ସ୍ମାର୍ଟଫୋନ୍‌ ମିଳିଲାନି : ଜୀବନ ହାରିଲେ ଯୁବକ

ମହାକାଳପଡ଼ା : ମା’ ସ୍ମାର୍ଟଫୋନ୍‌ କିଣି ନ ଦେବାରୁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ୍‌ ଅନ୍ତର୍ଗତ କରଞ୍ଜ ଗ୍ରାମରେ ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି।

ଏହି ଗ୍ରାମର ଜଣେ ମହିଳା ହେଉଛନ୍ତି ପ୍ରମିଳା ସାହୁ। ପରିବାର କହିଲେ ଗୋଟିଏ ବୋଲି ପୁଅ ବାଜେଣୀ (୨୦ବର୍ଷ)। ସ୍ୱାମୀ ଦୁର୍ଯ୍ୟୋଧନ ସାହୁ ଆରପାରିକି ଚାଲିଯାଇଛନ୍ତି। ପ୍ରମିଳା ସ୍ଥାନୀୟ ରାମଚଣ୍ଡୀ ଉପ୍ରା ବିଦ୍ୟାଳୟରେ ପାଚିକା ଭାବେ କାମ କରି ଯାହା ରୋଜଗାର କରନ୍ତି, ସେଇଥିରେ ଘର ଚଳେ। ନିହାତି ଗରିବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ଏପରି ଅବସ୍ଥାରେ ବାଜେଣୀଙ୍କ ମୁଣ୍ଡରେ ସ୍ମାର୍ଟଫୋନ୍‌ ଭୂତ ପଶି ଯାଇଥିଲା। କିଛିଦିନ ହେଲା ସ୍ମାର୍ଟଫୋନ୍‌ ପାଇଁ ବିଧବା ମା’ ପାଖରେ ଅଳି କରୁଥିଲେ। କହୁଥିଲେ, ଏବେ ତ ସମସ୍ତେ ସ୍ମାର୍ଟଫୋନ୍‌ ଧରୁଛନ୍ତି, ସେ ବି ଧରିବ। ଏଥିପାଇଁ ସେ ମା’ଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ। ମାତ୍ର, ପ୍ରମିଳା ଏହି ଟଙ୍କା ଦେବାକୁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ୫ ପ୍ୟାକେଟ ମୂଷାମରା ଔଷଧ ଗୋଳାଇ ପିଇ ଦେଇଥିଲେ । ଅବସ୍ଥା ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ପ୍ରଥମେ ମାର୍ଶାଘାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ରାତି ପ୍ରାୟ ୧୧ଟାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହି ଘଟଣା ଗାଁରେ ଏକ ଅଭାବନୀୟ ପରିସ୍ଥିତି ଦୃଷ୍ଟି କରିଛି। ସ୍ମାର୍ଟଫୋନ୍‌ ପାଇଁ ଯୁବକମାନଙ୍କ ପାଗଳପଣ କିଭଳି ଚରମସ୍ଥିତିରେ ପହଞ୍ଚଛି, ତାହାର ଏକ ଉଦାହରଣ ପାଲଟିଛନ୍ତି ବାଜେଣୀ। ବାଜେଣୀଙ୍କ ମୃତ୍ୟୁ ଘଟଣା ବିଧବା ମା’କୁ ଶୋକ ସାଗରରେ ଭସେଇ ଦେଇନି, ଅନ୍ୟମାନଙ୍କ ପାଇଁ ବି ଉଦାହରଣ ପାଲଟିଛି।

ସମ୍ବନ୍ଧିତ ଖବର