କେତେକ ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ କରାଯାଇପାରେ: ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶରେ ବ୍ୟାଙ୍କଗୁଡ଼ିକର ଅବସ୍ଥା ଏବେ ଭଲନାହିଁ । ବଢିଚାଲିଥିବା ଅନାଦେୟ ଋଣ ଓ ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଦେଶର ଅଧିକାଂଶ ରାଷ୍ଟ୍ରାୟତ ବ୍ୟାଙ୍କ ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । ଏ ପରିସ୍ଥିତିରେ ବ୍ୟାଙ୍କ ଘରୋଇକରଣ କଥା ଉଠୁଛି । କିଛିଦିନ ତଳେ ପୂର୍ବତନ ନିତିଆୟୋଗ ଉପାଧ୍ୟକ୍ଷ ଅରବିନ୍ଦ ପାନାଗାରିଆ ଏହା ସପକ୍ଷରେ ମତ ଦେଇଥିଲେ । ଏବେ ଷ୍ଟେଟ ବ୍ୟାଙ୍କ ଅଧ୍ୟକ୍ଷ ରଜନୀଶ କୁମାର ମଧ୍ୟ ଏହା ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ ଷ୍ଟେଟ ବ୍ୟାଙ୍କକୁ ଛାଡି ଅନ୍ୟ କେତୋଟି ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ କରିହେବ । ତେବେ ଏବେ ଏଥିପାଇଁ ଉପଯୁକ୍ତ ସମୟ ନୁହେଁ । ଘରୋଇକରଣ ପ୍ରକ୍ରିୟାକୁ ସଫଳ କରିବାକୁ ହେଲେ ବ୍ୟାଙ୍କ ଗୁଡ଼ିକୁ ସେଥିପାଇଁ ଯୋଗ୍ୟ ଓ ଆକର୍ଷଣୀୟ କରିବାକୁ ହେବ । ଏବେଠାରୁ ବ୍ୟାଙ୍କଗୁଡ଼ିକର ସ୍ଥିତିକୁ ସୁଧାରି ଦୁଇ ବର୍ଷ ପରେ ଘରୋଇକରଣ କରାଯାଇପାରେ । କିନ୍ତୁ ସବୁ ରାଷ୍ଟ୍ରାୟତ ବ୍ୟାଙ୍କର ଘରୋଇକରଣ କଲେ ସରକାରଙ୍କ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକ ପ୍ରଭାବିତ ହୋଇପାରେ । ଏଣୁ ଷ୍ଟେଟ ବ୍ୟାଙ୍କ ପରି କେତେକ ପ୍ରମୁଖ ବ୍ୟାଙ୍କକୁ ଛାଡି ଅନ୍ୟଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯାଇପାରେ ।

ଗତ ମାସରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ବ୍ୟାଙ୍କ ଘରୋଇକରଣ ଉପରେ ଚିନ୍ତା କରିବାର ସମୟ ଆସିଛି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର