ଦୂର ସଞ୍ଚାର କମ୍ପାନିଙ୍କ ଏଜିଆର୍ ଦାଖଲ ମାମଲା: କମ୍ପାନିଙ୍କ ବିରୋଧରେ କଠୋର ହେବନି କେନ୍ଦ୍ର

୨୩ ତାରିଖ ଥିଲା ଅର୍ଥ ଦାଖଲର ଶେଷଦିବସ, ରାୟର ସଂଶୋଧନ ପାଇଁ ଅଦାଲତ ଯାଇଛନ୍ତି କମ୍ପାନି

ନୂଆଦିଲ୍ଲୀ: ଏଜିଆର୍ (ଆଡଜଷ୍ଟେଡ୍ ଗ୍ରସ୍ ରେଭିନ୍ୟୁ) ପ୍ରଦାନ ମାମଲାରେ ଦୂର ସଞ୍ଚାର କମ୍ପାନିଙ୍କ ବିରୋଧରେ କଠୋର ହେବନାହିଁ କେନ୍ଦ୍ର। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେନ୍ଦ୍ର ସରକାରଙ୍କ ନିକଟରେ ଆଜି ଏ ବାବଦ ରାଶି ଦାଖଲ ପାଇଁ ଶେଷ ତାରିଖ ଥିଲା। ଜାନୁଆରି ୨୩ ତାରିଖ ସୁଦ୍ଧା ଉକ୍ତ ରାଶି ଦାଖଲ କରିବା ପାଇଁ ପ୍ରଥମେ ସୁପ୍ରିମ କୋର୍ଟ କମ୍ପାନି ଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏ ବାବଦରେ ବିପୁଳ ପରିମାଣର ରାଶି କମ୍ପାନି ଗୁଡ଼ିକୁ ଜମା କରିବାକୁ ଥିବାରୁ ସେମାନେ ଅକ୍ଷମତା ପ୍ରକାଶ କରିବା ସହିତ ଏହି ରାୟର ସଂଶୋଧନ ପାଇଁ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସୁପ୍ରିମ୍ କୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି। ଏଭଳି ପରିପ୍ରେକ୍ଷୀରେ କମ୍ପାନିଙ୍କ ବିରୋଧରେ କଠୋର ଆଭିମୁଖ୍ୟ ପୋଷଣ ନକରିବା ପାଇଁ ଟେଲିକମ୍ ବିଭାଗର ଲାଇସେନ୍ସିଂ ଫାଇନାନ୍ସ ନୀତି ଶାଖା ଏକ ଚିଠି କରିଛି। ସୁପ୍ରିମ୍ କୋର୍ଟଙ୍କ ରାୟକୁ କେତେମାତ୍ରାରେ କାର୍ଯ୍ୟକାରୀ କରାଯାଇଛି ସେ ସଂକ୍ରାନ୍ତ ରିପୋର୍ଟ ମଧ୍ୟ ଦୂରସଞ୍ଚାର ବିଭାଗ ଶୁକ୍ରବାର ୫ଟା ସୁଦ୍ଧା ଦାଖଲ କରିବ ବୋଲି ଜଣାଯାଇଛି।

ଏଜିଆର୍‌ ଦାଖଲ ପାଇଁ ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିବା ଲାଗି ସରକାରଙ୍କୁ ଭୋଡାଫୋନ୍ ଆଇଡିଆ ଏବଂ ଭାରତୀୟ ଏୟାରଟେଲ୍ ଅନୁରୋଧ କରିଥିଲେ। ଏହି ଅନୁରୋଧ ପରେ ଦୂରସଞ୍ଚାର ବିଭାଗ ଏଭଳି ନିର୍ଦ୍ଦେଶନାମା ଦେଇଛି। ଦୂରସଞ୍ଚାର ବିଭାଗ ଏବଂ କମ୍ପାନିଙ୍କ ମଧ୍ୟରେ ଚାଲିଥିବା ବିବାଦ ଦ୍ବାରା ସର୍ବାଧିକ ପ୍ରଭାବିତ ହେବେ ଭୋଡାଫୋନ୍ ଆଇଡିଆ, ଭାରତୀ ଏୟାରଟେଲ ଏବଂ ଟାଟା ଟେଲିସର୍ଭିସେସ୍। ତେବେ ଏହି ତିନୋଟି କମ୍ପାନି କରିଥିବା ଆବେଦନର ଶୁଣାଣି ଆସନ୍ତା ସପ୍ତାହରେ ସୁପ୍ରିମ୍ କୋର୍ଟ କରିବାକୁ ରାଜି ହୋଇଛନ୍ତି। କିନ୍ତୁ ଜାନୁଆରି ୨୩ ତାରିଖ ସୁଦ୍ଧା ଅର୍ଥ ଦାଖଲ କରିବା ପାଇଁ ଗତ ଅକ୍ଟୋବର ୨୪ ତାରିଖରେ ଦିଆଯାଇଥିବା ମୂଳ ରାୟ ଉପରେ କୌଣସି ଟିପ୍ପଣୀ ସୁପ୍ରିମ୍ କୋର୍ଟ ଦେଇନାହାନ୍ତି। ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁଯାୟୀ, ଭୋଡାଫୋନ ଆଇଡିଆକୁ ୫୦ ହଜାର କୋଟି ଟଙ୍କାରୁ ଅଧିକ, ଭାରତୀ ଏୟାରଟେଲକୁ ୩୫,୫୮୬ କୋଟି ଏବଂ ଏୟାରଟେଲକୁ ୧୪ ହଜାର କୋଟି ଟଙ୍କା ଦାଖଲ କରିବାକୁ ରହିଛି। କେବଳ ଦୂରସଞ୍ଚାର କମ୍ପାନି ନୁହନ୍ତି ଗେଲ୍ ଇଣ୍ଡିଆ, ଅଏଲ୍ ଇଣ୍ଡିଆ, ପାୱାର ଗ୍ରିଡ୍ କର୍ପୋରେସନ୍ ଭଳି କମ୍ପାନିଙ୍କୁ ମଧ୍ୟ ଏ ବାବଦ ରାଶି ଜମା କରିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଗେଲ୍ ଇଣ୍ଡିଆକୁ ୧.୭୨ ଲକ୍ଷ କୋଟି, ଅଏଲ୍ ଇଣ୍ଡିଆକୁ ୪୮ ହଜାର କୋଟି, ପାୱାର ଗ୍ରିଡ୍ କର୍ପୋରେସନ ଅଫ୍ ଇଣ୍ଡିଆକୁ ୨୨,୧୬୮ କୋଟି, ଗୁଜରାଟ ନର୍ମଦା ଭ୍ୟାଲି ଫର୍ଟିଲାଇଜର୍ସ ଆଣ୍ଡ କେମିକାଲ୍ସଠାରୁ ୧୫,୦୧୯ କୋଟି ଏବଂ ଦିଲ୍ଲୀ ମେଟ୍ରୋ କର୍ପୋରେସନଠାରୁ ୫୮୪୧ କୋଟି ଟଙ୍କା ଆଦାୟ କରାଯିବ। ତେବେ ଗେଲ୍‌ ଇଣ୍ଡିଆ ଏବଂ ପାୱାର ଗ୍ରିଡ୍ କର୍ପୋରେସନ୍ ଉକ୍ତ ରାୟର ସଂଶୋଧନ ପାଇଁ ସୁପ୍ରିମ କୋଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେହିଭଳି ଦିଲ୍ଲୀ ମେଟ୍ରୋ କର୍ପୋରେସନ ମଧ୍ୟ ଅଦାଲତକୁ ଯାଇଛି।

ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟଙ୍କ ରାୟ ଦ୍ବାରା ସବୁଠୁ କମ୍ ପ୍ରଭାବିତ ହୋଇଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ ୧୯୫ କୋଟି ଟଙ୍କା ଜମା କରିଛି। ଜାନୁଆରି ୩୧ ସୁଦ୍ଧା କମ୍ପାନି ଏହାର ସମସ୍ତ ଲାଇସେନ୍ସ ବାବଦରେ ଉକ୍ତ ରାଶି ଦାଖଲ କରିଛି।

ସମ୍ବନ୍ଧିତ ଖବର