ଗୁଗୁଲ ତେଜର ନୂଆ ନାଁ ଗୁଗୁଲ ପେ : ଏହା ମାଧ୍ୟମରେ ଋଣ ବି ପାଇପାରିବେ

ନୂଆଦିଲ୍ଲୀ : ଆମ ଦେଶରେ ଲୋକମାନଙ୍କୁ ଆର୍ଥିକ ସେବା ଯୋଗାଇବାକୁ ଗୁଗୁଲ କେତେକ ନୂଆ ପଦକ୍ଷେପ ଘୋଷଣା କରିଛି । ଏହି ପଦକ୍ଷେପ ଅନୁଯାୟୀ ଗୁଗୁଲ ତେଜର ନାଁ ବଦଳାଯାଇ ଗୁଗୁଲ ପେ କରାଯାଇଛି । ଗୁଗୁଲ ପେ’ରେ ପୂର୍ବର ଗୁଗୁଲ ତେଜରେ ଥିବା ସବୁ ସୁବିଧା ମିଳିବ । କେବଳ ନାଁ ବଦଳିଥିଲେ ମଧ୍ୟ ଆପର ଡିଜାଇନ ଓ ୟୁଜର ଅଭିଜ୍ଞତା ସମାନ ରହିବ । ଏହା ଛଡ଼ା କେତେକ ନୂଆ ସେବା ମଧ୍ୟ ଆରମ୍ଭ କରାଯିବ । ଏହି ସେବା ମାଧ୍ୟମରେ ଗୁଗୁଲ ପେ ଅତି ଅଳ୍ପ ସମୟ ମଧ୍ୟରେ ବ୍ୟକ୍ତିଗତ ଋଣ ଯୋଗାଇପାରିବ । ଏହି ଋଣ ସେବା ପାଇଁ ଗୁଗୁଲ ୪ଟି ବ୍ୟାଙ୍କ ସହିତ ସହବନ୍ଧନ କରିଛି । ଏହି ୪ଟି ବ୍ୟାଙ୍କ ହେଲେ ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ଫେଡେରାଲ ବ୍ୟାଙ୍କ । ଆଜି ଆୟୋଜିତ ଗୁଗୁଲ ଫର ଇଣ୍ଡିଆ ଇଭେଣ୍ଟରେ ଏହି ଘୋଷଣା କରିଛି କମ୍ପାନି । ଏବେ ସାରାଦେଶରେ ପ୍ରାୟ ୧୨ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଗୁଗୁଲ ପେ ବ୍ୟବହାର କରୁଥିବାବେଳେ ଆସନ୍ତା ଦିପାବଳୀ ସୁଦ୍ଧା ତାହାକୁ ୧୫ ଲକ୍ଷକୁ ବୃଦ୍ଧି କରିବାକୁ କମ୍ପାନି ଲକ୍ଷ୍ୟ ରଖିଛି ।

ସମ୍ବନ୍ଧିତ ଖବର