ନିର୍ମଳାଙ୍କ ବଜେଟ୍‌ରୁ ଆଶା, ଆୟକର ସ୍ଲାବ୍ ବଢ଼ିପାରେ

ନୂଆଦିଲ୍ଲୀ: ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ୧ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଆଗତ କରିବେ। ନିର୍ମଳାଙ୍କ ପେଡ଼ିରୁ କ’ଣ ବାହାରିବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। କିଛିଦିନ ପୂର୍ବରୁ ଅର୍ଥମନ୍ତ୍ରୀ ବ୍ୟକ୍ତିଗତ ଆୟକରରେ ସଂସ୍କାର ଆସିବ ବୋଲି କହିଥିବାରୁ ବଜେଟ୍‌ରେ ଆୟକର ହାର ହ୍ରାସ ପାଇବ ବୋଲି ଆଶା ଉଜ୍ଜୀବିତ ରହିଛି। ତେବେ ଏହା କେତେମାତ୍ରାରେ ସମ୍ଭବ ହେବ ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ଏପରିକି ଅର୍ଥନୀତିର ସ୍ଥିତି ଖରାପ ଥିବାରୁ ବର୍ତ୍ତମାନ ଆୟକର ହ୍ରାସର ସମୟ ନୁହେଁ ବୋଲି କେତେକ ବିଶେଷଜ୍ଞ ମତ ଦେଉଛନ୍ତି।

ଗତ ସେପ୍ଟେମ୍ବରରେ ସରକାର ଉଦ୍ୟୋଗ ଜଗତକୁ ବଡ଼ ଧରଣର ରିହାତି ଦେଇଥିଲେ। କମ୍ପାନି ଟିକସରେ ବ୍ୟାପକ ହ୍ରାସ ଘୋଷଣା କରିଥିଲେ। ଏ ବାବଦରେ ସରକାରଙ୍କୁ ପାଖାପାଖି ୧ ଲକ୍ଷ ୪୫ ହଜାର କୋଟି ଟଙ୍କାର ରାଜସ୍ବ ହରାଇବାକୁ ପଡ଼ିଛି। ତେଣୁ ଆୟକର ହ୍ରାସକରି ସରକାର ଆଉ ଅଧିକ ବୋଝ ନନେଇ ପାରନ୍ତି ବୋଲି କୁହାଯାଉଛି। ଚଳିତମାସ ୧୫ ତାରିଖ ସୁଦ୍ଧା ଗତବର୍ଷ ତୁଳନାରେ ଚଳିତବର୍ଷରେ ପ୍ରତ୍ୟକ୍ଷ ଟିକସ ଆଦାୟ ରାଶି ମଧ୍ୟ ୫ ପ୍ରତିଶତ କମ୍ ରହିଛି। ତେଣୁ ସରକାର ଯଦି ଆୟକରରେ ଅଧିକ ରିହାତି ପ୍ରଦାନ କରନ୍ତି ତାହେଲେ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ। ବରଂ ଆୟକର ରିହାତି ଦେବା ପରିବର୍ତ୍ତେ ସରକାର ଅଧିକ ପ୍ରଭାବୀ ଢଙ୍ଗରେ ଆୟକର ଆଦାୟ କରିବା ଉପରେ ଗୁରୁତ୍ବ ଦେଇପାରନ୍ତି। ଏହାବ୍ୟତୀତ ଦେଶରେ ଜିଏସଟି ଆଦାୟ ରାଶି ବୃଦ୍ଧି ପାଇଲେ ସରକାର ବ୍ୟକ୍ତିଗତ ଆୟକରରେ ରିହାତି ଦେବାଲାଗି ଆଗ୍ରହ ପ୍ରକାଶ କରିପାରନ୍ତି। ଆୟକର ଛାଡ଼ ସୀମା ଏବେ ଅଢ଼େଇ ଲକ୍ଷ ଟଙ୍କା ରହିଛି। ଏହାପରେ ଅଢ଼େଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ବିଭିନ୍ନ ରିହାତି ନେବାର ସୁବିଧା ରହିଛି। ଫଳରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନେ ଆୟକରରୁ ଛାଡ଼ ପାଇ ଯାଇପାରୁଛନ୍ତି। କିନ୍ତୁ ଅନ୍ୟ ଏକ ମହଲର କହିବାନୁଯାୟୀ, ଅର୍ଥମନ୍ତ୍ରୀ ବଜେଟରେ ବେତନଭୋଗୀ ଏବଂ ଆୟକରଦାତାଙ୍କୁ ରିହାତି ଦେଇପାରନ୍ତି। ଅଢ଼େଇ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିମାନଙ୍କ ଠାରୁ ୫% ହାରରେ ଆୟକର ଆଦାୟ କରାଯାଇପାରେ। ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଠାରୁ ୧୦%, ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦%, ୨୦ ଲକ୍ଷରୁ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୩୦ ପ୍ରତିଶତ ଏବଂ ୧୦ କୋଟିରୁ ଅଧିକ ଆୟକରୁଥିବା ବ୍ୟକ୍ତିଙ୍କ ଠାରୁ ୩୫ ପ୍ରତିଶତ ହାରରେ ଆୟକର ଆଦାୟ କରାଯାଇପାରେ। ତେଣୁ ନିର୍ମଳା ଆଗାମୀ ବଜେଟରେ ଆୟକର ସ୍ଲାବ୍ ସଂଖ୍ୟାକୁ ବଢ଼ାଇପାରନ୍ତି ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର