୫୦ କୋଟିରୁ ଅଧିକ ଋଣ ନେଲେ ପାସପୋର୍ଟ ବିବରଣୀ ଦେବାକୁ ପଡିବ

ନୂଆଦିଲ୍ଲୀ : ବ୍ୟାଙ୍କମାନଙ୍କଠାରୁ କୋଟି କୋଟି ଟଙ୍କାର ଋଣ ନେଇ ବିଦେଶ ପଳାଉଥିବା ଠକମାନଙ୍କୁ ରୋକିବାକୁ ସରକାର ଆଉ ଏକ ପଦକ୍ଷପ ନେଇଛନ୍ତି । ଏଣିିକି ୫୦ କୋଟିରୁ ଅଧିକ ଟଙ୍କାର ଋଣ ନେଲାବେଳେ ପାସପୋର୍ଟ ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ପୂର୍ବରୁ ୫୦ କୋଟିରୁ ଅଧିକ ପରିମାଣରେ ଋଣ ନେଇସାରିଛନ୍ତି ସେମାନଙ୍କ ପାସପୋର୍ଟ ବିବରଣୀ ୪୫ ଦିନ ମଧ୍ୟରେ ସଂଗ୍ରହ କରିବାକୁ ବ୍ୟାଙ୍କମାନଙ୍କୁ କୁହାଯାଇଛି । ଋଣ ନେଇଥିବା ବ୍ୟକ୍ତି ଋଣ ନ ସୁଝି ବିଦେଶ ପଳାୟନ କରିବା ଭଳି ସଂଦେହ ଉପୁଜିଲେ ବ୍ୟାଙ୍କମାନେ ଏସବୁ ତଥ୍ୟ ସିବିଆଇ, ପୁଲିସ, ବା ଇଡି ଆଦି ବିଭାଗକୁ ପ୍ରଦାନ କରିପାରିବେ ବୋଲି ଅର୍ଥ ସେବା ସଚିବ ରାଜୀବ କୁମାର କହିଛନ୍ତି । ଗତ ମାସରେ ମଧ୍ୟ ଅର୍ଥମନ୍ତ୍ରାଳୟ ପକ୍ଷରୁ ଏଭଳି ଆଉ ଏକ ପଦକ୍ଷେପ ନିଆଯାଇଥିଲା । ଏହା ଅନୁସାରେ ୫୦ କୋଟି ଟଙ୍କାରୁ ଅଧିକ ପରିମାଣର ଅନାଦେୟ ଋଣ, ଇଚ୍ଛାକୃତ ଋଣଖିଲାପ ମାମଲା ବାବଦରେ ତଦନ୍ତ କରି ସିବିଆଇକୁ ଜଣାଇବାକୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକସ୍ଥଳେ ଇଡି, ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଓ ଆର୍ଥିକ ଗୁଇନ୍ଦା ସଂସ୍ଥାର ସାହାଯ୍ୟ ନେବାକୁ ମଧ୍ୟ ବ୍ୟାଙ୍କମାନଙ୍କୁ କୁହାଯାଇଛି । ବ୍ୟାଙ୍କମାନଙ୍କର ମୁଖ୍ୟ ସତର୍କତା ଅଧିକାରୀ ଏସବୁ ତଦନ୍ତରେ ସିବିଆଇକୁ ସହଯୋଗ କରିବେ । ଦେଶର ବ୍ୟାଙ୍କ ଗୁଡ଼ିକରେ ଠକେଇ ଓ ଅନାଦେୟ ଋଣ ପରିମାଣ ବଢିଚାଲିଥିବାରୁ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏସବୁ ପଦକ୍ଷେପ ନେଉଛନ୍ତି ।

ସମ୍ବନ୍ଧିତ ଖବର