‘ଗୋ ସ୍ୱିଫ୍ଟ’ରେ ୩୬୧୫ ସଂସ୍ଥା ସାମିଲ

ଭୁବନେଶ୍ୱର: ୨୦୧୭ ନଭେମ୍ବର ୧୬ରେ ଶିଳ୍ପଜଗତ ପାଇଁ ରାଜ୍ୟ ସରକାର ‘ଗୋ ସ୍ୱିଫ୍ଟ’ ନାମରେ ଏକ ପୋର୍ଟାଲ ଆରମ୍ଭ କରିଥିଲେ। ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ଏଭଳି ପୋର୍ଟାଲ ଏକ ମାଇଲଖୁଣ୍ଟ ହାସଲ କରିଛି। ଆରମ୍ଭ ହେବାର ୩୦ ଦିନ ମଧ୍ୟରେ ୩,୬୧୫ଟି ଶିଳ୍ପ ୟୁନିଟ୍‌ ଏହାର ପରିସରକୁ ଆସିଛନ୍ତି ବୋଲି ଶିଳ୍ପ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିବେଶକମାନଙ୍କୁ ସିଙ୍ଗଲ ଓ୍ଵିଣ୍ଡୋ ସୁବିଧା ଯୋଗାଇ ଦେବା ଏବଂ ସେହି କାର୍ଯ୍ୟର ନିରୀକ୍ଷଣ କରିବା ଲାଗି ଏହି ପୋର୍ଟାଲ ଖୋଲାଯାଇଛି।

ହୋଟେଲ ମେ ଫେୟାର ପରିସରରେ ଆଜି ଗୋ-ସ୍ୱିଫ୍ଟ ଉପରେ ଆୟୋଜିତ କର୍ମଶାଳା ଅବସରରେ ଏକ ସମ୍ବାଦିକ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ସୂଚନା ଦେଇଛନ୍ତି। ଆଗାମୀ ବର୍ଷଗୁଡ଼ିକରେ ରାଜ୍ୟରେ ଅଧିକ ସଂଖ୍ୟକ ପ୍ରଗତିଶୀଳ ସଂସ୍କାର ଆଣି ଦେଶ ବିଦେଶର ଅଧିକରୁ ଅଧିକ ନିବେଶକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। ଗୋ ସ୍ୱିଫ୍ଟର ଇନ୍‌ଫୋ-ଓ୍ଵିଜାର୍ଡ ଇଣ୍ଟରାକ୍ଟିଭ୍‌ ଟୁଲ୍‌କୁ ବ୍ୟବହାର କରି ନୂଆ ଶିଳ୍ପ ୟୁନିଟ୍‌ଗୁଡ଼ିକ ନିବେଶଯୋଗ୍ୟ ପ୍ରକଳ୍ପ, ମିଳିବାକୁ ଥିବା ପ୍ରୋତ୍ସାହନ ଓ ମଞ୍ଜୁରି ସମ୍ପର୍କିତ ଆବଶ୍ୟକୀୟ ସୂଚନା ପାଇପାରିବେ। ଗୋ ସ୍ୱିଫ୍ଟ ଉଦ୍ୟୋଗୀମାନଙ୍କୁ ସିଙ୍ଗଲ୍‌ ୱିଣ୍ଡୋ ଅଥରିଟି ନିକଟରୁ ଅନ୍‌ଲାଇନ୍‌ ମଞ୍ଜୁରି ଏବଂ ଇଡ୍‌କୋ ନିକଟରୁ ଜମି ପାଇବାରେ ସହାୟତା କରିବ। ଶିଳ୍ପ ୟୁନିଟ୍‌ଗୁଡ଼ିକ ଗୋ ସ୍ୱିଫ୍ଟ ମାଧ୍ୟମରେ ରାଜ୍ୟ ସରକାରଙ୍କ ୧୫ଟି ବିଭାଗର ୩୨ଟି ଜି୨ବି ସେବା ପାଇଁ ଆବେଦନ, ଅର୍ଥ ପଇଠ, ସେମାନଙ୍କ ଆବେଦନର ସ୍ଥିତିକୁ ଅନୁଧ୍ୟାନ କରିପାରିବେ। ଶିଳ୍ପ ବିଭାଗ ଆଗାମୀ ଦିନରେ ଗୋ ସ୍ୱିଫ୍ଟ ଅଧୀନକୁ ଅଧିକରୁ ଅଧିକ ସେବା ଆଣିବାକୁ କାର୍ଯ୍ୟପ୍ରକ୍ରିୟା ଆରମ୍ଭ କରିଛି ବୋଲି ସେ କହିଥିଲେ।

ପୁରୁଣା ଶିଳ୍ପ ୟୁନିଟ୍‌ଗୁଡ଼ିକ ମଧ୍ୟ ଏହି ପୋର୍ଟାଲ ଜରିଆରେ ଲାଇସେନ୍ସ ନବୀକରଣ ପାଇଁ ନିୟାମକ ଏଜେନ୍ସିକୁ ଆବେଦନ କରିପାରିବେ। ଏହାବାଦ୍‌ ନୂଆ ଏବଂ ପୁରୁଣା ଶିଳ୍ପ ୟୁନିଟ୍‌ଗୁଡ଼ିକ ଗୋ ସ୍ୱିଫ୍ଟ ବ୍ୟବହାର କରି ଶିଳ୍ପ ନୀତି-୨୦୧୫ ଜରିଆରେ ପ୍ରୋତ୍ସାହନ ଓ ମଞ୍ଜୂରି ପାଇଁ ମଧ୍ୟ ଆବେଦନ କରିପାରିବେ। ଏହି ଅବସରରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା, ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକ, ନିର୍ଦେଶକ ସ୍ମୃତିରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର