ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ ସମସ୍ତ କର୍ମୀ: ଯୁବ ବିଜେଡି ସଭାପତି

ଭୁବନେଶ୍ବର : ଯୁବ ବିଜେଡିର ସମସ୍ତ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକୁ ସାମାଜିକ ଦାୟିତ୍ବ ଭାବେ ଗ୍ରହଣ କରନ୍ତୁ। କୋଭିଡ୍‌-୧୯ ମୁକାବିଲା ପାଇଁ ବିଜେଡି ରାଜ୍ୟ ସଭାପତି ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ ବିଜୁ ଯୁବ ଜନତାର ସମସ୍ତ କର୍ମକର୍ତ୍ତା, ଜିଲ୍ଲା ସଭାପତି, ନିର୍ବାଚନ ମଣ୍ଡଳୀ, ବ୍ଲକ୍‌ ଏବଂ ପଞ୍ଚାୟତ ସଭାପତିଙ୍କ ସମେତ କମିଟିର କର୍ମକର୍ତ୍ତା ତଥା ଯୁବକର୍ମୀମାନଙ୍କୁ ଏପରି ଅନୁରୋଧ କରିଛନ୍ତି।

ଶ୍ରୀ ପତ୍ରୀ କହିଛନ୍ତି, କରୋନା ମହାମାରୀ ସମଗ୍ର ବିଶ୍ବରେ ଏକ ଭୟାବହ ଦୁର୍ବିପାକର ରୂପ ନେଇଛି। ଏପରି ଘଡ଼ିସନ୍ଧି ମୂହୁର୍ତ୍ତରେ ମୁଖ୍ୟମନ୍ତ୍ରୀ ଏହି ଯୁଦ୍ଧରେ ସାରା ଦେଶ ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସ୍ବରୁପ ସର୍ବପ୍ରଥମେ ତାଲାବନ୍ଦ ନିଷ୍ପତ୍ତି ନେଇଥିଲେ। ଏହାସହିତ ମୋ ଜୀବନ କାର୍ଯ୍ୟକ୍ରମ ଜରିଆରେ ସଚେତନତା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଯୁଦ୍ଧକାଳିନ ଭିତ୍ତିରେ ରାଜ୍ୟରେ ଦେଶର ପ୍ରଥମ କୋଭିଡ୍‌-୧୯ ସ୍ବତନ୍ତ୍ର ହସ୍ପିଟାଲ୍‌ ପ୍ରସ୍ତୁତ କରି ସମଗ୍ର ବିଶ୍ବରେ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟ ବାହାରେ ଫସି ରହିଥିବା ଓଡ଼ିଆ ଭାଇମାନଙ୍କ କିପରି ସେଠାରେ ଅସୁବିଧା ନ ହେବ, ସେଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି।

ଓଡ଼ିଶାର ସାଢ଼େ ୪ କୋଟି ଲୋକଙ୍କୁ ସେ ସର୍ବଦା ନିଜର ପରିବାର ରୂପେ ଗ୍ରହଣ କରିଆସିଛନ୍ତି। ତେଣୁକରି ସମସ୍ତ ଦଳୀୟ କର୍ମୀ, ନେତା ତଥା ନିର୍ବାଚିତ ପ୍ରତିନିଧିମାନଙ୍କୁ ନିଜର ଅଞ୍ଚଳରେ କୌଣସି ଲୋକ ଯେପରି ଭୋକିଲା ନ ରୁହେ, ସେଥିପାଇଁ ଦାୟିତ୍ବ ନିର୍ବାହନ କରିବାକୁ ଆଦେଶ ଦେଇଛନ୍ତି। ଏଭଳି ଦୁଃଖଦ ସମୟରେ ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧା ଓ ଅସହାୟ ଲୋକଙ୍କ ପାଖରେ ଛିଡ଼ାହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ରକ୍ତ ଆବଶ୍ୟକ କରୁଥିବା ରୋଗୀ ବିଶେଷକରି ଥାଲାସେମିଆ ରୋଗୀମାନଙ୍କ ପାଇଁ ରକ୍ତର ଅଭାବ ଯେପରି ନ ପଡ଼େ, ସେଥିପାଇଁ ନିକଟସ୍ଥ ରକ୍ତଭଣ୍ଡାରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତଦାନ କରନ୍ତୁ। ଏହାକୁ ସାମାଜିକ ଆନ୍ଦୋଳନରେ ପରିଣତ କରିବା ସହ ବାହାରକୁ ବାହାରିବା ବେଳେ ନିଜପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରନ୍ତୁ। ମାସ୍କ୍‌ ବ୍ୟହାର କରିବା ସହ ସାମାଜିକ ଦୂରତା ଓ ସଙ୍ଗରୋଧ ପ୍ରତି ଧ୍ୟାନ ଦେବା ଦରକାର। ଘରକୁ ଫେରିଲେ ସାବୁନ୍‌ରେ ଭଲ ଭାବରେ ୨୦ ସେକେଣ୍ଡ୍‌ ପର୍ଯ୍ୟନ୍ତ ହାତ ଧୋଇବାକୁ ଶ୍ରୀ ପତ୍ରୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର