କ୍ଲାସ୍‌ମେଟ୍‌କୁ ଯୌନ ନିର୍ଯାତନା ଦେଇଥିବା ସାଢ଼େ ୪ ବର୍ଷିୟ ବାଳକ ନାଁରେ ଏତଲା

ନୂଆଦିଲ୍ଲୀ: ଦ୍ୱାରକାର ଏକ ସ୍କୁଲ୍‌ରେ ଜଣେ ସାଢ଼େ ଚାରି ବର୍ଷୀୟ ବାଳିକାକୁ ତା’ର ଜଣେ କ୍ଲାସ୍‌ମେଟ୍‌ ଯୌନ ନିର୍ଯାତନା ଦେଇଥିବା କଥା କୁହାଯାଉଛି। ଏହା ଜଣେ କ୍ଲାସ୍‌ମେଟ୍‌ କାମ ହୋଇ ନ ଥାଇ ପାରେ ବୋଲି ସେ ବାଳିକାର ମା’ ପୁଲିସକୁ କହିଛନ୍ତି।

ବାଳିକାର ମାଆଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ ଆଇପିସିର ସେକ୍‌ସନ୍‌ ୨୭୬ ଏବଂ ପିଓସିଏସ୍‌ଓର ସେକ୍‌ସନ୍‌ ୨୧ ଅନୁସାରେ ମାମଲା ରୁଜୁ କରିଛି। ତଦନ୍ତରେ ସହାୟତା କରିବାକୁ ସ୍କୁଲ୍‌ ପ୍ରଶାସନକୁ କୁହାଯାଇଛି।

ଝିଅର ମାଆ ଦେଇଥିବା ଏଫ୍‌ଆଇଆର୍‌ ଲେଖଛନ୍ତି ଯେ ଗତ ଶୁକ୍ରବାର ଦିନ ଝିଅ ସ୍କୁଲ୍‌କୁ ଯାଇଥିଲା। ଘରକୁ ଫେରିବା ପରେ ତା’ ଗୁପ୍ତାଙ୍ଗରେ କଷ୍ଟ ହେଉଥିବା କଥା କହିଥିଲା। କିନ୍ତୁ, ସେ ସେଥି ପ୍ରତି ଧ୍ୟାନ ଦେଇ ନ ଥିଲେ।

ଶନିବାର ଦିନ ତା’ର ଯନ୍ତ୍ରଣା ବଢ଼ିଲା। ରାତିରେ ସେ କାନ୍ଦି କାନ୍ଦି ଶୁକ୍ରବାର ଦିନ ସ୍କୁଲ୍‌ରେ ଘଟିଥିବା କଥା କହିଲା। ଆଙ୍ଗଠି ଏବଂ ପେନ୍‌ସିଲ୍‌ରେ କ୍ଲାସ୍‌ର ଜଣେ ବାଳକ ତାକୁ ଯୌନ ନିର୍ଯାତନା ଦେଇଥିଲା। ଝିଅ ତାକୁ ଧକ୍କାଏ ପକାଇବାକୁ ଚେଷ୍ଟା କରି ଥିଲା। କିନ୍ତୁ ବଳରେ ତାକୁ ପାରି ନ ଥିଲା। ସେତେବେଳେ ଦିଦି କିଂବା ଆୟା ଆଖପାଖରେ ନ ଥିଲେ।

ଘଟଣା ବିଷୟରେ ଜଣାଇ ରାତିରେ ସ୍କୁଲ୍‌ ଶିକ୍ଷକଙ୍କ ପାଖକୁ ମେସେଜ୍‌ କରାଯାଇଥିଲା। ସକାଳେ ସ୍କୁଲ୍‌ ଶିକ୍ଷକ ଏବଂ କୋଅର୍ଡିନେଟର୍‌ଙ୍କୁ ଏ କଥା ପଚାରା ଗଲା। ସେମାନେ ବିଶେଷ କିଛି ସହଯୋଗ କରି ନ ଥିଲେ।

ପରେ ଝିଅଟିର ଡାକ୍ତରୀ ମାଇନା କରାଯାଇ ଏଫ୍‌ଆଇଆର୍‌ ଲଜ୍‌ କରାଯାଇଥିଲା। କିନ୍ତୁ, ଅଭିଯୁକ୍ତର ବୟସ ଦୃଷ୍ଟିରୁ ମାମଲାଟିକୁ କେମିତି ଅଦାଲତକୁ ନିଆଯିବ, ତାହା ପୁଲିସ ଚିନ୍ତା କରୁଛି।

ସମ୍ବନ୍ଧିତ ଖବର