ଗୋଟିଏ ଅଞ୍ଚଳର ପ୍ରାୟ ୩୦୦ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକଙ୍କ ଖାତାରେ ଜମା ହେଲା ୯୯୯୯୯ ଟଙ୍କା: ଜମାକାରୀ କିଏ କହିପାରୁନି ବ୍ୟାଙ୍କ !

ପାଟନା : ବିହାରର ଏକ ଜିଲ୍ଲାରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ହଠାତ୍‌ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଗ୍ରାହକଙ୍କ ଖାତାରେ ଜମା ହେଇଛି ୯୯୯୯୯ ଟଙ୍କା । ଗୋଟିଏ ଗ୍ରାମର ପ୍ରାୟ ୩୦୦ ଗ୍ରାହକଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଥିଲା ଏହି ଟଙ୍କା । ମୋବାଇଲକୁ ମେସେଜ୍‌ ଆସିବା ପରେ ଲୋକମାନେ ଖୁସି ହୋଇ ଏହି ଟଙ୍କାକୁ ବାହର କରିବା ପାଇଁ ପାଖ ଏସ୍‌ବିଆଇ ଶାଖାରେ ଯାଇ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବାପରେ ଏହି ଟଙ୍କାକୁ ବାହାର କରାଯାଇପାରିବ ନାହିଁ ବୋଲି ଜାଣିବା ପରେ ସେମାନଙ୍କର ସବୁ ଖୁସି ମଉଳି ଯାଇଥିଲା । ଏହି ଘଟଣା ବିହାରର ଛପରା ଜିଲ୍ଲାରେ ଘଟିଥିବା ବେଳେ ଏହି ଟଙ୍କା କେଉଁଠୁ ଆସିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

Photo by : sbi.co.in

ମିଳିଥିବା ସୂଚନା ଅନୁଯାୟୀ, ବିହାରର ଛପରା ଜିଲ୍ଲା ଅନ୍ତର୍ଗତ ଚମରହିଆ କୋହଡ଼ା, ପିଲୁଇ, ନସିରା,ଇନାୟତପୁର,କରହି, ବିଶୁନ୍‌ପୁରା ଗ୍ରାମର ପ୍ରାୟ ୩୦୦ଲୋକଙ୍କୁ ଏସ୍‌ବିଆଇ ବ୍ୟାଙ୍କ ଖାତାରେ ୯୯୯୯୯ଟଙ୍କା ଜମା ହୋଇଛି ବୋଲି ମେସେଜ୍‌ ମିଳିଥିଲା । ଏହା ଜାଣିବା ପରେ ଲୋକ ମାନେ ନିଜ ନିଜ ଭିତରେ କଥା ହେବା ଆରମ୍ଭ କରିଥିଲେ । ଏହା ପ୍ରଧାନମନ୍ତ୍ରୀଙ୍କର କେଉଁ ଏକ ଯୋଜନା ହୋଇଥିବା ଭାବି ସେମାନେ ଖୁସିରେ ଟଙ୍କା ଆଣିବା ପାଇଁ ବ୍ୟାଙ୍କରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ସେମାନଙ୍କ ଖାତାର କାରବାରକୁ ସ୍ଥଗିତ ରଖାଯାଇଛି ବୋଲି ବ୍ୟାଙ୍କ ଷ୍ଟାଫ୍‌ ଜଣାଇଥିଲେ ।

ସ୍ଥଗିତ ରଖାଯିବାର କାରଣ ପଚରାଯିବାରୁ କେଉଁଠୁ ବ୍ୟାଙ୍କ ଖାତାକୁ ଏତେ ପରିମାଣର ଟଙ୍କା ଆସିଛି ତାହା ଜଣା ପଡ଼ୁ ନଥିବାରୁ ଏପରି କରାଯାଇଥିବା ବ୍ୟାଙ୍କ କର୍ମଚାରୀ ଜଣାଇଥିଲେ । ଏହି ବିଷୟରେ ବ୍ୟାଙ୍କର ଶଖା ପ୍ରବନ୍ଧକଙ୍କୁ ପଚରାଯିବାରୁ ଏହା ନେଟ୍‌ଓ୍ଵାର୍କ ପ୍ରୋବ୍ଲେମ୍‌ ପାଇଁ ହୋଇ ଥାଇପାରେ ବୋଲି ସେ କହିଛନ୍ତି । ଯେଉଁ ଲୋକମାନଙ୍କ ଖାତାରେ ଟଙ୍କା ଜମା ହୋଇଛି ସେମାନଙ୍କୁ ଆମେ କେଓ୍ଵାଇସି , ଆଧାର କାର୍ଡ଼ ଏବଂ ପ୍ୟାନ୍‌ କାର୍ଡ଼ ନମ୍ବର ମାଗିଛୁ । କେଓ୍ଵାଇସି ମିଳିବା ପରେ ହିଁ ଟଙ୍କା ବାହାର କରାଯିବା ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର