ଦେବାଳିଆ ସ୍ଥିତିରେ ବିଏସଏନଏଲ, ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲା କର୍ମଚାରୀ ସଂଘ

ନୂଆଦିଲ୍ଲୀ : ଦେବାଳିଆ ସ୍ଥିତିରେ ପହଞ୍ଚିଗଲାଣି ସରକାରଙ୍କ ମାଲିକାନାରେ ଥିବା ଟେଲିକମ କମ୍ପାନି ବିଏସଏନଏଲ । କମ୍ପାନିର କ୍ଷତି ବଢିଚାଲିଥିବାରୁ କମ୍ପାନି ଏବେ ନିଜ କର୍ମଚାରୀଙ୍କ ମାସିକ ଦରମା ପ୍ରଦାନ କରିବାକୁ ମଧ୍ୟ ଅକ୍ଷମ ହୋଇପଡିଛି । ଏପରି ସଂକଟ ସମୟରେ କମ୍ପାନିର କର୍ମଚାରୀମାନେ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି ।

କମ୍ପାନିର ଅର୍ଥ ସଂକଟ ଦୂର ପାଇଁ ବିଏସଏନଏଲର ଗ୍ରାଜୁଏଟ ଇଂଜିନିୟର୍ସ ଏଣ୍ଡ ଟେଲିକମ ଅଫିସର୍ସ ଆସୋସିଏସନ୍ସ (ଏଆଇଜିଇଟିଓଏ) ପକ୍ଷରୁ ଗତ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖି ନିବେଦନ କରାଯାଇଛି । ବିଏସଏନଏଲର ମୋଟ କ୍ଷତି ପରିମାଣ ଏବେ ୧୩ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

କେବଳ ବିଏସଏନଏଲ ନୁହେଁ, ଆଉ ଏକ ରାଷ୍ଟ୍ରାୟତ ଟେଲିକମ ଉଦ୍ୟୋଗ ଏମଟିଏନଏଲ ମଧ୍ୟ ପ୍ରବଳ କ୍ଷତିରେ ଚାଲୁଛି । ବିଏସଏନଏଲରେ ଏବେ ୧.୭୬ ଲକ୍ଷ କର୍ମଚାରୀଥିବାବେଳେ ଏନଟିଏନଏଲରେ ୨୨ ହଜାର କର୍ମଚାରୀ ରହିଛନ୍ତି । ବିଏସଏନର ଆୟ ବଢାଇବାକୁ ଏହାର ଫାଇବର ଅପଟିକ ନେଟଓ୍ଵାର୍କକୁ ଭଡାରେ ଦେବାକୁ ଗତ ଏପ୍ରିଲ ମାସରେ ସରକାର ଅନୁମତି ଦେଇଥିଲେ ।

ସମ୍ବନ୍ଧିତ ଖବର