ସବୁଠୁ ମହଙ୍ଗା ବିବାହ ବିଚ୍ଛେଦ, ପତ୍ନୀଙ୍କୁ ଗଣିବେ ଅଢ଼େଇ ଲକ୍ଷ କୋଟି

ନୂଆଦିଲ୍ଲୀ: ବିଶ୍ବର ଏକ ନମ୍ବର ଧନୀ ତଥା ଆମାଜନ୍‌ର ମୁଖ୍ୟ ଜେଫ୍ ବେଜୋସ୍‌ ଓ ତାଙ୍କ ପତ୍ନର ମାକେଞ୍ଜି ବେଜୋସ୍‌ ବିବାହ ବିଚ୍ଛେଦ ପାଇଁ ରାଜି ହୋଇଛନ୍ତି। ଆପୋଷ ବୁଝାମଣା ଅନୁସାରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। କୋର୍ଟଙ୍କ ରାୟ ଆସିବା‌ର ୯୦ ଦିନ ପରେ ସେମାନେ ଆନୁଷ୍ଠାନିକ ଭାବେ ଅଲଗା ହୋଇଯିବେ। ଭରଣପୋଷଣ ବାବଦରେ ନିଜ ପୂର୍ବତନ ପତ୍ନୀ ମାକେଞ୍ଜିଙ୍କୁ ବେଜୋସ୍‌ ଅଢ଼େଇ ଲକ୍ଷ କୋଟି ଟଙ୍କା ପ୍ରଦାନ କରିବେ। ଏହି ଅର୍ଥରାଶି ମିଳିବା ପରେ ମାକେଞ୍ଜି ବିଶ୍ବର ଚତୁର୍ଥ ଧନୀ ମହିଳା ଭାବେ ଉଭା ହେବେ। ତେବେ ବିବାହ ବିଚ୍ଛେଦ ପରେ ଆମାଜନରେ ବେଜୋସ୍‌ଙ୍କ ପତିଆରା କମିଯିବ ବୋଲି ଯେଉଁ ଆଶଙ୍କା ଥିଲା ତାହା ଦୂର ହୋଇଯାଇଛି। କଂପାନିରେ ବେଜୋସ୍‌ଙ୍କ ଭୋଟିଂ ଅଧିକାର ପୂର୍ବଭଳି ରହିବ। ତାଙ୍କ ପାଖରେ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତିର ମୁକୁଟ ମଧ୍ୟ ରହିବ। ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଜେଫ୍‌ଙ୍କ ପାଖରେ ଥିବା ଅଂଶଧନର ୨୫% ମାକେଞ୍ଜିଙ୍କୁ ମିଳିବ। ଏହା ଆମାଜନ୍‌ର ୪% ଅଂଶଧନ ସହ ସମାନ। ‌ତେବେ ସେହି ସେୟାର ଉପରେ ଭୋଟିଂ ଅଧିକାର ବେଜୋସ୍‌ଙ୍କ ପାଖରେ ରହିବ। ବେଜୋସ୍‌ ଦମ୍ପତ୍ତିଙ୍କ ବିଚ୍ଛେଦକୁ ଦୁନିଆର ସବୁଠୁ ମହଙ୍ଗା ବିବାହ ବିଚ୍ଛେଦ ଭାବେ ବିବେଚନା କରାଯାଉଛି। ବିବାହ ବିଚ୍ଛେଦ ବୁଝାମଣା ପରେ ମେକେଞ୍ଜି କହିଛନ୍ତି ଯେ, ୱାସିଂଟନ ପୋଷ୍ଟ, ଆମାଜନ୍ ଏବଂ ବ୍ଲୁ ଆରିଜନ୍‌ରେ ଥିବା ଅଂଶଧନ ଏବଂ ଆମାଜନ୍‌ରେ ଥିବା ଭୋଟିଂ ଅଧିକାରକୁ ଛାଡ଼ି ମୁଁ ବହୁତ ଖୁସି। ଏହି ସବୁ କଂପାନି ଆଗକୁ ଯେଭଳି ଠିକ୍ ଢଙ୍ଗରେ ପରିଚାଳିତ ହେବ ତାହା ନିଶ୍ଚିତ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ନିଜ ଅତୀତ ପାଇଁ ମୁଁ କୃତଜ୍ଞ ଥିବା ବେଳେ ଭବିଷ୍ୟତ ଯୋଜନାକୁ ନେଇ ବେଶ ରୋମାଞ୍ଚିତ ଅଛି। ବେଜୋସ୍‌ ଓ ମାକେଞ୍ଜି ୯୦ ଦଶକରେ ବିବାହ କରିଥିଲେ ଏବଂ ୨୫ ବର୍ଷ ପର୍ଯ୍ୟନ୍ତ ଦାମ୍ପତ୍ୟ ଜୀବନ ବିତାଇଥିଲେ। ଏକ ଟାବ୍‌ଲଏଡ୍‌ରେ ଅନ୍ୟ ଜଣେ ମହିଳାଙ୍କ ସହ ବେଜୋସ୍‌ଙ୍କ ଫଟୋ ଭାଇରାଲ୍‌ ହେବା ପରେ ମାକେଞ୍ଜି ତାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଜାନୁଆରିରେ ଟ୍ବିଟର୍‌ ଜରିଆରେ ଦୁହେଁ ବିବାହ ବିଚ୍ଛେଦ ବିଷୟରେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର