ଶତ୍ରୁ ସମ୍ପତ୍ତି ବିକ୍ରିରୁ ମିଳିଲା ୭୦୦ କୋଟି

ନୂଆଦିଲ୍ଲୀ: ଶତ୍ରୁ ସମ୍ପତ୍ତି ବିକ୍ରିରୁ କେନ୍ଦ୍ର ସରକାର ୭୦୦ କୋଟି ଟଙ୍କା ଆୟ କରିଛନ୍ତି। ଯେଉଁ ଲୋକମାନେ ଭାରତ ଛାଡ଼ି ଚୀନ୍ କିମ୍ବା ପାକିସ୍ତାନରେ ବାସ କରୁଛନ୍ତି ସେମାନଙ୍କ ସମ୍ପତ୍ତିକୁ ଶତ୍ରୁ ସମ୍ପତ୍ତି କୁହାଯାଉଛି। ଶତ୍ରୁ ସମ୍ପତ୍ତି ବିକ୍ରି କରିବାକୁ ଗତବର୍ଷ ନଭେମ୍ବରରେ ଦୀପମ୍ ବିଭାଗକୁ ମଞ୍ଜୁରି ପ୍ରଦାନ କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ସେୟାରକୁ ପୁନର୍ବାର ଖରିଦ ଜରିଆରେ ସରକାର ମୋଟ ୧୦,୬୦୦ କୋଟି ଟଙ୍କା ହାସଲ କରିଛନ୍ତି। ଏଥି ସହିତ ପୁଞ୍ଜି ପ୍ରତ୍ୟାହାରକୁ ନେଇ ବଜେଟ୍‌ରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ତାହାକୁ ସରକାର ହାସଲ କରିନେଇଛନ୍ତି।୨୦୧୮-୧୯ ବଜେଟ୍‌ରେ ପୁଞ୍ଜିପ୍ରତ୍ୟାହାରରୁ ୮୦ ହଜାର କୋଟି ଟଙ୍କା ହାସଲ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ। କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ସରକାର ପୁଞ୍ଜି ପ୍ରତ୍ୟାହାରରୁ ବିପୁଳ ପରିମାଣର ଆୟ କରିଛନ୍ତି। ୨୦୧୭-୧୮ରେ ପୁଞ୍ଜି ପ୍ରତ୍ୟାହାର ଜରିଆରେ ସରକାର ୭୨,୫୦୦ କୋଟି ଟଙ୍କା ହାସଲ କରିଥିଲେ। ଆସନ୍ତା ଆର୍ଥିକ ବର୍ଷ (୨୦୧୯-୨୦)ରେ ପୁଞ୍ଜି ପ୍ରତ୍ୟାହାରରୁ ସରକାର ୯୦ ହଜାର କୋଟି ଟଙ୍କା ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ପାଞ୍ଚଟି କଂପାନିର ଆଇପିଓରୁ ସରକାର ୧୯୨୯ କୋଟି ଟଙ୍କା ମିଳିଥିଲା। କୋଲ୍‌ ଇଣ୍ଡିଆର ଓଏଫ୍‌ଏସ୍‌ରୁ ୫୨୧୮ କୋଟି ଟଙ୍କା ଏବଂ ଏକ୍ସିସ୍‌ ବ୍ୟାଙ୍କରେ ଥିବା ୟୁଟିଆଇର ସେୟାର ବିକ୍ରିରୁ ସରକାରଙ୍କୁ ୫୩୭୯ କୋଟି ଟଙ୍କା ମିଳିଛି। ଏହା ବ୍ୟତୀତ ପୁନଃ ଖରିଦରୁ ମଧ୍ୟ ସରକାର ୧୦,୬୦୦ କୋଟି ଟଙ୍କା ହାସଲ କରିଛନ୍ତି। ପୁନଃ ଖରିଦ ପ୍ରକ୍ରିୟାରେ ଓଏନ୍‌ଜିସି, ଆଇଓସି, କୋଲ୍ ଇଣ୍ଡିଆ, ଅଏଲ୍ ଇଣ୍ଡିଆ ଏବଂ ଏନ୍‌ଏଲ୍‌ସି ଭଳି ବଡ଼ ସରକାରୀ କଂପାନି ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର