ଖୁସି ପାଇଁ ଉଦ୍ୟମ, ଯାଯାବରଙ୍କ ହେବ ବର୍ଗୀକରଣ

ମହିଳାଙ୍କ ପାଇଁ ୧୩୩୦ କୋଟି

ଯେଉଁମାନଙ୍କ ଆୟ କମ୍ ସେମାନଙ୍କ ପ‌ାଇଁ ବଜେଟ୍‌ରେ ଅନେକ ଘୋଷଣା କରାଯାଇଛି। ଚାଷୀ ଓ ଶ୍ରମିକଙ୍କ ପାଇଁ ଆୟ ଓ ସାମାଜିକ ନିରାପତ୍ତା ନିଶ୍ଚିତ କରାଯାଇଛି। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକ, ଏସ୍‌ଟି, ଏସ୍‌ସି ଏବଂ ଦୁର୍ବଳ ବର୍ଗଙ୍କୁ ଖୁସି କରିବାକୁ ପ୍ରୟାସ କରାଯାଇଛି। ମଧ୍ୟବିତ୍ତ ବର୍ଗଙ୍କୁ ଆୟକରରେ ରିହାତି ପ୍ରଦାନ କରାଯାଇଛି। ମତ୍ସ୍ୟଚାଷ ପ୍ରତିି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ରେଳ ଭଡ଼ା ବଢ଼ିନଥିବାରୁ ଯାତ୍ରୀଙ୍କ ଉପରେ ଆର୍ଥିକ ବୋଝ ପଡ଼ିବ ନାହିଁ

ଦେଶରେ ଅନୁସୂଚିତ ହୋଇନଥିବା ଏବଂ ଯାଯାବର ଭଳି ଜୀବନଯାପନ କରୁଥିବା ଲୋକମାନଙ୍କ ବର୍ଗୀକରଣ କରିବା ପାଇଁ ନିତି ଆୟୋଗକୁ ନେଇ ଏକ କମିଟି ଗଠନ କରିବାକୁ ବଜେଟ୍ ଘୋ‌ଷଣା କରାଯାଇଛି। ସେମାନଙ୍କ କଲ୍ୟାଣ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନରେ ଏକ କଲ୍ୟାଣ ବିକାଶ ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ସେମାନଙ୍କ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବ ଓ ସେମାନଙ୍କ ପାଖରେ ଲାଭ ପହଞ୍ଚାଇବାକୁ ନିଶ୍ଚିତ କରିବ। ଦେଶରେ ଏଭଳି ଅନେକ ଲୋକ ଓ ସମ୍ପ୍ରଦାୟ ରହିଛନ୍ତି ସେମାନେ ଜୀବନଜୀବିକା ପାଇଁ ଘୁରି ବୁଲୁଛନ୍ତି।

ମହିଳାଙ୍କ ପାଇଁ ୧୩୩୦ କୋଟି
ମହିଳା ସୁରକ୍ଷା ଓ ସଶକ୍ତୀକରଣ ପାଇଁ ବଜେଟ୍‌ରେ ୧୩୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୂର୍ବବର୍ଷ ତୁଳନାରେ ଏଥିପାଇଁ ୧୭୪ କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଛି। ଉଜ୍ଜ୍ବଳା ଯୋଜନାରେ ୮ କୋଟି ନିଶୁଳ୍କ ଏଲ୍‌ପିଜି ସଂଯୋଗ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଜ୍ଜ୍ବଳାରେ ୬ କୋଟି ଏଲ୍‌ପିଜି ସଂଯୋଗ ପ୍ରଦାନ କରାଯାଇସାରିଲାଣି। ପ୍ରଧାନମନ୍ତ୍ରୀ ମୁ୍ଦ୍ରା ଯୋଜନାର ୭୦% ହିତାଧିକାରୀ ମହିଳା ବୋଲି ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ୍ କହିଛନ୍ତି। ମାତୃତ୍ବ ଅବକାସକୁ ୨୬ ସପ୍ତାହ କରାଯିବା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ମାତୃ ବନ୍ଦନା ଯୋଜନା ଆରମ୍ଭ କରାଯିବା ଦ୍ବାରା ମହିଳାମାନେ ଲାଭବାନ ହୋଇଛନ୍ତି।

୧ ଘଣ୍ଟା ୪୫ ମିନିଟ୍‌ର ଭାଷଣ
ଅର୍ଥମନ୍ତ୍ରୀ ପୀୟୁଷ ଗୋୟଲ୍‌ ଆଜି ଦୀର୍ଘ ୧ ଘଣ୍ଟା ୪୫ ମିନିଟ୍ ପର୍ଯ୍ୟନ୍ତ ବଜେଟ୍ ଅଭିଭାଷଣ ପଢ଼ିଥିଲେ। କାମଚଳା ବଜେଟ୍ ହିସାବରେ ଏହା ବହୁତ ଲମ୍ବା ସମୟର ଭାଷଣ ଥିଲା ବୋଲି କୁହାଯାଇପାରିବ। କିନ୍ତୁ ଏହା ସର୍ବାଧିକ ଲମ୍ବା ବଜେଟ୍‌ ଅଭିଭାଷଣ ନୁହେଁ। ଏହି ରେକର୍ଡ ଏବେବି ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ନାମରେ ରହିଛି।

ଖୋଲିବ ସ୍ବତନ୍ତ୍ର ମତ୍ସ୍ୟ ବିଭାଗ
କେନ୍ଦ୍ର ସରକାର ମତ୍ସ୍ୟ କ୍ଷେତ୍ର ଓ ମତ୍ସ୍ୟଜୀବୀମାନଙ୍କ ବିକାଶ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଖୋଲିବେ। ଭାରତ ବିଶ୍ବର ଦ୍ବିତୀୟ ବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ରାଷ୍ଟ୍ର। ବିଶ୍ବର ମୋଟ ମତ୍ସ୍ୟ ଉତ୍ପାଦନରେ ଭାରତର ଯୋଗଦାନ ୬.୩ ପ୍ରତିଶତ ରହିଥିବାବେଳେ ଏହି କ୍ଷେତ୍ରର ବିକାଶ ବାର୍ଷିକ ହାରାହାରି ୭ ପ୍ରତିଶତରୁ ଅଧିକ ହାରରେ ହେଉଛି। ପ୍ରାଥମିକ ସ୍ତରରେ ୧ କୋଟି ୪୫ ଲକ୍ଷ ଲୋକ ଏହି କ୍ଷେତ୍ର ଉପରେ ସେମାନଙ୍କ ଜୀବିକା ପାଇଁ ନିର୍ଭରଶୀଳ ଅଛନ୍ତି। ତେଣୁ ଏହି କ୍ଷେତ୍ରର ବିକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ବତନ୍ତ୍ର ବିଭାଗ ଖୋଲିବାକୁ ‌ନିଷ୍ପତ୍ତି ନିଆଯାଇଛି।

ଷ୍ଟକ ମାର୍କେଟରେ ଉତ୍ସାହ
ଆଜି ସଂସଦରେ ଆଗତ ହେଇଥିବା ଅନ୍ତରୀଣ ବଜେଟକୁ ଷ୍ଟକ ମାର୍କେଟ ନିବେଶକମାନେ ସ୍ବାଗତ କରିଛନ୍ତି। କୃଷକମାନଙ୍କୁ ପ୍ରଦାନ କରାଯିବାକୁ ଥିବା ପ୍ୟାକେଜ ଓ ଆୟକର ରିହାତି ଦ୍ବାରା ଦେଶର ବିତ୍ତୀୟ ସ୍ଥିତି ବିଗିଡ଼ିବ ବୋଲି କିଛି ନିବେଶକଙ୍କ ମଧ୍ୟରେ ଆଶଙ୍କା ଦେଖାଦେଇଥିଲେ ମଧ୍ୟ ଷ୍ଟକ ମାର୍କେଟରେ ମୋଟାମୋଟି ଭାବେ ଉତ୍ସାହ ଦେଖାଦେଇଛି। ସେନସେକ୍ସ ୨୧୨.୭୪ ପଏଣ୍ଟ ବୃଦ୍ଧି ଘଟିବା ସହିତ ୩୬,୪୬୯.୪୩ ପଏଣ୍ଟରେ ବନ୍ଦ ହୋଇଛି। ସେହିଭଳି ନିଫଟି ୬୨.୭୦ ପଏଣ୍ଟ ବୃଦ୍ଧି ଘଟି ୧୦୮୯୩.୬୫ ପଏଣ୍ଟରେ ବନ୍ଦ ହୋଇଛି। ଅର୍ଥମନ୍ତ୍ରୀ ବଜେଟ ଆଗତ କରିବା ପରେ ସେନସେକ୍ସ ପ୍ରାୟ ୫୦୦ ପଏଣ୍ଟ ବୃଦ୍ଧି ପାଇଥିଲା। କିନ୍ତୁ ଅପରାହ୍ନରେ‌ ଏହା ତଳକୁ ଖସିଯାଇଥିଲେ ମଧ୍ୟ ପରେ ଏଥିରେ ସୁଧାର ଆସିଥିଲା। କୃଷକ ଓ ମଧ୍ୟବିତ୍ତ ବର୍ଗର ଲୋକଙ୍କୁ ବଜେଟରେ ରିହାତିକୁ ନିବେଶକମାନେ ସ୍ବାଗତ କରିଛନ୍ତି।

ସମ୍ବନ୍ଧିତ ଖବର