ଆଇଡିବିଆଇ ବ୍ୟାଙ୍କରେ ୬୦୦ କୋଟିର ଠକେଇ, ସନ୍ଦେହରେ ଏୟାରସେଲର ପୂର୍ବତନ ପ୍ରମୋଟର

ନୂଆଦିଲ୍ଲୀ : ଆଉ ଏକ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିଛି ସିବିଆଇ । ଏୟାରସେଲର ପୂର୍ବତନ ପ୍ରମୋଟର ସି. ଶିବଶଙ୍କରନଙ୍କ କମ୍ପାନି ଆକ୍ସେଲ ସନସାଇନ ଓ ଓ୍ଵିଣ୍ଡ ଓୟେ ବିରୋଧରେ ସିବିଆଇ ମାମଲା ରୁଜ୍ଜୁ କରିଛି । ଉଭୟ କମ୍ପାନି ନାଁରେ ଆଇଡିବିଆଇ ବ୍ୟାଙ୍କରୁ ୫୩୦ କୋଟି ଟଙ୍କାର ଋଣ କରାଯାଇଥିବାବେଳେ ସୁଧ ମୂଳ ମିଶି ତାହା ୬୦୦ କୋଟି ଟଙ୍କାରେ ପହଞ୍ଚିଛି । ଏହି ଋଣ ପରିଶୋଧ କରାଯାଉନଥିବାରୁ ଆଇଡିବିଆଇ ବ୍ୟାଙ୍କ ତରଫରୁ ସିବିଆଇରେ ଅଭିଯୋଗ କରାଯାଇଥିଲା । ଏହି ମାମଲାର ତଦନ୍ତ ଆରମ୍ଭ କରି ସିବିଆଇ ପକ୍ଷରୁ ଆଜି ସାରା ଦେଶରେ ପ୍ରାୟ ୫୦ଟି ସ୍ଥାନ ଉପରେ ଚଢଉ କରାଯାଇଥିଲା । ଏହା ମଧ୍ୟରେ ଆଇଡିବିଆଇ ବ୍ୟାଙ୍କର କେତେକ ପୂର୍ବତନ ଅଧିକାରୀଙ୍କ ବାସଭବନ ଅନ୍ତର୍ଭୁକ୍ତ । ଏହିସବୁ ସ୍ଥାନଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ, ମୁମ୍ବାଇ, ଫରିଦାବାଦ, ଚେନ୍ନାଇ, ବାଙ୍ଗାଲୋର, ବେଲଗାମ, ହାଇଦ୍ରାବାଦ, ଜୟପୁର ଓ ପୁନେ । ଶିବଶଙ୍କରନଙ୍କ ବିରୋଧରେ ସିବିଆଇ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ଓଦୁର୍ନୀତି ଅଭିଯୋଗ ଆରୋପ କରିଛି । ଦେଶରେ ଦିନକୁ ଦିନ ଅଧିକ ସଂଖ୍ୟକ ବ୍ୟାଙ୍କ ଠକେଇ ଦେଖାଦେଉଛି । ଗତ ଫେବ୍ରୁଆରୀ ମାସରେ ନିରବ ମୋଦି ଓ ତାପୂର୍ବରୁ ବିଜୟମାଲ୍ୟାଙ୍କ ମାମଲାରେ ସରକାରଲ ଅନେକ ସମୋଲଚନା ସହିବାକୁ ପଡିଥିଲା ।

ସମ୍ବନ୍ଧିତ ଖବର