ଦାଦନ ଦୁଃଖ : ଲୁଟ୍‌ର ଶିକାର ପରେ ଆତ୍ମହତ୍ୟା ଉଦ୍ୟମ କରି ଯୁବକ ଗୁରୁତର

ସୁରଟ୍‌ରୁ କେନ୍ଦ୍ରାପଡ଼ା ଫେରୁଥିଲେ

ସଇନ୍ତଳା : ବଲାଙ୍ଗୀର ଜିଲ୍ଲା ସଇନ୍ତଳା ରେଳ ଷ୍ଟେସନ ନିକଟରେ ଥିବା ଛକୋରବାଞ୍ଜି ଗ୍ରାମ ରେଳ ଓଭରବ୍ରିଜ୍‌ ନିକଟରେ ଜଣେ ଦାଦନ ଶ୍ରମିକ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ସାନସୋଲାର ଗ୍ରାମର ମନୋଜ ନାଏକ (୩୫) ଲୁଟ୍‌ର ଶିକାର ହେବା ପରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି। ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ମନୋଜ ସୁରଟରେ କାମ କରୁଥିଲେ। ଗୁରୁବାର ଘରକୁ ଫେରିବେ ବୋଲି ପରିବାର ଲୋକଙ୍କୁ ଫୋନ୍‌ କରି ଜଣାଇଥିଲେ। କିନ୍ତୁ ସକାଳ ସାଢ଼େ ୮ଟାରେ ସଇନ୍ତଳା ରେଳ ଷ୍ଟେସନ ଛକୋରବାଂଜି ଗ୍ରାମ ରେଳ ଓଭର୍‌ବ୍ରିଜ୍‌ ନିକଟରୁ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ସଇନ୍ତଳା ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଥିଲେ। ସେ କୌଣସି ଧାରୁଆ ଅସ୍ତ୍ରରେ ନିଜର ଗଳା ସହ ଦୁଇ ହାତର ଶିରା, ଗୋଡ଼ ଏବଂ ପେଟ କାଟି ଦେଇଥିବା ଜଣାପଡ଼ିଛି। ସେ ଠିକ୍‌ରେ କଥାବାର୍ତ୍ତା କରିପାରୁନଥିବାରୁ ଘଟଣା ବିଷୟରେ ଅଧିକ କିଛି ଜଣାପଡ଼ି ନାହିଁ। ତାଙ୍କଠାରୁ ମିଳିଥିବା ଏକ ମୋବାଇଲ ନମ୍ବରରେ ତାଙ୍କ ଘରକୁ ଯୋଗାଯୋଗ କରାଯାଇଥିଲା। ଘରେ କେବଳ ତାଙ୍କ ବୁଢ଼ୀ ମା ଥିବା ଏବଂ ସେ ଅସହାୟ ହୋଇଥିବାରୁ ଡାକ୍ତରଖାନା ଯାଇପାରିବେ ନାହିଁ ବୋଲି କହିଥିଲେ। ଏହା ସହିତ ମ‌ନୋଜଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ସେ ନିବେଦନ କରିଥିଲେ।

ମନୋଜଙ୍କ କଥାରୁ ଯେତିକି ଜଣାପଡ଼ିଛି, ସେ ସୁରଟରେ କାମ କରୁଥିଲେ। ଘର ଆର୍ଥିକ ଅବସ୍ଥା ଭଲ ନଥିବାରୁ କାମ କରି ଘରକୁ ଟଙ୍କା ପଠାଉଥିଲେ। ବୁଧବାର ବିଳମ୍ବିତ ରାତିରେ ସେ କୌଣସି ଟ୍ରେନ୍‌ରେ ଘରକୁ ଫେରିବା ସମୟରେ ତାଙ୍କର କ‌ଷ୍ଟୋପାର୍ଜ୍ଜିତ ଟଙ୍କା କେହି ଦୁର୍ବୃତ୍ତ ନେଇଯିବା ପରେ ତାଙ୍କୁ ସଇନ୍ତଳା ରେଳଷ୍ଟେସନରେ ଓହ୍ଲାଇ ଦେଇଛି ବୋଲି ସନ୍ଦେହ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, ଦାଦନ ଖଟିବାକୁ ଯାଇ ଶବ ହୋଇ ଘରକୁ ଫେରିବା ଘଟଣା ପ୍ରତ୍ୟହ ଘଟୁଥିବା ନଜରକୁ ଆସୁଛି । ପରିବାର ପୋଷଣ ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ଫେରୁଥିବା ମନୋଜ ଭଳି ଦାଦନ ଶ୍ରମିକଙ୍କ ଟଙ୍କା ପଇସା ଲୁଟ୍‌ ‌ହେଉଥିବାରୁ ବିଭିନ୍ନ ସମୟରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିବା ଘଟଣା ସାମ୍ନାକୁ ଆସୁଛି।

ସମ୍ବନ୍ଧିତ ଖବର