ହାଟଡିହି : କୋଭିଡ୍‌ ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ

ହାଟଡିହି : ହାଟଡିହି ବ୍ଲକ୍‌ ବାଙ୍ଗୋର ପଞ୍ଚାୟତ ନାଇକସାହିର ଜଣେ ୨୦ ବର୍ଷୀୟ ଯୁବକଙ୍କ କେନ୍ଦୁଝର କୋଭିଡ-୧୯ ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ତାମିଲନାଡ଼ୁ ଫେରନ୍ତା ବୋଲି ଜଣାପଡ଼ିଛି। ତେବେ ସେ କରୋନା ପଜିଟିଭ୍ ଥିଲେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ।

ଯୁବକ ଜଣଙ୍କ ତାମିଲନାଡ଼ୁରେ ଶ୍ରମିକ ଭାବେ କାମ କରୁଥିଲେ। ୧୪ଦିନ ତଳେ ତାମିଲନାଡ଼ୁରୁ ଫେରି ପଞ୍ଚାୟତ ସଂଗରୋଧ କେନ୍ଦ୍ରରେ ଥିଲେ। ୪ ତାରିଖ ରାତିରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ୫ ତାରିଖ ସକାଳେ ଡାକ୍ତରୀଦଳ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ କେନ୍ଦୁଝର କୋଭିଡ-୧୯ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ତାଙ୍କର ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ତେବେ ଗତରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆଜି ସକାଳେ ବିଡିଓ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ସୂଚନା ପାଇ ସରପଞ୍ଚ ତାଙ୍କ ପରିବାର ଲୋକଙ୍କୁ ମୃତ୍ୟୁ ଖବର ଜଣାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପୁଲିସ ଅଧିକାରୀମାନେ ଗାଁରେ ପହଞ୍ଚି ଏକ ଆମ୍ବୁଲାନ୍‌ସ ଯୋଗେ ମୃତ ଯୁବକଙ୍କ ପରିବାର ଲୋକଙ୍କୁ କେନ୍ଦୁଝର ପଠାଇଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆନନ୍ଦପୁର ଏସ୍‌ଡିପିଓଙ୍କ ସମେତ ଆନନ୍ଦପୁର, ଘସିପୁରା, ସୋସୋ ଥାନାର ବହୁ ଅଧିକାରୀ ଗାଁରେ ଡେରା ପକାଇଛନ୍ତି।

ସମ୍ବନ୍ଧିତ ଖବର