ପରକୀୟା ପ୍ରୀତି ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା, ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ! 

 ମୃତଦେହ ଅଟୋରେ ଆଣି ଘରେ ଟାଙ୍ଗିଦେଲେ, ମହିଳାଙ୍କ ସମେତ ୪ ଜଣଙ୍କୁ ଅଟକ ରଖିଛି ପୁଲିସ୍

ରାୟଗଡ଼ା: ବାପା ମୋତେ କିଛି ଲୋକ ପିଟୁଛନ୍ତି। ୩୦ ହଜାର ଦେଲେ ଛାଡ଼ିବେ ବୋଲି କହୁଛନ୍ତି। ତମେ ଶୀଘ୍ର ଆସ…। ମୃତ୍ୟୁ ପୂର୍ବରୁ ବିଳମ୍ବିତ ରାତିରେ ବାପାଙ୍କ ସହ ମୋବାଇଲରେ ଏହା ଥିଲା ବି. ରାଜୁଙ୍କ ଶେଷ କଥାବାର୍ତ୍ତ। ରାଜୁର କଥା ଶୁଣି ପରିବାର ଲୋକ ରାତାରାତି ପାବର୍ତୀପୁରରୁ ବାହାରି ରାୟଗଡ଼ା ପହଞ୍ଚିବା ବେଳକୁ ପରକୀୟା ପ୍ରୀତି ସନ୍ଦେହରେ ହତ୍ୟାର ଶିକାର ହୋଇଛନ୍ତି ରାଜୁ। କାଠ ଫାଳିଆରେ ଅଭିଯୁକ୍ତମାନେ ରାଜୁକୁ ପିଟି ପିଟି ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେବାକୁ ନିଜ ଘର ଫ୍ୟାନରେ ଝୁଲାଇ ଦେଇଛନ୍ତି। ସକାଳେ ବି. ରାଜୁଙ୍କ ସଂପର୍କୀୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲିଙ୍ଗା. ସୀମାଞ୍ଚଳମକୁ କାବୁ କରିବା ପରେ ପୁଲିସ୍ ଜଣେ ମହିଳା ସମେତ ଅନ୍ୟ ଦୁଇ ସହଯୋଗୀକୁ ଥାନାରେ ଅଟକ ରଖିଛି।

ମିଳିଥିବା ସୂଚନାନୁଯାୟୀ, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲିଙ୍ଗା. ସୀମାଞ୍ଚଳମଙ୍କ ସ୍ତ୍ରୀ ସହ ରାଜୁର ଅନୈତିକ ସଂପର୍କ ଥିବା ନେଇ ଲିଙ୍ଗା ସନ୍ଦେହ କରି ଆସୁଥିଲେ। ଏ ନେଇ ପୂର୍ବରୁ ବହୁ ଥର ଲିଙ୍ଗା ଓ ରାଜୁଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ବେଳେ ଏପରି କାର୍ଯ୍ୟରୁ ଦୂରେଇ ରହିବାକୁ ଲିଙ୍ଗା ନିଜ ସ୍ତ୍ରୀ ଓ ରାଜୁକୁ ଚେତାବନୀ ଦେଇଥିଲା। ଦିନକୁ ଦିନ ସନ୍ଦେହ ଦୃଢ଼ୀଭୂତ ହୋଇ ଚାଲିଥିବାରୁ ଲିଙ୍ଗା ମାନସିକ ଭାରସାମ୍ୟ ହରାଇଥିଲେ। ରାଜୁଙ୍କ ବାପା, ମା’ ମେଡ଼ିକାଲ୍ କାମରେ ପାର୍ବତୀପୁର ଯାଇଥିବା ବେଳେ ମଙ୍ଗଳବାର ରାତିରେ ଲିଙ୍ଗା ରାଜୁକୁ ନିଜ ଘରକୁ ଡାକିଥିଲେ। ରାଜୁ ଘରେ ପହଞ୍ଚିବା ପରେ ଲିଙ୍ଗା ନିଜ ସ୍ତ୍ରୀ ଉପସ୍ଥିତିରେ ଅନୈତିକ ଘଟଣା ସଂପର୍କରେ ପଚାରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ହଟ୍ଟଗୋଳ ସମୟରେ ଲିଙ୍ଗାଙ୍କ ସ୍ତ୍ରୀ ରାଜୁ ସହ ଭାଇ- ଭଉଣୀର ସଂପର୍କ ଥିବା ନେଇ ଲିଙ୍ଗାକୁ ବୁଝାଇଥିଲେ। କିନ୍ତୁ ଲିଙ୍ଗା ବୁଝିନଥିଲେ। ଦୁଇ ସହଯୋଗୀଙ୍କ ସହ ଲିଙ୍ଗା ରାଜୁକୁ ନିଜ ଘର ଭିତରେ ହିଁ ପିଟିବା ଆରମ୍ଭ କରିଥିଲେ। ପରେ ରାଜୁକୁ ଅଟୋରେ ବସାଇ ବାହାରକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ପିଟିଥିଲେ।

ମୁର୍ମୂଷ ଅବସ୍ଥାରେ ରାଜୁ ବାପାଙ୍କୁ ଫୋନ୍ କରି କିଛି ଲୋକ ମାଡ଼ ମାରୁଥିବା ଏବଂ ଟଙ୍କା ମାଗୁଥିବା ସଂପର୍କରେ ଅବଗତ କରିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ରାଜୁଙ୍କ ନିକଟରୁ ଫୋନ୍ ଛଡ଼ାଇ ପୁଣି ପିଟିବା ଯୋଗୁ ରାଜୁଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଭୟରେ ଅଭିଯୁକ୍ତମାନେ ଘଟଣାକୁ ଆତ୍ମହତ୍ୟା ରୂପ ଦେବାକୁ ମୃତଦେହକୁ ଅଟୋରେ ଆଣି ରାଜୁଙ୍କ ଘର ଭିତରକୁ ନେଇ ଫ୍ୟାନରେ ଦଉଡ଼ି ଲଗାଇ ଝୁଲାଇ ଦେଇଥିଲେ। ଏ ସଂପର୍କରେ ଲିଙ୍ଗାଙ୍କ ସ୍ତ୍ରୀ ଜାଣିବା ପରେ ଭୋର୍ ୫ଟାରେ ରାଜୁଙ୍କ ଘରେ ପହଞ୍ଚିଥିଲେ। ରାଜୁ ଫ୍ୟାନରେ ଝୁଲୁଥିବା ଦେଖିବା ପରେ ସ୍ତ୍ରୀ ଲିଙ୍ଗାକୁ ଫୋନ୍ କରି ମାରିଦେଲ କି ବୋଲି ପଚାରିଥିଲେ। ସ୍ତ୍ରୀର ଫୋନ୍ କଲ୍ ପରେ ଲିଙ୍ଗା ଘଟଣାସ୍ଥଳକୁ ଆସିଥିଲେ। ସେପଟେ ପୁଅର ଫୋନ୍ କଲ୍ ପାଇବା ପରେ ସହଯୋଗ କରିବା ସହ ପୁଲିସକୁ ଅବଗତ କରିବା ପାଇଁ ରାଜୁଙ୍କ ବାପା ସଂପର୍କୀୟଙ୍କୁ ଅବଗତ କରିଥିଲେ।

ସକାଳ ୬ଟାରେ ସଂପର୍କୀୟ ଲୋକ ରାଜୁଙ୍କ ଘରକୁ ଆସିବା ପରେ ମୃତ୍ୟୁ ହୋଇଥିବା ଦେଖି ଲିଙ୍ଗାକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପରିବାର ଲୋକଙ୍କ ଅଭିଯୋଗକ୍ରମେ ମୁଖ୍ୟ ଅଭିଯୁକ୍ତ ଲିଙ୍ଗାଙ୍କ ସମେତ ୨ ସହଯୋଗୀ ଓ ଜଣେ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରୁଛି। ମୃତ ରାଜୁଙ୍କ ଭାଇଙ୍କ ଏତଲାକ୍ରମେ ପୁଲିସ୍ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ରାୟଗଡ଼ା ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ମାମଲାର ତଦନ୍ତ କରୁଛନ୍ତି। ଅପରାହଣରେ ରାୟଗଡ଼ା ମେଡ଼ିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

 

ସମ୍ବନ୍ଧିତ ଖବର