ବିଦ୍ୟୁତ୍‌ ସଂସ୍ପର୍ଶରେ ଆଖୁ ବୋଝେଇ ଟ୍ରକ୍‌ : ଡ୍ରାଇଭର ଜିଅନ୍ତା ଜଳିଗଲେ

ଧର୍ମଶାଳା/ଚଡେଇଧରା : ଧର୍ମଶାଳା ଥାନା ଅନ୍ତର୍ଗତ ବମ୍ଫୁଠାରେ ଏକ ଆଖୁ ବୋଝେଇ ଟ୍ରକ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଯିବାରୁ ଡ୍ରାଇଭର ଜିଅନ୍ତା ଜଳିଯାଇଛନ୍ତି।

ବଡବାରିସାହିରୁ (ଓଆର୦୪ ଏଚ୍‌ ୦୮୮୫) ନମ୍ବର ବିଶିଷ୍ଟ ଦଶଚକିଆ  ଟ୍ରକ ମଙ୍ଗଳବାର ରାତିରେ ଆଖୁ ବୋଝେଇ କରି ଢେଙ୍କାନାଳ ଚିନି କଳକୁ ଯାଉଥିଲା। ଏହି ସମୟରେ ବମ୍ଫୁଠାରେ ଇଲେଭେନ୍‌ କେଭି ବିଦ୍ୟୁତ୍‌ ଲାଇନ୍‌ ତଳକୁ ଓହଳି ପଡିଥିବାରୁ ଗାଡିଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା।  ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ବିଦ୍ୟୁତ୍‌ ସଂଯୋଗ କାଟି ଡ୍ରାଇଭରକୁ ଟ୍ରକରୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ମୃତ ଡ୍ରାଇଭରଙ୍କ ଘର ଅଚ୍ୟୁତପୁର(ପାହାଡତଳି) ଗ୍ରାମରେ। ତାଙ୍କ ନାମ ସୁରେନ୍ଦ୍ର ରାଉତ(୩୦) ବୋଲି ଜଣାଯାଇଛି। ମୃତ୍ୟୁକୁ ନେଇ ସୁରେନ୍ଦ୍ରଙ୍କ ପତ୍ନୀ ରୁନାରାଣୀ ରାଉତଙ୍କ ଅଭିଯୋଗ କ୍ରମେ ଧର୍ମଶାଳା ପୁଲିସ ଟ୍ରକଟିକୁ ଜବତ କରି ୩୬/୧୭ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଯାଜପୁର ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର