ଦଳୀୟ ପତାକା ଲଗାଉଥିବା ବେଳେ ଅଘଟଣ : ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯୁବକ ମୃତ

ବିଦ୍ୟୁତ ଆଘାତରେ ଜଳିଗଲେ ଶ୍ରମିକ

ବାଲେଶ୍ୱର : ବାଲେଶ୍ବର ସଦର ଥାନା ଅନ୍ତର୍ଗତ ଓଲନ୍ଦା ସାରଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଦଳୀୟ କର୍ମୀ ସମ୍ମିଳନୀ ପାଇଁ ପତାକା ବାନ୍ଧୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ସ୍ଥାନୀୟ ତେନ୍ତୁଳିମୁଣ୍ଡି ଗ୍ରାମର ପଂଚାନନ ଜେନାଙ୍କ ପୁଅ ଅକ୍ଷୟ ଜେନା(୩୨)।

ସୂଚନାଯୋଗ୍ୟ, ବାଲେଶ୍ୱର ସଦର ଥାନା ଅଧୀନ ଓଲନ୍ଦା ସାରଗାଁରେ ଆଜି ସକାଳେ ବି‌ଜୁ ଜନତା ଦଳ ପକ୍ଷରୁ ରାଢ଼ୀପଦାଠାରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀର ଆୟୋଜନ ପାଇଁ ସ୍ଥିର ହୋଇଥିଲା। ଏହାର ସାଜସଜ୍ଜା ପାଇଁ ଗତକାଲିି ରାତିରେ ଏଥିପାଇଁ ପ୍ରସ୍ତୁତି ଚାଲିଥିଲା। ଅକ୍ଷୟ ସେଠାରେ ଥିବା ଏକ ନିର୍ମାଣାଧୀନ କୋଠାର ଛାତ ଉପରେ ଚଢ଼ି ପତାକା ବାନ୍ଧୁଥିଲେ। ତେବେ ଦୁର୍ଭାଗ୍ୟବଶତଃ ସେହି ନିକଟରେ ଯାଇଥିବା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଗୁରୁତର ଅବସ୍ଥାରେ ଅକ୍ଷୟଙ୍କୁ ତାଙ୍କ ସହଯୋଗୀମାନେ ଉଦ୍ଧାର କରି ବାଲେଶ୍ୱର ଜିଲ୍ଲା ହସ୍ପିଟାଲକୁ ନେଇ ଆସିଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ସଦର ବିଧାୟକ ଜୀବନପ୍ରଦୀପ ଦାଶ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଘଟଣାରେ ଦୁଃଖପ୍ରକାଶ କରିବା ସହିତ ଯୁବକଙ୍କ ପରିବାରକୁ ସାହାଯ୍ୟ, ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ବିଦ୍ୟୁତ ଆଘାତରେ ଜଳିଗଲେ ଶ୍ରମିକ

ଦେଓଗାଁ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମହଲାଇ ପଞ୍ଚାୟତ କୁକୁରଖାଇ ଭେଣ୍ଟଟୋସ ସୋଲାର ପ୍ଲାଣ୍ଟ ନିକଟରେ ସୋମବାର ଅଘଟଣ ଘଟିଛି। ଗଛ କାଟୁଥିବା ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଶ୍ରମିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି। କୁଆଡ଼େ ୧୩୨ କେଭି ବିଦ୍ୟୁତ ତାର ଯାଇଥିବା ନିକଟରେ ଥିବା ଏକ ଗଛକୁ ଉକ୍ତ ଶ୍ରମିକ କାଟୁଥିଲେ। ଏହି ସମୟରେ ବିଦ୍ୟୁତ ଆଘାତ ହେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର