ସୁପ୍ରିମକୋର୍ଟଙ୍କ ରାୟ ପରେ ଘରୋଇ କର୍ମଚାରୀଙ୍କ ପେନ୍‌ସନ୍‌ ବଢ଼ିଲା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ଘରୋଇ କ୍ଷେତ୍ରରେ କାମ କରିିଥିବା କର୍ମଚାରୀଙ୍କ ପେନ୍‌ସନ୍‌ ବୃଦ୍ଧି ପାଇଛି। ହରିଆନା ଟୁରିଜିମ୍‌ କର୍ପୋରେସନ୍‌ରେ ପ୍ରବୀଣ କୋହଲି ନାମକ ଜଣେ ବ୍ୟକ୍ତି କାମ କରୁଥିଲେ। ନିଜ ଚାକିରି ଜୀବନ କାଳରେ ଯେତିକି ଟଙ୍କାର ଦରମା ତାଙ୍କୁ ମିଳିନଥିଲା ତା’ଠାରୁ ଢ଼େର ଅଧିକ ଗୁଣ ସେ ପେନ୍‌ସନ୍‌ ପାଉଛନ୍ତି। ନଭେମ୍ବର ପୂର୍ବରୁ କୋହଲିଙ୍କ ପେନ୍‌ସନ୍‌ ପରିମାଣ ୨୩୭୨ ଟଙ୍କା ଥିଲା। ନଭେମ୍ବର ପହିଲା ପରଠାରୁ ତାହା ୩୦,୫୯୨ ଟଙ୍କା ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଯୋଗୁଁ ଏହା ସମ୍ଭବ ହୋଇଛି।
୨୦୧୬ ଅକ୍ଟୋବରରେ ସୁପ୍ରିମକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ୧୨ ଜଣ ଆବେଦନକାରୀଙ୍କ ‘କର୍ମଚାରୀ ପେନ୍‌ସନ୍‌ ସ୍କିମ୍‌ (ଇପିଏସ୍‌)ରେ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)କୁ ନିର୍ଦେଶ ଦେଇଥିଲେ।

ଘରୋଇ କ୍ଷେତ୍ରରେ କାମ କରୁଥିବା ସମସ୍ତ କର୍ମଚାରୀ ନିଜ ବେସିକ୍‌ ସାଲାରି (ମୂଳ ବେତନ) ଏବଂ ମହଙ୍ଗା ଭତ୍ତାର ୧୨% ଇପିଏଫ୍‌ ଖାତାରେ ଜମା କରିଥାନ୍ତି। ଏହା ବାଦ ସେତିକି ପରିମାଣର ଟଙ୍କା ନିଯୁକ୍ତିଦାତା ସେହି ଖାତାରେ ଜମା କରନ୍ତି। ନିଯୁକ୍ତିଦାତା ଯେଉଁ ଅଂଶଦାନ ପ୍ରଦାନ କରନ୍ତି ତାହାର ୮.୩୩% ଟଙ୍କା ଇପିଏସ୍‌ ଖାତାକୁ ଚାଲିଯାଏ। କର୍ମଚାରୀ ଜଣକ ଯଦି ଚାକିରି ଛାଡ଼ିଦିଅନ୍ତି ଏବଂ ଇପିଏଫ୍‌ ଖାତାରେ ଥିବା ଟଙ୍କା ଉଠାଣ କରନ୍ତି ତେବେ ତାଙ୍କୁ ଇପିଏସ୍‌ରେ ଥିବା ଟଙ୍କା ମିଳେନାହିଁ। ଏହି ଅର୍ଥ କେବଳ ଅବସର ଗ୍ରହଣ କରିବା ପରେ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।ଇପିଏସ୍‌ରେ ଯୋଗଦାନ ଦେବାର ଏକ ସୀମା ରହିଛି। ବତ୍ତର୍ମାନ ଏହି ସୀମା ମାସିକ ୧୫ ହଜାର ଟଙ୍କା ରହିଛି। ତେଣୁ ଘରୋଇ କ୍ଷେତ୍ରରେ କାମ କରୁଥିବା ଯେ କୌଣସି ବ୍ୟକ୍ତି ୧୫୦୦୦ ଟଙ୍କାର ୮.୩୩% ଅର୍ଥାତ ଅତିବେଶିରେ ୧୨୫୦ ଟଙ୍କା ଇପିଏସ୍‌ରେ ଜମା ପରିପାରୁଛନ୍ତି। ୨୦୦୧ରୁ ୨୦୧୪ ପର୍ଯ୍ୟନ୍ତ ଇପିଏସ୍‌ରେ ଯୋଗଦାନର ସୀମା ୬୦୦୦ ଟଙ୍କା ଥିଲା। ସେତେବେଳେ ମାସକୁ ସର୍ବାଧିକ ୫୪୧.୪ ଟଙ୍କା ଇପିଏସ୍‌ ଯୋଗଦାନ ପ୍ରଦାନ କରାଯାଉଥିଲା। ୨୦୦୧ ପୂର୍ବରୁ ଏହି ସୀମା ମାସିକ ୫୦୦୦ ଟଙ୍କା ଥିଲା। ଅର୍ଥାତ ସେହି ସମୟରେ ଇପିଏସ୍‌ରେ ମାସକୁ ୪୧୬.୫ ଟଙ୍କା ହୋଇପାରୁଥିଲା।

୨୦୦୫ରେ ଅନେକ ଘରୋଇ କ୍ଷେତ୍ରର କର୍ମଚାରୀ ଇପିଏଫ୍‌ଓ ସହିତ ଯୋଗାଯୋଗ କରି ଇପିଏସ୍‌ ଯୋଗଦାନ ଉପରେ ଯେଉଁ ସୀମା ଧାର୍ଯ୍ୟ କରାଯାଇଛି ତାହାକୁ ହଟାଇବାକୁ ଅନୁରୋଧ କରିଥିଲେ। ମାତ୍ର ଇପିଏଫ୍‌ଓ ସେମାନଙ୍କ ଦାବିକୁ ଖାରଜ କରିଦେଇଥିଲେ। ୧୯୯୬ରେ ହୋଇଥିବା ସଂଶୋଧନର ଛଅ ମାସ ଭିତରେ ଏଭଳି ଦାବି କରାଯିବାର ଥିଲା ବୋଲି ଇପିଏଫ୍‌ଓ ପକ୍ଷରୁ କୁହାଯାଇଥିଲା।

ଏହା ବାଦ ଇପିଏଫ୍‌ଓ ବିରୋଧରେ ବିଭିନ୍ନ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ୨୦୧୬ ଭିତରେ ଗୋଟିଏ ହାଇକୋର୍ଟକୁ ବାଦ ଦେଲେ ଅନ୍ୟ ସବୁ ହାଇକୋର୍ଟ ଇପିଏଫ୍‌ଓର ନିଷ୍ପତ୍ତି ବିରୋଧରେ ରାୟ ଦେଇଥିଲେ। ଛଅ ମାସର ସମୟ ସୀମା ମନମାନି ଥିଲା ଏବଂ କର୍ମଚାରୀମାନଙ୍କୁ ସେମାନଙ୍କ ପେନ୍‌ସନ୍‌ ଯୋଗଦାନ ବଢ଼ାଇବାର ଅନୁମତି ପ୍ରଦାନ କରାଯିବା ଉଚିତ ବୋଲି କୋର୍ଟ କହିଥିଲେ। ଏହା ବାଦ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା। ଦୁଇ ଥର ଶୁଣାଣି ପରେ କୋର୍ଟଙ୍କ ରାୟ କର୍ମଚାରୀଙ୍କ ସପକ୍ଷରେ ଯାଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଲାଗୁ କରିବାକୁ ଏକ ବର୍ଷ ସମୟ ଲାଗିଯାଇଥିଲା।

ସମ୍ବନ୍ଧିତ ଖବର