଡ଼ିଆରେ ସ୍ନାତକୋତ୍ତର ପରେ ୧୯୭୬ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପିଏଚ୍‌ଡି ଲାଭ କରିଥିଲେ। ଛାତ୍ର ଜୀବନରୁ ତାଙ୍କର କବିତା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିଲା। ପତ୍ନୀ ତଥା ବିଶିଷ୍ଟ କବି ପ୍ରତିଭା ଶତପଥୀଙ୍କ ମିଳିତ ସଂପାଦନାରେ ପ୍ରକାଶିତ ହୋଇଥିଲା ତାଙ୍କର ପ୍ରଥମ କବିତାଗୁଚ୍ଛ ‘ଆମ କବିତା’। ପରେ ସେ ପଣ୍ଡିତ ନୀଳକଣ୍ଠ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ଭଳି ମହାପୁରୁଷଙ୍କ ଜୀବନୀ ରଚନା କରିଥିଲେ। ଓଡ଼ିଆ ଅଧ୍ୟାପନା ସହିତ ସମାଲୋଚନା ସାହିତ୍ୟରେ ସେ ଆଜୀବନ ବ୍ରତୀ ରହିଥିଲେ। ତାଙ୍କର ସମାଲୋଚନା ପୁସ୍ତକ ‘ସବୁଜରୁ ସାଂପ୍ରତିକ’ ଆଧୁନିକ ଓଡ଼ିଆ କବିତା ଚର୍ଚ୍ଚା କ୍ଷେତ୍ରର ଦିଗବାରେଣୀ ବୋଲି କୁହାଯାଏ। ଏହା ବ୍ୟତୀତ ତାଙ୍କ ରଚିତ ‘କବିତା ଯୁଗେ ଯୁଗେ’, ‘ପ୍ରମୁଖ କବି କତିପୟ’, ‘ଗଳ୍ପ ଓ ଗାଳ୍ପିକ’, ‘ସତ୍ୟବାଦୀ ଯୁଗ : ସ୍ରଷ୍ଟା ଓ ସୃଷ୍ଟି’, ‘କାବ୍ୟ ପ୍ରକରଣ’, ‘ସାରଳାରୁ ସଂପ୍ରତି’ ଏବଂ ସତୁରୀରୁ ସହସ୍ରାବ୍ଦୀ’ ସମେତ ଉପନ୍ୟାସ ‘ଅନିକେତ’ ପ୍ରକାଶ ପାଇଥିଲା। ଉତ୍କଳ ବିଶ୍ବବିଦ୍ୟାଳୟରେ ସତ୍ୟବାଦୀ ଚେୟାର ପ୍ରତିଷ୍ଠା ପରେ ସେହି ପଦରେ ସେ ପ୍ରଫେସର ଭାବରେ କାର୍ଯ୍ୟ କରିଥିଲେ। ‘ଇସ୍ତାହାର’ ସାହିତ୍ୟ ପତ୍ରିକାର ସେ ପ୍ରତିଷ୍ଠାତା ସଂପାଦକ। ନିଜ ପତ୍ରିକା ମାଧ୍ୟମରେ ଉଭୟ ସର୍ଜନାତ୍ମକ ଓ ଆଧୁନିକ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସେ ବିପ୍ଳବ ସୃଷ୍ଟି କରିଥିଲେ। ୧୯୬୪ରେ ସେ ‘ପୂଜ୍ୟପୂଜା ସଂସଦ’ ନାମରେ ଏକ ଅନୁଷ୍ଠାନ ଗଢ଼ି ଓଡ଼ିଆ ସାହିତ୍ୟର ବହୁ ମନୀଷୀଙ୍କ ବିଷୟରେ ସ୍ମରଣିକାମାନ ସଂପାଦନା କରିଛନ୍ତି। ୧୯୭୯ରେ ତାଙ୍କର ଉଦ୍ୟମରେ ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ ପକ୍ଷରୁ ‘ଶାରଳା ପୁରସ୍କାର’ ପ୍ରତିଷ୍ଠା ହୋଇଥିଲା। ୧୯୮୫ରେ ସାହିତ୍ୟ ଅନୁଷ୍ଠାନ ‘ସାଂପ୍ରତିକ’ ପ୍ରତିଷ୍ଠା କରିବା ସହ ବାଙ୍ଗାଲୋର ଓ ଦିଲ୍ଲୀଠାରେ ଦୁଇଟି ଦ୍ବିଭାଷିକ ପାଠଚକ୍ର ଆୟୋଜନ କରିଥିଲେ। ୨୦୦୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ନେବାକୁ ସେ ମନା କରିଦେଇଥିଲେ। ମର ଶରୀର ନିକଟରେ ତାଙ୍କ ପତ୍ନୀ କବି ପ୍ରତିଭା ଶତପଥୀ ଓ ଝିଅ ଜ୍ବାଇଁମାନେ ଉପସ୍ଥିତ ଥିଲେ। ମଧ୍ୟାହ୍ନରେ ସତ୍ୟନଗରସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପାଳିତ ପୁତ୍ର ଅବନୀକାନ୍ତ ମହାପାତ୍ର ଓ ଝିଅ ମଧୁବ୍ରତା ମିଳିତ ଭାବେ ମୁଖାଗ୍ନି ଦେଇଥିଲେ।

ନିତ୍ୟାନନ୍ଦ ଶତପଥୀ ଓଡ଼ିଆ ସାହିତ୍ୟ ଅଧ୍ୟାପନାରେ ଆଧୁନିକତାର କାବ୍ୟସ୍ବରକୁ ଚିହ୍ନିବାର ପ୍ରୟାସ କରିଥିଲେ ଯାହା ପରବର୍ତ୍ତୀ କାଳରେ ଓଡ଼ିଆ ଅଧ୍ୟାପନାରେ ଆଧୁନିକତାର ଚର୍ଚ୍ଚାକୁ ଅଧିକ ପ୍ରଭାବଶାଳୀ କଲା। ରାବୀନ୍ଦ୍ରିକ ସବୁଜରୁ ପାଶ୍ଚାତ୍ୟ ସାମ୍ପ୍ରତିକତା ଭିତରେ ଯେଉଁ ସନ୍ଧିକାଳ, ତାହାର ପ୍ରଥମ ଅନୁମାନ ସେ କରିଥିଲେ। ତାଙ୍କର ନିଷ୍କର୍ଷ ସହିତ ଏକମତ ନ ହେଲେ ବି ବହୁ ସମାଲୋଚକ ଏ କଥା ସ୍ବୀକାର କରିବେ ଯେ ‘ସବୁଜରୁ ସାମ୍ପ୍ରତିକ’ ଚର୍ଚ୍ଚାରେ ସେ ଏହି ଅନୁମାନକୁ ସିଦ୍ଧ କରିଥିଲେ। ରାଜନୈତିକ ମହତ୍ତ୍ବାକ‌ାଂକ୍ଷା ନ ଥିଲେ ବୋଧହୁଏ ସେ ସାହିତ୍ୟ ଓ ଅଧ୍ୟାପନା ଉଭୟକୁ ଅଧିକ ଅବଦାନ ଦେଇପାରିଥାନ୍ତେ। ଶ୍ରୀ ଶତପଥୀ ନିଜେ ଜଣେ ସାହିତ୍ୟ ସାଧକ ଥିଲେ ଏବଂ ସୃଜନଶୀଳ ସାହିତ୍ୟିକ ଭାବରେ ସମାଲୋଚନା ସାହିତ୍ୟରେ ତାଙ୍କର ହସ୍ତକ୍ଷେପ ଏକ ଭିନ୍ନ ଧରଣର ସମାଲୋଚକୀୟ ଧାରା ପ୍ରବର୍ତ୍ତିତ କରିଥିଲା। ତାଙ୍କ ତିରୋଧାନରେ ଓଡ଼ିଆ ସାହିତ୍ୟ ପରମ୍ପରାର ଜଣେ ମହାଜନ ଅସ୍ତମିତ ହେଲେ। ମୋର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
– ହରପ୍ରସାଦ ଦାସ, କବି ଓ ଚିନ୍ତକ

ମୋର ଘନିଷ୍ଠ ସାରସ୍ବତ ବନ୍ଧୁ ନିତ୍ୟାନନ୍ଦ ଶତପଥୀ ମୋତେ ଛାଡ଼ି ଚାଲିଯାଇଛନ୍ତି। ସେ କେବଳ ଜଣେ ସାହିତ୍ୟିକ ନ ଥିଲେ, ଥିଲେ ଏକ ସାରସ୍ବତ ଅନୁଷ୍ଠାନ। ସେହି ସାରସ୍ବତ ଅନୁଷ୍ଠାନର ଶୂନ୍ୟସ୍ଥାନ କେହି ପୂରଣ କରିପାରିବେ ନାହିଁ। ୧୯୬୨ ନଭେମ୍ବର ୧୩ ତାରିଖରେ ଦିହେଁ ସାଙ୍ଗହୋଇ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲୁ। ସେ ରେଭେନ୍ସା ସାନ୍ଧ୍ୟ ମହାବିଦ୍ୟାଳୟରେ ଏବଂ ମୁଁ ବିଜେବି ସାନ୍ଧ୍ୟ ମହାବିଦ୍ୟାଳୟରେ। ସେହିଦିନଠୁ ଆଜି ପର୍ଯ୍ୟନ୍ତ ‌ଆମର ସାରସ୍ବତ ସମ୍ପର୍କ ଅଚ୍ଛେଦ୍ୟ ଥିଲା। ଓଡ଼ିଶାର ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ନବ୍ୟସାମନ୍ତମାନଙ୍କର ଆଧିପତ୍ୟ ଓ ଅବିଚାର ବିରୋଧରେ ଦୁହେଁ ହାତ ଧରାଧରି ହୋଇ ଅନେକ ସଂଗ୍ରାମରେ ଅବତୀର୍ଣ୍ଣ ହୋଇଛୁ। ତାଙ୍କ ‘ଇସ୍ତାହାର’ ପତ୍ରିକାରେ ମୁଁ ଯାହା ଲେଖୁଥିଲି ବିନା ଦ୍ବିଧାରେ ତାହା ପ୍ରକାଶ କରିଦେଉଥିଲେ। ସେଥିପାଇଁ ବହୁଲୋକଙ୍କର ସେ ବିରାଗଭାଜନ ହୋଇଛନ୍ତି। ତାହାକୁ କେବେ ସେ ଭ୍ରୂକ୍ଷେପ କରି ନ ଥିଲେ।
– ପ୍ରଫେସର ଗଗନେନ୍ଦ୍ରନାଥ ଦାଶ

ଆଧୁନିକ ଓଡ଼ିଆ ସାହିତ୍ୟର ସେ ହେଉଛନ୍ତି ଶ୍ରେଷ୍ଠ ବ୍ୟାଖ୍ୟାକାର। ଜଣେ ଉଚ୍ଚକୋଟୀର ସାହିତ୍ୟ ସଂଗଠକ ଏବଂ ସାହିତ୍ୟର ଜଣେ ଉଦାର ‌ଆଲୋଚକ ଓ ସମୀକ୍ଷକ। ସମଗ୍ର ଭାରତର ପୁରସ୍କାରପ୍ରାପ୍ତ ଲେଖକମାନଙ୍କ ସହ ତାଙ୍କର ସୁସମ୍ପର୍କ ଥିଲା। ସେ ବହୁଭାଷୀ ସାହିତ୍ୟ ଆଲୋଚନାରେ ବ୍ରତୀ ଥିଲେ। ୧୯୫୪ରେ ନବକୃଷ୍ଣ ଚେଧୁରୀଙ୍କ ଦ୍ବାରା ଆଗତ ‘ଓଡ଼ିଶା ଶାସନତନ୍ତ୍ରରେ ଓଡ଼ିଆ ଭାଷାର ପ୍ରଚଳନ’ ବିଧାନସଭା ଦ୍ବାରା ଗୃହୀତ ହେଇଥିଲେ ମଧ୍ୟ ଦୀର୍ଘଦିନ ଧରି ଏହା କାର୍ଯ୍ୟକାରୀ ହୋଇପାରିନଥିଲା। ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ଆମ ଶାସନକଳରେ ଓଡ଼ିଆ ଭାଷାର ପ୍ରଚଳନ ହେଲା ଏବଂ ଏହି ଅଭିଯାନକୁ ଆଗେଇ ନେଇଥିଲେ ଶ୍ରୀଯୁକ୍ତ ଶତପଥୀ। ଏହି ଚେୟାର ଦାୟିତ୍ବରେ ସେ ଅବସର ନେବା ପର୍ଯ୍ୟନ୍ତ ରହିଥିଲେ, ତାଙ୍କ ପରେ ସେ ଚେୟାର ଅଚଳ ହେଇପଡ଼ିଛି। ଶେଷ ଜୀବନରେ ରାଜନୀତିରେ ଯୋଗଦେଇ ମଧ୍ୟ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ାଙ୍କ ସହ ମିଶି ଓଡ଼ିଆ ଭାଷା ସଂଗଠନକୁ ମଜବୁତ ଓ ସକ୍ରିୟ କରିବାରେ ତାଙ୍କର ଦୃଢ଼ ଭୂମିକା ଥିଲା। ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ।
ରାଜକିଶୋର ମିଶ୍ର, ସାହିତ୍ୟିକ

ରେଭେନ୍ସା କଲେଜରେ ମୋ ତଳ ବ୍ୟାଚ୍‌ରେ ନିତ୍ୟାନନ୍ଦ ବାବୁ ପଢୁଥିଲେ। ୧୯୬୦ ମସିହାରୁ ତାଙ୍କ ସହିତ ମୋର ବନ୍ଧୁତା ଥିଲା। ଆଧୁନିକ ସାହିତ୍ୟରେ ତାଙ୍କ ଭଳି ଜଣେ ଅଧ୍ୟାପକ ପାଇବା ବିରଳ। ଇସ୍ତାହାର ପତ୍ରିକା ହେଉଛି ତାଙ୍କର ସର୍ବଶ୍ରେଷ୍ଠ ଅବଦାନ। ବହୁ ଲେଖକଙ୍କୁ ସୃଷ୍ଟି କରିବା ପୂର୍ବକ ସେମାନଙ୍କର ତତ୍ତ୍ବାବଧାନ ମଧ୍ୟ ସେ କରୁଥିଲେ। ତାଙ୍କ ଦେହାନ୍ତରେ ଓଡ଼ିଆ ସାହିତ୍ୟର ଅପୂରଣୀୟ କ୍ଷତି ହୋଇଛି।
– ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ

ନିତ୍ୟାନନ୍ଦ ବାବୁ ଚାଲିଗଲେ। ପ୍ରବୀଣ ଆଧୁନିକ ଓଡ଼ିଆ ସାହିତ୍ୟ ସମାଲୋଚନା ଓ ସମ୍ଭ୍ରାନ୍ତ ପତ୍ରିକା ସଂପାଦନା କ୍ଷେତ୍ରରୁ ଅଗ୍ରଗଣ୍ୟ ଗୋଟିଏ ଦାମ୍ଭିକ ବିଜ୍ଞ ଉପସ୍ଥିତି ହଠାତ୍ ଅନ୍ତର୍ହିତ ହୋଇଗଲା। ସାହିତ୍ୟପ୍ରୀତ ବ୍ୟକ୍ତିମାତ୍ରେ ମର୍ମାହତ। ତାଙ୍କ ଅନଶ୍ବର ଲେଖାଗୁଡ଼ିକରେ ସେ ବଞ୍ଚିରହନ୍ତୁ। ଏତିକି ପ୍ରାର୍ଥନା।
– ପ୍ରଫେସର ଦାଶରଥି ଦାସ

ପ୍ରଫେସର ନିତ୍ୟାନନ୍ଦ ଶତପଥୀ ଜଣେ ସୂକ୍ଷ୍ମଦର୍ଶୀ ସମାଲୋଚକ ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗରେ ପ୍ରତିଷ୍ଠିତ ସତ୍ୟବାଦୀ ଚେୟାର୍‌ର ସେ ଥିଲେ ପ୍ରଥମ ଏବଂ ଶେଷ ପ୍ରଫେସର। ଆଧୁନିକ ଓଡ଼ିଆ ସାହିତ୍ୟ ସମ୍ପର୍କିତ ପତ୍ରିକା ‘ଇସ୍ତାହାର’ର ସେ ଥିଲେ ପ୍ରତିଷ୍ଠାତା ଓ ଯୋଗ୍ୟତମ ସମ୍ପାଦକ l ସମସ୍ତ ସୃଷ୍ଟିରେ ତାଙ୍କର ଅନ୍ତର୍ଦୃଷ୍ଟି ଓ ବ୍ୟାପକ ଅନୁଭୂତିର କଳାତ୍ମକ ପରିପ୍ରକାଶ ଘଟିଛି। ଜଣେ ସ୍ବାଭିମାନୀ ସମାଲୋଚକ ଏବଂ ଆଧୁନିକ ସାହିତ୍ୟର ସଫଳ ଆଲୋଚକ ଭାବରେ ଓଡ଼ିଆ ସାହିତ୍ୟରେ ସେ ବେଶ୍‌ ପରିଚିତ।
– ପ୍ରଫେସର ଉଦୟନାଥ ସାହୁ

ଆଧୁନିକ ଓଡ଼ିଆ ସାହିତ୍ୟର ବରେଣ୍ୟ ସ୍ରଷ୍ଟା, ସମାଲୋଚକ ଏବଂ ବିଶିଷ୍ଟ ସଙ୍ଗଠକ ପ୍ରଫେସର ନିତ୍ୟାନନ୍ଦ ଶତପଥୀ। ତାଙ୍କ ସମଗ୍ର ଜୀବନ ଥିଲା ସାଧନାର ଜୀବନ। ଗୋପବନ୍ଧୁଙ୍କର ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ ଜୀବନୀ ସେ ରଚନା କରିଥିଲେ। ଗୋପବନ୍ଧୁଙ୍କ ଉକ୍ତି ‘କର୍ମେ ଜିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ’ ଥିଲା ତାଙ୍କ ଜୀବନର ଆଭିମୁଖ୍ୟ ଓ ଧର୍ମ। ୧୯୬୯ ମସିହାରେ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଥମ ଓଡ଼ିଆ ଅଧ୍ୟାପକ ଭାବେ ଯୋଗ ଦେଇ ସେହି ଅନୁଷ୍ଠାନରୁ ସତ୍ୟବାଦୀ ଚେୟାର୍‌ ପ୍ରଫେସର ଭା‌ବେ ଅବସର ଗ୍ରହଣ କରିଥିଲେ। ଆଧୁନିକ ଓଡ଼ିଆ କବିତାକୁ ପ୍ରତିଷ୍ଠା ଦେବାରେ ସେ ବିପୁଳ କା‌ର୍ଯ୍ୟ କରିଛନ୍ତି। ଶାରଳା ପୁରସ୍କାର, ପୂଜ୍ୟପୂଜା ସଂସଦ, ସାଂପ୍ରତିକ ଆଦି ପ୍ରତିଷ୍ଠାରେ ତାଙ୍କର ଉଦ୍ୟମ ଅବିସ୍ମରଣୀୟ। ଚାରି ଦଶନ୍ଧି ଧରି ସେ ଇସ୍ତାହାର ପତ୍ରିକାର ସଂପାଦନା କରିବା ସହିତ ପତ୍ରିକାର ଅନ୍ୟାନ୍ୟ ସବୁ କାର୍ଯ୍ୟ କରୁଥିଲେ। ଭୁବନେଶ୍ବରସ୍ଥିତ ନିଜ ଘର ପାଖରେ ସେ ଆଧୁନିକ ପଞ୍ଚସଖା ଭବନ ପ୍ରତିଷ୍ଠା କରିଥିଲେ। ୧୯୭୮ ମସିହାରୁ ତାଙ୍କ ସହିତ କାମ କରିବାର ମୁଁ ସୁଯୋଗ ପାଇଛି। ତାଙ୍କ ସ୍ମୃତିରକ୍ଷା ପାଇଁ ବି‌େ‌ଶଷ ଉଦ୍ୟମ ହେବା ଦରକାର।
– ପ୍ରଫେସର ବସନ୍ତ ପଣ୍ଡା

ଆଧୁନିକ ଓଡ଼ିଆ କବିତାର ଅଧ୍ୟାପନା ଓ ଆଲୋଚନା କ୍ଷେତ୍ରରେ ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ଅବଦାନ ଅସାମାନ୍ୟ। ତାଙ୍କ ଅଧ୍ୟୟନ ନିଷ୍ଠା, ଆଧୁନିକ ଭାଷାର ପ୍ରୟୋଗ ଓ ଅନ୍ତର୍ଦୃଷ୍ଟି ସମସାମୟିକ ଅନ୍ୟ ସମାଲୋଚକ ମାନଙ୍କଠାରୁ ଭିନ୍ନ। ଐତିହାସିକ ଦୃଷ୍ଟିକୋଣରୁ ତାଙ୍କ ଆଲୋଚନାର ସ୍ବାତନ୍ତ୍ର୍ୟ ରହିଛି।
– ପ୍ରଫେସର ନୀଳାଦ୍ରି ଭୂଷଣ ହରିଚନ୍ଦନ

ସମ୍ବନ୍ଧିତ ଖବର