ବିଦେଶକୁ ରପ୍ତାନି ହେବ ଓଡ଼ିଶା ତୁଳା

ବୟନଶିଳ୍ପରେ ବିନିଯୋଗ ହେବ ୧୩୭ କୋଟି

ଭୁବନେଶ୍ବର: ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮’ର ତୃତୀୟ ଦିବସରେ ଆଜି ହସ୍ତତନ୍ତ ଓ ବୟନ ଶିଳ୍ପ କ୍ଷେତ୍ରରେ ତିନିଟି କଂପାନି ମୋଟ ୧୩୭ କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବାର ପ୍ରସ୍ତାବ ଦେଇଛନ୍ତି। ଏହା ଫଳରେ ଆସନ୍ତାବର୍ଷଠାରୁ ଓଡ଼ିଶାର ୬,୫୦୦ ଓଡ଼ିଆ ଯୁବକ, ଯୁବତୀ ପ୍ରତ୍ୟକ୍ଷ ନିଯୁକ୍ତି ପାଇପାରିବେ ବୋଲି ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ସୂଚନା ଦେଇଛନ୍ତି। ସାହି ଏକ୍ସପୋର୍ଟ କଂପାନି ୫୧ କୋଟି, ଆଦିତ୍ୟ ବିର୍ଲା ଫ୍ୟାସନ୍‌ (ପାଣ୍ଟାଲୁନ୍ସ) ୬୬ କୋଟି ଏବଂ ୱାଇଲ୍‌ଡ ଲୋଟସ ଫ୍ୟାସନ୍‌ ୨୦ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଜି ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ରଖିଛନ୍ତି। ସୂଚନାଯୋଗ୍ୟ, ସାହି ଏକ୍ସପୋର୍ଟ ପୂର୍ବରୁ ରାଜ୍ୟ ସରକାରଙ୍କ ସହ ଚୁକ୍ତି ସ୍ବାକ୍ଷରିତ କରିଥିଲା ଏବଂ ଚୁକ୍ତି ଅନୁସାରେ, ବର୍ତ୍ତମାନ ରାଜ୍ୟର ୨,୫୦୦ ଯୁବକ, ଯୁବତୀ ନିଯୁକ୍ତି ପାଇ ସାରିଛନ୍ତି। ଏବର୍ଷ ସାହି ଏକ୍ସପୋର୍ଟ ନିଜର ବ୍ୟାବସାୟିକ କାରବାରକୁ ବୃଦ୍ଧି କରିବା ଲକ୍ଷ୍ୟରେ ଆଉ ଅଧିକ ୫୧ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ପ୍ରସ୍ତାବ ଦେଇଛି ବୋଲି ମନ୍ତ୍ରୀ ଶ୍ରୀମତୀ ଛୁରିଆ କହିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷରେ ଓଡ଼ିଶାରେ ବାର୍ଷିକ ୨୦ ଲକ୍ଷ କ୍ବିଣ୍ଟାଲ୍‌ କପାତୁଳା ଉତ୍ପାଦନ କରାଯାଇଥିବାବେଳେ ଚଳିତବର୍ଷଠାରୁ ବାଂଲାଦେଶ ଓ ସାଂଘାଇକୁ ତୁଳା ରପ୍ତାନି କରାଯିବ ବୋଲି ହସ୍ତତନ୍ତ ଓ ବୟନଶିଳ୍ପ ସଚିବ ଶୁଭା ଶର୍ମା ସୂଚନା ଦେଇଛନ୍ତି। ଓଡ଼ିଶାରେ ଟେକ୍ଟାଇଲ୍‌ ପାର୍କ ପ୍ରତିଷ୍ଠା ପାଇଁ ଇଡ୍‌କୋ ମାଧ୍ୟମରେ କଟକ ଜିଲ୍ଲାର ରାମଦାସପୁର, ଭଦ୍ରକ ଓ ଖୋ‌ର୍ଦ୍ଧାର ଛତାବରଠାରେ ଜମି ଅଧିଗ୍ରହଣ କରାଯାଇଛି। ‘ଓଡ଼ିଶା ଆପାରେଲ୍‌ ପଲିସି-୨୦୧୬’ ମାଧ୍ୟମରେ ହସ୍ତତନ୍ତ, ଗାର୍ମେଣ୍ଟ, ଓ ବୟନଶିଳ୍ପ ବିଶେଷଭାବେ ଉପକୃତ ହୋଇପାରିଛି ବୋଲି ଶ୍ରୀମତୀ ଶର୍ମା କହିଥିଲେ। ‘ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ-୨୦୧୮’ର ଆଜି ବୈତରଣୀ ହଲ୍‌ ପରିସରରେ ‘ଓଡ଼ିଶା: ଏ ହବ୍‌ ଫର୍‌ ଭାଲ୍ୟୁ ଆଡେଡ୍‌ ଟେକ୍ସଟାଇଲ୍‌’ ଶୀର୍ଷକ ଅଧିବେଶନରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋତି ଆପାରେଲ୍‌ର ପରିଚାଳନା ନିର୍ଦ୍ଦେଶକ ଏଚ୍‌.କେ.ଏଲ୍‌. ମାଗୁ, ସିଆଇଟିଆଇ(କନ୍‌ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଟେକ୍ସଟାଇଲ୍‌ ଇଣ୍ଡଷ୍ଟ୍ରି)ର ଅଧ୍ୟକ୍ଷ ସଞ୍ଜୟ କୁମାର ଜୈନ, ଫିକି ଅଧ୍ୟକ୍ଷ ଶିଶିର ଜଇପୁରିଆ, ଆଇଏସ୍‌ସି କଣ୍ଟ୍ରି ହେଡ଼୍‌ ସୁନିଲ ସେବକରମାନି, ଅନ୍ତର୍ଜାତୀୟ ଫ୍ୟାସନ ଡିଜାଇନର ବିଭୁ ମହାପାତ୍ର, ଆଇଓସିଏଲ୍‌ ସିଜିଏମ୍‌ ଅଜିତ୍ କୁମାର, ହସ୍ତତନ୍ତ ଓ ବୟନ ଶିଳ୍ପ ନିର୍ଦ୍ଦେଶକ ଏସ୍‌.କେ. ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର