ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣି ଥରେ ସୁନା ପ୍ରେମରେ ପଡ଼ିଯାଇଛି। ନଅ ବର୍ଷ ପରେ ଏହା ପ୍ରଥମ ଥର ପାଇଁ ସୁନା କିଣିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଆନ୍ତର୍ଜାତିକ ବଜାରରେ ସୁନାର ଗୁରୁତ୍ୱ ପୁଣି ଥରେ ବୃଦ୍ଧି ପାଇଛି। ୨୦୧୭-୧୮ରେ ରିଜର୍ଭ ବ୍ୟାଙ୍କ ୮.୪୬ ଟନ୍ର ସୁନା କିଣିଛି। ଶେଷ ଥର ପାଇଁ ଏହା ୨୦୦୯ ନଭେମ୍ବରରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଠାରୁ ୨୦୦ ଟନ୍ ସୁନା କିଣିଥିଲା।
୨୦୧୭ ଜୁନ୍ ସୁଦ୍ଧା ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ୫୫୭.୭୭ ଟନ୍ ସୁନା ଥିଲା। ସେହି ବର୍ଷ ଏହା ଆଉ ୮.୪୬ ଟନ୍ ନୂଆ ସୁନା କିଣିଥିଲା। ଫଳରେ ୨୦୧୮ ଜୁନ୍ ବେଳକୁ ରିଜର୍ଭ ବ୍ୟାଙ୍କ ଭଣ୍ଡାରରେ ଥିବା ସୁନା ପରିମାଣ ୫୬୬.୨୩ ଟନ୍କୁ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ବଜାରରେ ଆମେରିକୀୟ ଡଲାର ମହଙ୍ଗା ହେଉଥିବାରୁ ରିଜର୍ଭ ବ୍ୟାଙ୍କ ପୁଣି ଥରେ ଏହାର ଭଣ୍ଡାରରେ ସୁନାର ପରିମାଣ ବଢ଼ାଇବା ଆରମ୍ଭ କରିଥାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। କାରଣ ଡଲାରକୁ ବାଦ ଦେଲେ ଆନ୍ତର୍ଜାତିକ ବଜାରରେ ଯାହାକୁ ନେଇ କାରବାର କରିହେବ ତାହା ହେଉଛି ସୁନା। ସେଥିପାଇଁ ପ୍ରାୟ ସବୁ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିଜ ପାଖରେ ସୁନାର ବିଶାଳ ଭଣ୍ଡାର ରଖିଛନ୍ତି।
ରିଜର୍ଭ ବ୍ୟାଙ୍କ ପାଖରେ ଏବେ ଥିବା ସମୁଦାୟ ସୁନା ମଧ୍ୟରୁ ୨୯୨.୩୦ ଟନ୍ ହେଉଛି ଇସ୍ୟୁ ବିଭାଗର ସମ୍ପତ୍ତି। ବଳକା ୨୭୩.୯୩ ଟନ୍ ସୁନା ହେଉଛି ବ୍ୟାଙ୍କିଙ୍ଗ ବିଭାଗର ସମ୍ପତ୍ତି ଯାହାର ମୂଲ୍ୟ ହେଉଛି ୬୯,୬୭୪ କୋଟି ଟଙ୍କା। ବର୍ଷକ ପୂର୍ବରୁ ରିଜର୍ଭ ବ୍ୟାଙ୍କ ପାଖରେ ୬୨,୭୦୨ କୋଟି ଟଙ୍କାର ସୁନା ଥିଲା। କେବଳ ଭାରତ ନୁହେଁ ଚୀନ୍, ରୁଷିଆ ଓ ବ୍ରାଜିଲ୍ ଭଳି ଦେଶର କେନ୍ଦ୍ରୀୟ ବ୍ୟାଙ୍କ ବିପୁଳ ପରିମାଣର ସୁନା ଗଚ୍ଛିତ ରଖିଛନ୍ତି। ନିଜ ଭଣ୍ଡାରରେ ଅଧିକ ପରିମାଣର ସୁନା ରଖିଥିବା ଶ୍ରେଷ୍ଠ ୧୦ଟି ଦେଶ ତାଲିକାରେ ଭାରତର ନାମ ରହିଛି।
୧୯୯୧ରେ ବଞ୍ଚାଇ ଦେଇଥିଲା
୧୯୯୧ ମସିହାରେ ଭାରତ ଘୋର ଆର୍ଥିକ ସଙ୍କଟରେ ପଡ଼ିଥିଲା। ମୁଦ୍ରା ଭଣ୍ଡାରରେ ଥିବା ବିଦେଶୀ ମୁଦ୍ରା ସର୍ବନିମ୍ନ ସ୍ତରକୁ ଖସିଯାଇଥିଲା। ଆମଦାନି ବାବଦ ଅର୍ଥ ପଇଠ କରିବାକୁ ଭାରତ ସଂଘର୍ଷ କରୁଥିଲା। ସେହି ସମୟରେ ରିଜର୍ଭ ବ୍ୟାଙ୍କ ନିଜ ଭଣ୍ଡାରରେ ଥିବା ସୁନା ମଧ୍ୟରୁ ୬୭ ଟନ୍ ସୁନାକୁ ବିକ୍ରି କରି ୬୦୦ ନିୟୁତ ଡଲାର ହାସଲ କରିଥିଲା। ୪୭ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ୍କୁ ଓ ବଳକା ୨୦ ଟନ୍ ସୁନା ୟୁନିଅନ୍ ବ୍ୟାଙ୍କ ଅଫ୍ ସ୍ୱିଜରଲ୍ୟାଣ୍ଡ୍କୁ ବିକ୍ରି କରାଯାଇଥିଲା। ଏଥି ସହିତ ଏକ ନିଶ୍ଚିତ ସଙ୍କଟକୁ ଭାରତ ଏଡ଼ାଇ ପାରିଥିଲା। ଏହାର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପକ୍ଷରୁ ଡକ୍ଟର ମନମୋହନ ସିଂହଙ୍କୁ ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା ଓ ଦେଶରେ ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଥିଲା।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର