ଭାରତ ବାହାର ସର୍ଭରରୁ ଡାଟା ଉଡ଼ାଇବ ମାଷ୍ଟର୍‌କାର୍ଡ

ନୂଆଦିଲ୍ଲୀ: ଭାରତ ବାହାରେ ଥିବା ସର୍ଭରରୁ ଭାରତୀୟ ‌କାର୍ଡଧାରୀଙ୍କ ଡାଟା ଉଡ଼ାଇବ ବିଦେଶୀ ପେମେଣ୍ଟ ସେବା ପ୍ରଦାନକାରୀ କମ୍ପାନି ମାଷ୍ଟରକାର୍ଡ। ଏକ ନିର୍ଦ୍ଦି‌ଷ୍ଟ ତାରିଖରୁ ଏହି ତଥ୍ୟ ଉଡ଼ାଇବ ବୋଲି କମ୍ପାନି ଭାରତୀୟ ରିଜର୍ଭ ବ୍ୟାଙ୍କକୁ କହିଛି। କିନ୍ତୁ ଏହି ତଥ୍ୟ ଉଡ଼ାଇଲେ ଆଗାମୀ ଦିନରେ ବିପଦ ରହିଛି ବୋଲି କମ୍ପାନି ପକ୍ଷରୁ ସତର୍କ କରି ଦିଆଯାଇଛି। ଡାଟା ସୁରକ୍ଷାକୁ ଏହା ଦୁର୍ବଳ କରିଦେବ ଓ ଅନ୍ୟାନ୍ୟ ସମସ୍ୟା ଉପୁଜିବ ବୋଲି କୁହାଯାଇଛି। ଖବର ସରବରାହ ସଂସ୍ଥା ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ମାଷ୍ଟରକାର୍ଡର ଭାରତ ଓ ଦକ୍ଷିଣ ଏସିଆ ସଭାପତି ପୋରୁଷ୍ ସିଂହ କହିଛନ୍ତି, କମ୍ପାନି ୨୦୦ରୁ ଅଧିକ ଦେଶରେ ଏହାର ସେବା ଯୋଗାଉଛି। କିନ୍ତୁ କୌଣସି ଦେଶରେ କମ୍ପାନିକୁ ଏହାର ଗ୍ଲୋବାଲ ସର୍ଭରରୁ ଡାଟା ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ସେ କହିଛନ୍ତି। ଗତ ଏପ୍ରିଲରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ନିୟମ ଜାରି କରାଯାଇଥିଲା। ଅକ୍ଟୋବର ୧୬ରୁ ଡାଟା ସଂଗ୍ରହ ସଂକ୍ରାନ୍ତ ଏହି ନୂଆ ନିୟମ କାର୍ଯ୍ୟକାରୀ ହେଉଛି। ଏହି ନିୟମ ଅନୁଯାୟୀ ଭାରତୀୟମାନଙ୍କ ଆର୍ଥିକ କାରବାର ସଂକ୍ରାନ୍ତ ତଥ୍ୟକୁ ପେମେଣ୍ଟ କମ୍ପାନି ଗୁଡ଼ିକ ଭାରତ ଭିତରେ ସର୍ଭରରେ ରଖିବେ। ମାଷ୍ଟରକାର୍ଡର କହିବାନୁଯାୟୀ, ଭାରତରେ ହେଉଥିବା କାରବାର ସମ୍ପର୍କିତ ସମସ୍ତ ନୂଆ ତଥ୍ୟକୁ ଏବେ କମ୍ପାନିର ପୁନେସ୍ଥିତ ଟେକ୍ନୋଲୋଜି ସେଣ୍ଟରଠାରେ ରଖାଯାଉଛି। ପୂର୍ବର ଡାଟାକୁ ଏକ ନିର୍ଦ୍ଦିଷ୍ଟ ତାରିଖଠାରୁ ଉଡ଼ାଇବା ପାଇଁ କମ୍ପାନି ରିଜର୍ଭ ବ୍ୟାଙ୍କକୁ ପ୍ରସ୍ତାବ ଦେଇଛି। କିନ୍ତୁ ଏଭଳି ପଦକ୍ଷେପର ପରିଣାମକୁ ନେଇ ଚିନ୍ତିତ ଅଛି। ସିଂହ କହିଛନ୍ତି, ଡାଟା ଡିଲିଟ୍ କରିବା ଏକ ସହଜ କାର୍ଯ୍ୟ ନୁହେଁ। ବଟନ୍ ଦାବିଦେଲେ ଏହା ହୋଇଯିବ ନାହିଁ। ଏତଦବ୍ୟତୀତ ଗ୍ରାହକମାନେ ମଧ୍ୟ ଅଭିଯୋଗ ଆଣିପାରନ୍ତି। ଅନେକ ସଂସ୍ଥାକୁ ଏଥିପାଇଁ ସାମିଲ କରିବାକୁ ହେବ।

ସମ୍ବନ୍ଧିତ ଖବର