ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ : ଓଡ଼ିଶାର ର‍୍ୟାଙ୍କ୍‌ ୧୪

ଆନ୍ଧ୍ର ପ୍ରଦେଶ ପ୍ରଥମ, ତେଲେଙ୍ଗାନା ଦ୍ୱିତୀୟ

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱବ୍ୟାଙ୍କ ଓ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଥିବା ୨୦୧୭ର ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ର‍୍ୟାଙ୍କିଙ୍ଗ୍‌ରେ ଓଡ଼ିଶାକୁ ୧୪ତମ ସ୍ଥାନ ମିଳିଛି। ଓଡ଼ିଶାର ମୋଟ ସ୍କୋର୍‌ ୯୨.୦୯% ରହିଛି। ଓଡ଼ିଶାକୁ ‘ଆଚିଭର୍ସ’ ବର୍ଗରେ ସ୍ଥାନ ମିଳିଛି। ବର୍ଷକ ଭିତରେ ଓଡ଼ିଶା ର‍୍ୟାଙ୍କିଙ୍ଗ୍‌ରେ ତିନି ପାହାଚ ଅବନତି ହୋଇଛି।
୨୦୧୫ରେ ଓଡ଼ିଶା ସପ୍ତମ ଓ ୨୦୧୬ରେ ୧୧ତମ ସ୍ଥାନରେ ଥିଲା। କ୍ରମାଗତ ତୃତୀୟ ବର୍ଷରେ ଓଡ଼ିଶାର ର‍୍ୟାଙ୍କିଙ୍ଗ୍‌ ହ୍ରାସ ପାଇଛି।
ସର୍ବଭାରତୀୟ ର‍୍ୟାଙ୍କିଙ୍ଗ୍‌ରେ ଆନ୍ଧ୍ର ପ୍ରଦେଶ ୯୮.୪୨% ସ୍କୋର୍‌ ସହିତ ପ୍ରଥମ ସ୍ଥାନରେ ଥିବା ବେଳେ ତେଲେଙ୍ଗାନା (୯୮.୩୩%) ଦ୍ୱିତୀୟ, ହରିୟାନା (୯୮.୦୭%) ତୃତୀୟ, ଝାଡ଼ଖଣ୍ଡ (୯୭.୯୯%) ଚତୁର୍ଥ ଓ ଗୁଜୁରାଟ (୯୭.୯୬%) ପଞ୍ଚମ ସ୍ଥାନରେ ରହିଛି। ଏହି ସବୁ ରାଜ୍ୟ ଟପ୍‌ ଆଚିଭର୍ସ ବର୍ଗରେ ରହିଛନ୍ତି। ମୋଟ ୯ଟି ରାଜ୍ୟଙ୍କୁ ଟପ୍‌ ଆଚିଭର୍ସ ବର୍ଗରେ ର‍୍ୟାଙ୍କିଙ୍ଗ ମିଳିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଉଛି ଛତିଶଗଡ଼, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ।
୨୦୧୫ରେ ଓଡ଼ିଶାର ନିୟମ ପାଳନ (କମ୍ପ୍ଲାଏନ୍ସ) ୫୨.୧୫ ଶତାଂଶ ଥିଲା। ବିଗତ ଦୁଇ ବର୍ଷ ଭିତରେ ସେଥିରେ ଜବରଦସ୍ତ ଉନ୍ନତି ହୋଇଛି। ୨୦୧୭ରେ ଓଡ଼ିଶାର ସ୍କୋର୍‌ ୯୨.୦୯%କୁ ବୃଦ୍ଧି ପାଇଛି।
ପ୍ରଥମ ୧୪ ର‍୍ୟାଙ୍କ୍‌ ଭିତରେ ଯେଉଁ ସବୁ ରାଜ୍ୟଗୁଡ଼ିକର ନାମ ରହିଛି ସେମାନଙ୍କ ସ୍କୋର୍‌ରେ ମାତ୍ର ୬%ର ଅନ୍ତର ରହିଛି। ଏଥିରୁ ଏହା ଜଣାପଡ଼ୁଛି ଯେ ଭଲ ର‍୍ୟାଙ୍କିଙ୍ଗ ପାଇବା ପାଇଁ ନିବେଶ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ଚାଲିଛି।
ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍‌ ର‍୍ୟାଙ୍କିଙ୍ଗ୍‌କୁ ଟପ୍‌ ଆଚିଭର୍ସ, ଆଚିଭର୍ସ, ଫାଷ୍ଟ୍‍ ମୁଭର୍ସ ଓ ଆସ୍ପାୟାର୍ସ ଭଳି ଚାରିଟି ବର୍ଗରେ ବିଭକ୍ତ କରାଯାଇଥାଏ। ଚଳିତ ବର୍ଷ ଟପ୍‌ ଆଚିଭର୍ସ ବର୍ଗରେ ୯ଟି ରାଜ୍ୟ, ଆଚିଭର୍ସ ବର୍ଗରେ ୬ଟି, ଫାଷ୍ଟ୍‍ ମୁଭର୍ସ ବର୍ଗରେ ତିନିଟି ଓ ଆସ୍ପୟାର୍ସ ବର୍ଗରେ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନାମ ରହିଛି।
ଅରୁଣାଞ୍ଚଳ ପ୍ରଦେଶ, ମେଘାଳୟ ଓ ଲାକ୍ଷାଦ୍ୱୀପକୁ କୌଣସି ସ୍କୋର୍‌ ପ୍ରଦାନ କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ, କିଛି ବର୍ଷ ଭିତରେ ଓଡ଼ିଶା ଏହାର ବ୍ୟବସାୟ ବାତାବରଣରେ ଅନେକ ସୁଧାର ଆଣିପାରିଛି। ବିଗତ ଚାରି ବର୍ଷ ଭିତରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ୧୧୮ଟି ପ୍ରକଳ୍ପ ମଞ୍ଜୁର ହୋଇଛି ଯାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧,୨୮,୫୭୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ରାଜ୍ୟରେ ପ୍ରକଳ୍ପ ଅନୁମୋଦନ ସମୟ ସୀମା ୨୦ ଦିନକୁ ହ୍ରାସ ପାଇଛି।
ନିବେଶ ବାତାବରଣରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ରାଜ୍ୟ ସ୍ତରୀୟ ଫାସିଲିଟେସନ୍‌ ସେଣ୍ଟର୍‌ ସ୍ଥାପନ କରିଥିବା ବେଳେ ନିବେଶକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କ୍ଷେତ୍ର ଭିତ୍ତିକ ନୋଡାଲ୍‌ ଅଫିସର୍‌ ନିଯୁକ୍ତ କରିଛନ୍ତି। ନିବେଶକଙ୍କ ପାଇଁ ବ୍ୟାପକ ସୁଯୋଗ ଥିବା ୬ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଦେଶରେ ରୋଡ୍‌ ସୋ’ ଆୟୋଜନ କରାଯାଉଛି। ଏଥି ସହିତ ନିବେଶକଙ୍କୁ ସବୁ ପ୍ରକାର ସୂଚନା ପ୍ରଦାନ କରିବା ନିମନ୍ତେ ଗୋ-ସ୍ୱିଫ୍ଟ ନାମକ ସିଙ୍ଗଲ୍‌ ଓ୍ଵିଣ୍ଡୋ ବ୍ୟବସ୍ଥା ପ୍ରଚଳନ କରାଯାଇଛି।

ସମ୍ବନ୍ଧିତ ଖବର