ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି ପେଟ୍ରୋଲ, ଡିଜେଲ ଦର !

ନୂଆଦିଲ୍ଲୀ : ଗତ ଅଗଷ୍ଟ ୧୬ ପରଠାରୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି  । ଦେଶର ବୃହତ୍ତମ ତୈଳ ମାର୍କେଟିଂ କମ୍ପାନି ଇଣ୍ଡିଆନ ଅଏଲ ଆଜି ପେଟ୍ରୋଲ ଲିଟର ପିଛା ୧୬ ପଇସା ଓ ଡିଜେଲ ଲିଟର ପିଛା ୨୧ ପଇସା ବୃଦ୍ଧି  କରିଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଦର ୭୮ ଟଙ୍କା ୬୬ ପଇସା ଓ ଡିଜେଲ ଦର ୭୦ ଟଙ୍କା ୪୨ ପଇସାକୁ ବୃଦ୍ଧି ପାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୮୬ ଟଙ୍କା ୦୯ ପଇସା  ଓ ଡିଜେଲ ୭୪ ଟଙ୍କା ୭୬ ପଇସାରେ ପହଞ୍ଚିଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୬ ଟଙ୍କା ୫୫ ପଇସା ଓ ଡିଜେଲ ୭୫ ଟଙ୍କା ୫୫ ପଇସାରେ ପହଞ୍ଚିଛି । ତେବେ ରାଜ୍ୟ ଭାଟ୍‌ ଦୃଷ୍ଟିରୁ ଏହି ଦରରେ ସାମାନ୍ୟ ତାରତମ୍ୟ ହୋଇପାରେ । ମୁମ୍ବାଇରେ ସର୍ବାଧିକ ଭାଟ (ଲିଟର ପିଛା ଟ. ୩୯.୧୨) ସଂଗ୍ରହ କରାଯାଉଥିବାରୁ ସେଠାରେ ଦର ସବୁଠାରୁ ଅଧିକ ରହିଛି । ମୁଖ୍ୟତଃ ଦୁଇଟି କାରଣରୁ ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏ ହେଉଛି ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ଓ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇ ୭୧ ରେ ପହଞ୍ଚିବା ।  ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ (ଇଣ୍ଡିଆନ ବାସ୍କେଟ୍‌)ର ମୂଲ୍ୟ  ୭୪. ୭୫ ଡଲାରକୁ ବୃଦ୍ଧି ପାଇଛି । ଏସବୁ ଦୃଷ୍ଟିରୁ ଦେଖିଲେ ନିକଟ ଭବିଷ୍ୟତରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ନାହିଁ କହିଲେ ଚଳେ ।

ସମ୍ବନ୍ଧିତ ଖବର