ଟାଟା ଷ୍ଟିଲ ତୃତୀୟ ତ୍ରୟମାସର ଆର୍ଥିକ ଫଳାଫଳ ଘୋଷଣା, ରାଜସ୍ୱ ୨୩% ବୃଦ୍ଧି

ମୁମ୍ବାଇ: ଗତ ଡ଼ିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ ହୋଇଥିବା ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ଓ ପ୍ରଥମ ୯ ମାସର ଆର୍ଥିକ ଫଳାଫଳ ଟାଟା ଷ୍ଟିଲ ପକ୍ଷରୁ ଘୋଷଣା କରାଯାଇଛି । ଏହି ସମୟରେ ଟାଟା ଷ୍ଟିଲର ମୋଟ ଉତ୍ପାଦନ ୧୧% ବୃଦ୍ଧି ପାଇ ୭.୨୩ ନିୟୁତ ଟନ୍ ହୋଇଛି ଏବଂ ବିତରଣରେ ୭% ବୃଦ୍ଧି ଘଟି ଏହା ୬.୯୯ ନିୟୁତ ଟନ୍ ହୋଇଛି । ତୃତୀୟ ତ୍ରୟମାସରେ ଭାରତୀୟ ଇସ୍ପାତ ଉତ୍ପାଦନ ବର୍ଷ ଭିତ୍ତିରେ ୩୪% ବୃଦ୍ଧି ପାଇ ୪.୩୮ ନିୟୁତ ଟନ୍ ହୋଇଛି ଏବଂ ବିତରଣ ୧୮% ବୃଦ୍ଧି ପାଇ ୩.୩୦ ନିୟୁତ ଟନରୁ ୩.୮୯ ନିୟୁତ ଟନକୁ ବୃଦ୍ଧି ପାଇଛି । ମୋଟ ରାଜସ୍ୱରେ ୨୩% ବୃଦ୍ଧି ପାଇ ଏହା ୪୧୨୨୦ କୋଟି ଟଙ୍କାରେ ପହଞ୍ଚିଛି । ତୃତୀୟ ତ୍ରୟମାସରେ ଭାରତୀୟ ରାଜସ୍ୱ ୪୧% ହୋଇ ୨୨,୦୬୩ କୋଟି ଟଙ୍କା ହୋଇଛି । ପୂର୍ବ ତ୍ରୟମାସରେ ଏହା ୧୫୫୯୬ କୋଟି ଟଙ୍କା ଥିଲା । ଏବିଟଡ଼ା ୨୭% ହୋଇ ୭୨୨୫ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ଏହି ସମୟରେ ୫୬୭୧ କୋଟି ଟଙ୍କା ଥିଲା । ପ୍ୟାଟ ୧୭୫୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ପୂର୍ବବର୍ଷ ଏହି ସମୟରେ ୧୧୩୬ କୋଟି ଟଙ୍କା ଥିଲା । ଏହି ସମୟରେ ଋଣ ୯୦୮୩ କୋଟି ଟଙ୍କା ହ୍ରାସ ପାଇଛି ।

ଏହି ପରିପ୍ରେକ୍ଷୀରେ ଟାଟା ଷ୍ଟିଲ ପରିଚାଳନା ନିଦେ୍ର୍ଦଶକ ତଥା ସିଇଓ ଟି.ଭି.ନରେନ୍ଦ୍ରନ କହିଛନ୍ତି ଯେ, ଟାଟା ଷ୍ଟିଲ ଅଭିବୃଦ୍ଧି ପାଇଁ ପ୍ରତିଶ୍ରୁତିବଦ୍ଧ । କାର୍ଯ୍ୟ ଦକ୍ଷତା, ବଜାର ଉପସ୍ଥିତି ଓ ଗ୍ରାହକ ସଂପର୍କ ପ୍ରତି କଂପାନୀ ଦୃଷ୍ଟି ନିବଦ୍ଧ କରିଛି । ଆନ୍ତର୍ଜାତିକ ବଜାରରେ ଇସ୍ପାତର ଦର ହ୍ରାସ ସତ୍ତ୍ୱେ ଆମେ ବଜାରରେ ସ୍ଥିତି ବଜାୟ ରଖିପାରିଛୁ ବୋଲି ସେ କହିଛନ୍ତି । ଟାଟା ଷ୍ଟିଲ ବିଏସଏଲ ମିଶ୍ରଣ ଓ କଳିଙ୍ଗନଗର ସଂପ୍ରସାରଣ ସଫଳତାର ସହ ହୋଇଛି । ଉଷା ମାର୍ଟିନ କଂପାନୀ ଅଧିଗ୍ରହଣ ପାଇଁ ଆମେ ଉଦ୍ୟମ କରୁଛୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର