ଚନ୍ଦ୍ରଭାଗା ସମୁଦ୍ରକୂଳରୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର

ଏସପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଓ ସାଇଣ୍ଟଫିକ ଟିମ କଲେ ତଦନ୍ତ 

କୋଣାର୍କ : ରବିବାର ଦିନ କୋଣାର୍କ ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ଅନତି ଦୂରରେ ଜଣେ ମଧ୍ୟ ବୟସ୍କା ଯୁବତୀଙ୍କ ଉଲଗ୍ନ ମୃତ ଶରୀରକୁ ପୁଲିସ ଟିମ୍ ଉଦ୍ଧାର କରିଛନ୍ତି । ପୁରୀଜିଲ୍ଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭାଗୀୟ ବରିଷ୍ଠ ପୁଲିସ ଅଧିକାରୀ ସାଇଣ୍ଟଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାରମ୍ଭିକ ଅନୁଧ୍ୟାନ ସମୟରେ ମୃତଦେହଟି ସମୁଦ୍ରରେ ଅନ୍ୟ ସ୍ଥାନରୁ ଭାସି ଆସି ଚନ୍ଦ୍ରଭାଗାରେ ଲାଗିଥିବାର ଆଶଙ୍କା କରାଯାଉଥିବା ସମୟରେ ହତ୍ୟା ସନ୍ଦେହ ମଧ୍ୟ କରାଯାଉଛି।

ମିଳିଥିବା ସୂଚନା ମୁତାବକ ରବିବାାର ପୂର୍ବାହ୍ନରେ କୋଣାର୍କ – ପୁରୀ ବେଳାମାର୍ଗରେ ଅବସ୍ଥିତି ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଠାରୁ ଅନତି ଦୂରରେ ସମୁଦ୍ର କୂଳରେ ଏକ ଉଲଗ୍ନ ମହିଳାଙ୍କ ମୃତ ଶରୀର ପଡ଼ିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା ।ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏସଂପର୍କରେ ଖବର ମିଳିବା ପରେ ପୁରୀଜିଲ୍ଲା ଏସପି କେ. ବିଶାଲ ସିଂ, ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଡ଼ିଏସପି ମନବ୍ରତା ଶତପଥି, ନିମାପଡ଼ାର ନବନିଯୁକ୍ତ ଏସଡ଼ିପିଓ ଦେବାଶିଷ ମିଶ୍ର, କୋଣାର୍କ ଥାନା ଏସଆଇ ଇତିପ୍ରିୟା ଦାଶ ପ୍ରମୁଖ ସାଇଣ୍ଟଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାରମ୍ଭିକ ତଦନ୍ତରେ ସମୁଦ୍ରକୁଳରେ ପଡ଼ିରହିଥିବା ଯୁବତୀଙ୍କ ବୟସ ଆନୁମାନିକ ଭାବେ ୩୫ ରୁ ୪୦ ହେବ ବୋଲି ଜଣାପଡ଼ିଛି । ମୃତ ଯୁବତୀ ଜଣକ ସଂପୂର୍ଣ୍ଣ ଉଲଗ୍ନ ଥିବାର ଦେଖାଯାଇଛି । ମୃତଦେହର ବିଭିନ୍ନ ଅଂଶରୁ ଚମଡ଼ା ଉତୁରୀ ଯାଇଥିବାର ଦେଖାଯାଇଛି । ସାମୁଦ୍ରିକ ଜୀବମାନେ ମୃତଦେହରୁ ଚମଡ଼ା ଉତାରି ଦେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି। ମୃତଦେହଟି ଅନ୍ୟସ୍ଥାନରୁ ଭାସିଆସି ଚନ୍ଦ୍ରଭାଗା କୂଳରେ ଲାଗିଥାଇ ପାରେ ବୋଲି ପୁଲିସ ଆଶଙ୍କା କରୁଛି ।

ଅନ୍ୟପକ୍ଷରେ ମୃତଦେହର ପାରିପାର୍ଶ୍ବିକ ଅବସ୍ଥାକୁ ଦେଖିଲେ ସଂପୃକ୍ତ ଯୁବତୀଙ୍କୁ ହତ୍ୟା କରିବା ପରେ ସମୁଦ୍ରରେ ଫୋପାଡ଼ି ଦିଆଯାଇଥିବାର ସନ୍ଦେହ କରାଯାଉଛି। ତେବେ ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିବା ସହିତ ମୃତ ଦେହକୁ ଜବତ କରି ଶବବ୍ୟବଛେଦ ପାଇଁ ପଠାଇଥିବାର ଜଣାପଡ଼ିଛି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ କାର୍ଯ୍ୟାଳୟର
ଡ଼ିଏସପି ମନବ୍ରତା ଶତପଥିଙ୍କୁ ଏହି କେଶର ତଦନ୍ତଭାର ଦିଆଯାଇଥିବାର ସୂଚନା ମିଳିଛି।

ସମ୍ବନ୍ଧିତ ଖବର