ୟୁକୋ ବ୍ୟାଙ୍କରୁ ୨୩୨ କୋଟି ଠକେଇ : ଫେୟାରଡିଲ୍‌ର ୧୦୭ କୋଟି ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଆଉ ଏକ ବଡ଼ ବ୍ୟାଙ୍କ ଠକେଇ ଘଟଣା ପଦାକୁ ଆସିଛି। କୋଲକାତାର ଫେୟାରଡିଲ୍ ସପ୍ଲାଏଜ୍ ଲିମିଟେଡ ନାମକ ଏକ କମ୍ପାନି ୟୁକୋ ବ୍ୟାଙ୍କକୁ ଠକିଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉକ୍ତ କମ୍ପାନିର ୧୦୭ କୋଟି ୭୩ ଲକ୍ଷ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଏସଆଇଭି ଇଣ୍ଡଷ୍ଟ୍ରିଜ୍‌ର ଜମି ଏବଂ କୋଠା, ଫାର୍ମ ହାଉସ, ୭ଟି ସ୍ଥାୟୀ ଜମା ରହିଛି। ଅହମ୍ମଦାବାଦ ଏବଂ କୋଏମ୍ବାଟୋରରେ ଏସବୁ ସମ୍ପତ୍ତିକୁ ଜବତ କରାଯାଇଛି। ପିଏମ୍‌ଏଲ୍‌ଏ ଆଇନ, ୨୦୦୨ ଅଧୀନରେ ଏସବୁ ସମ୍ପତ୍ତି ଇଡି ଜବତ କରିଛି। କୋଲକାତାର ୟୁ‌କୋ ବ୍ୟାଙ୍କକୁ ଠକିଥିବା ଅଭିଯୋଗରେ ସିବିଆଇ କୋଲକାତାର ଏକ ସ୍ବତନ୍ତ୍ର ଅଦାଲତରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ‌ଫେୟାରଡିଲ୍ ସପ୍ଲାଏଜ୍ ଲିମିଟେଡ ଏବଂ ଏହାର ନିର୍ଦ୍ଦେଶକ ରାମ ପ୍ରସାଦ ଅଗ୍ରୱାଲ, ନାରାୟଣ ପ୍ରସାଦ ଅଗ୍ରୱାଲ, ପୱନ କୁମାର ଅଗ୍ରୱାଲ ଏବଂ ସୌରଭ ଝୁନଝୁନୱାଲାଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲା।

କମ୍ପାନିର ଷ୍ଟକ ଷ୍ଟେଟମେଣ୍ଟକୁ ବଢ଼ାଇ ଚଢ଼ାଇ ତାହାକୁ ୟୁକୋ ବ୍ୟାଙ୍କର କୋଲକାତାସ୍ଥିତ କର୍ପୋରେଟ୍ ଶାଖାରେ ଦାଖଲ କରି ଫେୟାରଡିଲ ସପ୍ଲାଏଜ୍ ଲିମିଟେଡ ସେଠାରୁ ଋଣ ଏବଂ ବିଦେଶୀ ଋଣ ପତ୍ର (ଏଫ୍‌ଏଲ୍‌ସି) ହାତେଇଥିଲା। ତେବେ ଋଣ ଯେଉଁଥିପାଇଁ କରାଯାଇଥିଲା ସେଥିରେ ତାହାକୁ ଖର୍ଚ୍ଚ କରା ନଯାଇ ଅନ୍ୟତ୍ର ବିନିଯୋଗ ହୋଇଥିଲା। ଏଥିଯୋଗୁଁ କମ୍ପାନି ୨୩୧ କୋଟି ୯୫ ଲକ୍ଷ ଟଙ୍କା ମୂଲ୍ୟର ଠକେଇ ବ୍ୟାଙ୍କରେ କରିଥିଲା ବୋଲି ଇଡି କହିଛି। ଏପରିକି ଏହି କମ୍ପାନି ବିଦେଶରୁ କୋଇଲା ଆମଦାନି କରି ଯେଉଁମାନଙ୍କୁ ଯେଗାଇଥିଲା ସେମାନଙ୍କୁ ସେ ବାବଦ ଟଙ୍କା ୟୁକୋ ବ୍ୟାଙ୍କର କମ୍ପାନି ଆକାଉଣ୍ଟରେ ଜମା ନକରିବାକୁ ନିର୍ଦ୍ଦେଶ ଦେଇଥିବା ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର