ଭାରତରେ ଜିଏସ୍‌ଟି ସବୁଠୁ ଅଧିକ

 

ନୂଆଦିଲ୍ଲୀ: ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରଠାରୁ ଏହାକୁ ନେଇ ଚର୍ଚା କମୁନାହିଁ। ତରବରିଆ ଭାବେ ଜିଏସ୍‌ଟି ଲାଗୁ କରାଯାଇଥିବାରୁ କେତେକ ମହଲ ସରକାରଙ୍କୁ ତୀବ୍ର ସମାଲୋଚନା କରୁଥିବା ବେଳେ ଅନ୍ୟମାନେ ସମର୍ଥନ କରୁଛନ୍ତି।

ବିଶ୍ୱ ପାଇଁ ଜିଏସ୍‌ଟି ନୂଆ ନୁହେଁ। ବର୍ତମାନ ସୁଦ୍ଧା ପାଖାପାଖି ୧୬୦ଟି ଦେଶରେ ଜିଏସ୍‌ଟି ଲାଗୁ ହୋଇସାରିଲାଣି। ତେବେ ଭାରତର ୨୮% ଜିଏସ୍‌ଟି ହାର ସମଗ୍ର ବିଶ୍ୱରେ ସବୁଠୁ ଅଧିକ। ଉଦୀୟମାନ ଦେଶ ମଧ୍ୟରେ ୨୮% ଜିଏସ୍‌ଟି ସର୍ବାଧିକ। ଚୀନ୍‌ ଏବଂ ବ୍ରାଜିଲ୍‌ରେ ଅଧିକାଂଶ ସାମଗ୍ରୀ ଉପରେ ୧୭% ଏବଂ ୧୦% ଜିଏସ୍‌ଟି ଲାଗୁ କରାଯାଇଛି। ସେହିପରି ଫ୍ରାନ୍ସ, ଜର୍ମାନି ଏବଂ ବ୍ରିଟେନ୍‌ ଭଳି ବିକଶିତ ରାଷ୍ଟ୍ରରେ ଜିଏସ୍‌ଟି ହାର ୧୯%ରୁ ୨୦% ଭିତରେ ରହିଛି।

ନିକଟରେ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନ (ଓଇସିଡି) ପକ୍ଷରୁ ଜାରି କରାଯାଇଥିବା ତଥ୍ୟରେ କୁହାଯାଇଛି ଯେ ଓଇସିଡି ରାଷ୍ଟ୍ର ସମୂହରେ ଭାଟ୍‌/ଜିଏସ୍‌ଟି ହାର ୨୦-୨୨% ଭିତରେ ରହିଛି ଯାହା ଭାରତର ଜିଏସ୍‌ଟି ହାରଠାରୁ କମ୍‌। ଭାରତରେ ଚାରି ଥାକିଆ-୫%, ୧୨%, ୧୮% ଏବଂ ୨୮% ଜିଏସ୍‌ଟି ଲାଗୁ କରାଯାଇଛି। ନ୍ୟୁଜିଲ୍ୟାଣ୍ଡ୍‌ରେ ୧୯୮୬ରେ ଜିଏସ୍‌ଟି ୧୦% ହାରରେ ଲାଗୁ କରାଯାଇଥିଲା। ଏବେ ବିଭିନ୍ନ ପ୍ରକାର ସାମଗ୍ରୀ ଏବଂ ସେବା ଉପରେ ସେଠାରେ ୧୫% ଜିଏସ୍‌ଟି ଲାଗୁ କରାଯାଇଛି। ସେଠାରେ ବ୍ୟବସାୟୀମାନେ ମାସିକ, ଦ୍ୱିମାସିକ କିମ୍ବା ଛଅ ମାସରେ ଜିଏସ୍‌ଟି ରିଟର୍ଣ୍ଣ ଫାଇଲ୍‌ କରୁଛନ୍ତି। ଅଷ୍ଟ୍ରେଲିଆରେ ୨୦୦୦ ଜୁଲାଇ ୧ରେ ଜିଏସ୍‌ଟି ଲାଗୁ କରାଯାଇଥିଲା। ସେଠାକାର ବିଭିନ୍ନ ସାମଗ୍ରୀ ଏବଂ ସେବା ଉପରେ ୧୦% ଜିଏସ୍‌ଟି ଲାଗୁ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକା ହେଉଛି ଏକ ମାତ୍ର ବଡ଼ ରାଷ୍ଟ୍ର ଯେଉଁଠାରେ ଜିଏସ୍‌ଟି ଲାଗୁ କରାଯାଇନାହିଁ।

ବ୍ରାଜିଲ୍‌ରେ ୧୭-୧୮% ହାରରେ ଭାଟ୍‌ ଲାଗୁ କରାଯାଇଛି। କାନାଡାରେ ମଧ୍ୟ ଜିଏସ୍‌ଟି ଲାଗୁ ହୋଇଛି। ଏହା ବାଦ ସେଠାରେ କାନାଡା ସରକାର ନିଜସ୍ୱ ବିକ୍ରି କର ମଧ୍ୟ ଲାଗୁ କରିଛନ୍ତି। ସିଙ୍ଗାପୁରରେ ପ୍ରଥମେ ୩% ହାରରେ ଜିଏସ୍‌ଟି ଲାଗୁ କରାଯାଇଥିଲା। ଲାଗୁ ହେବାର ପରବର୍ତି ୫ ବର୍ଷ ପର୍ଯ୍ୟନ୍ତ ଟିକସ ହାରରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର