କୋଡିଏର କୋହ: ବୀଭତ୍ସ, ବର୍ବର, ଅମାନୁଷିକ…

ଛାତିଥରା ବିସ୍ଫୋରଣ, ୩୦ କୋଟିର ବ୍ରାଉନସୁଗାର, ୭ ବାଘ ଛାଲ ଜବତ

କରୋନା ସଂକ୍ରମଣ ଯେତେବେଳେ ଶୀର୍ଷରେ ପହଞ୍ଚିଥିଲା, ସେତେବେଳେ ବେକାବୁ ହୋଇ ଯାଇଥିଲେ ଅପରାଧୀ। ଲୋକମା‌ନେ ଜୀବନ ଜୀବିକା ସହ ସଂଘର୍ଷ କରୁଥିବାବେଳେ ଅପରାଧୀମାନେ ବର୍ବର ଓ ଅମାନୁଷିକ କାଣ୍ଡ ଘଟାଇ ଚାଲିଥିଲେ। ନୟାଗଡ଼ ‘ପରୀ’ ଅପହରଣ, ହତ୍ୟା ଓ ଦୁଷ୍କର୍ମ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଗାଁ ଦାଣ୍ଡରେ ଖେଳୁଥିବା କୁନି ଝିଅଟିକୁ ଅପହରଣ କରି ବୀଭତ୍ସ ଭାବେ ଦୁର୍ବୃତ୍ତ ହତ୍ୟା କରିବ ବୋଲି କେହି କେବେ ସ୍ବପ୍ନରେ ବି କଳ୍ପନା କରି ନ ଥିଲେ। କିନ୍ତୁ ଏହି ଛାତିଥରା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା, ଯେତେବେଳେ ଅଭିଯୁକ୍ତ ପଡ଼ୋଶୀ ସରୋଜ ସେଠୀ ଏସ୍‌ଆଇଟି ଦ୍ବାରା ଚିହ୍ନଟ ହୋଇଥିଲା। ଅଭିଯୁକ୍ତ ସରୋଜ ପରୀକୁ ହତ୍ୟା କରିବା ପରେ ଦୁଷ୍କର୍ମ କରିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟର ଖୁଲାସା କରିଥିଲା ଏସ୍ଆଇଟି। ଏହି ଘଟଣାର ଖୋଳତାଡ଼ ଚାଲିଥିବା ବେଳେ ବଲାଙ୍ଗିର ପାଟଣାଗଡ଼ରୁ ଆସିଥିଲା ଆଉ ଏକ ଲୋମଟାଙ୍କୁରା ଚିତ୍ର। ଗୋଟିଏ ପରିବାରର ୪ ଶିଶୁଙ୍କ ସମେତ ୬ ଜଣଙ୍କୁ ଶୋଇଥିବା ଅବସ୍ଥାରେ ହୋଇଥିବା ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଦୀର୍ଘ ଦଶ ବର୍ଷର ଶତ୍ରୁତା ଥିଲା ହତ୍ୟା ପଛର କାରଣ। ଖାଲି ସେତିକି ନୁହେଁ, ଲକ୍‌ଡାଉନ କାଳରେ ପେଟକୁ ଦାନା ଗଣ୍ଡାଏ ପାଇଁ ଲୋକଟିଏ ସଂଘର୍ଷ କରୁଥିବା ବେଳେ ଚାର୍ଟର ବିମାନରେ ଆକାଶରେ ଉଡ଼ି ବୁଲୁଥିଲେ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର। ଚାର୍ଟର ବିମାନ ଉଡ଼ାର ମଙ୍ଗ ଧରିଥିଲେ ଅଭୟକାନ୍ତଙ୍କ ପୁଅ ଆକାଶ। ହୋଟେଲ୍‌ ତାଜ୍‌ରେ ରହୁଥିଲେ, ଖାଇବା ପିଇବାରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଉଥିଲେ। ସେହିଭଳି ଏକ ଦୁଷ୍କର୍ମ ମାମଲାରେ ଛନ୍ଦି ହୋଇ ପଡ଼ିଥିଲେ ବୀରମିତ୍ରପୁର ଆଇଆଇସି ଆନନ୍ଦଚନ୍ଦ୍ର ମାଝୀ। ନିଜ ସରକାରୀ କ୍ବାର୍ଟର୍ସରେ ଜଣେ ନାବାଳିକାକୁ ଜୋର୍‌ କରି ରଖିବା ସହ ତାକୁ ଦୁଷ୍କର୍ମ କରିବା ଓ ପରେ ଗର୍ଭପାତ କରାଇବା ଘଟଣାଟି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା।

କରୋନା ମୁକାବିଲା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଅପରାଧୀଙ୍କୁ କିଛି ଫରକ୍ ପଡ଼ି ନ ଥିଲା। ଲୁଟ୍‌ତରାଜ, ଚୋରି, ସିନ୍ଧିଚୋରି, ଦୁଷ୍କର୍ମ, ଚାକିରି ନାଁରେ ଠକେଇ ଭଳି ମାମଲା ବଢି ଚାଲିଥିଲା। ଏମିତି କୌଣସି ଗୋଟିଏ ଦିନ ନ ଥିଲା ଯେଉଁଦିନ ଲୋକ ରାଜରାସ୍ତାରେ ଅପରାଧୀଙ୍କ ଶିକାର ହୋଇ ନ ଥିଲେ। ସବୁଠୁ ବେଶୀ ଆତଙ୍କ ଖେଳାଇଥିଲେ ସାଇବର ଅପରାଧୀ। ଲକ୍‌ଡାଉନରେ ଅନଲାଇନ୍ ବ୍ୟବହାର ବଢ଼ିଥିବାରୁ ଏହାକୁ ଅସ୍ତ୍ର କରି କିଛି ଲୋକଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି ସାଇବର ଅପରାଧୀ। ଯଦି କ୍ରାଇମ ତଥ୍ୟ ଉପରେ ନଜର ପକାଇବା, ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ପ୍ରଥମ ୬ ମାସରେ ଦୁଷ୍କର୍ମ ମାମଲା ବଢ଼ିଛି। ୨୦୧୯ ଜାନୁଆରିରୁ ଜୁନ୍ ଭିତରେ ୧୧୪୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ଚଳିତବର୍ଷ ସେହି ଅବଧି ଭିତରେ ୧୨୧୨ଟି ମାମଲା ରୁଜୁ ହୋଇଛି। ସେହିପରି ୨୦୧୯ରେ ୧୨୪୫ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଏ ବର୍ଷ ୧୫୬୦ଟି ରୁଜୁ ହୋଇଛି। ସେହିପରି ୨୦୧୯ରେ ୪୩୭୯ଟି ଚୋରି ମାମଲା ରୁଜୁ ହୋଇଥିବାବେଳେ ଚଳିତବର୍ଷ ୪୪୦୭ ଏବଂ ୨୦୧୯ରେ ୧୭୦୦ ସିନ୍ଧି ଚୋରି ହୋଇଥିବା ବେଳେ ୨୦୨୦ରେ ୨୦୦୦ରୁ ଅଧିକ ସିନ୍ଧିଚୋରି ମାମଲା ଘଟାଇ ଅପରାଧୀମାନେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଚଳିତ ବର୍ଷର ସମ୍ପୂର୍ଣ୍ଣ ତଥ୍ୟ ଆସିବା ପରେ ଅପରାଧ ଗ୍ରାଫ୍ ଆହୁରି ବଢିଯିବ ବୋଲି ସ୍ପଷ୍ଟ ହୋଇଛି। ଉଲ୍ଲେଖଯୋଗ୍ୟ, ରାଜଧାନୀରେ ଗୋଟିଏ ମାସ ଭିତରେ ଦୁଇଟି ବ୍ୟାଙ୍କ ଏବଂ ଏଟିଏମ୍ ଲୁଟ୍ ଏବଂ ଢେଙ୍କାନାଳରେ, ବାଲେଶ୍ବରରେ ଏଟିଏମ୍ ଲୁଟ୍ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

ଛାତିଥରା ବିସ୍ଫୋରଣ

ଅକ୍ଟୋବର ୭ ତାରିଖ… ଭୟଙ୍କର ବିସ୍ଫୋରଣରେ ଥରି ଉଠିଲା ଅଧା ଭୁବନେଶ୍ବର। ରାଜଭବନ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଭୂତଳ ଏଲପିଜି ଟାଙ୍କିରେ କାମ ଚାଲୁଥିବା ବେଳେ ନିଆଁ ଲାଗିଯାଇ ବିସ୍ଫୋରଣ ଘଟିଲା ବୋଲି ଜଣାପଡ଼ିଥିଲା। ଏହି ଘଟଣାରେ କାମ କରୁଥିବା ଦୁଇ ଜଣଙ୍କର ଜୀବନ ମଧ୍ୟ ଗଲା। ଘଟଣାରେ କମିସନରେଟ ପୁଲିସ, ପେଟ୍ରୋଲିଅମ୍ଏ କ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ୍(ପେସୋ), ଆଇଓସିଏଲ୍ ଏବଂ ତୈଳ ମନ୍ତ୍ରଣାଳୟର ଉଚ୍ଚସ୍ତରୀୟ ଟିମ୍ ତଦନ୍ତ କରୁଛନ୍ତି। ତେବେ ଏଭଳି ଘଟଣା ଦେଶ ପାଇଁ ଥିଲା ପ୍ରଥମ।

୩୦ କୋଟିର ବ୍ରାଉନସୁଗାର, ୭ ବାଘ ଛାଲ ଜବତ

ଗୋଟିଏ ବର୍ଷରେ ରାଜ୍ୟରୁ ପ୍ରାୟ ୩୦ କେଜି ବ୍ରାଉନସୁଗାର ଜବତ ହୋଇଛି। କେବଳ ଏସଟିଏଫ୍ ୨୩ କେଜି ବ୍ରାଉନସୁଗାର ଜବତ କରିଛି। ଯାହାର ମୂଲ୍ୟ ୨୩ କୋଟି ଟଙ୍କା ହେବ। ଏହି ପରିମାଣର ବ୍ରାଉନସୁଗାର କୌଣସି ରାଜ୍ୟରୁ ଜବତ ହେବା ଦେଶର ମଧ୍ୟ ଏକ ରେକର୍ଡ। ୩୦ରୁ ଅଧିକ ବ୍ରାଉନସୁଗାର ବେପାରୀ ଧରା ପଡ଼ିଛନ୍ତି। ଚଳିତବର୍ଷ ୭ଟି ବାଘଛାଲ ଜବତ କରିଛି ଏସଟିଏଫ୍। ସେହିପରି ୨ଟି ହରିଣ ଛାଲ, ୫ କେଜି ବଜ୍ରକାପ୍ତା କାତି, ଗୋଟିଏ ଜୀବନ୍ତ ବଜ୍ରକାପ୍ତା, ଲକ୍ଷାଧିକ ଟଙ୍କାର ଚନ୍ଦନ କାଠ ଜବତ କରାଯାଇଛି। ଚୋରା କାରବାର ଚାଲୁଥିବା ବେଳେ ପ୍ରାୟ ୬୬ ହଜାର ଲିଟର ପିଡିଏସ୍ କିରୋସିନ୍ ଜବତ କରାଯାଇଛି। ପ୍ରାୟ ୫ ଲକ୍ଷ ଟଙ୍କାର ନକଲି ଜାଲ ନୋଟ୍, ୫ କ୍ବିଣ୍ଟାଲ ନକଲି ଜର୍ଦ୍ଦା ଜବତ ହୋଇଛି। ଏ ବର୍ଷ ୧୨୦୦ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରାଯାଇଛି। ଯାହାକି ସର୍ବକାଳୀନ ରେକର୍ଡ।

ସମ୍ବନ୍ଧିତ ଖବର