ପୁରୁଷ ସାଜି ତିନି ଝିଅଙ୍କୁ ବାହା ହୋଇଥିବା ଆନ୍ଧ୍ରପ୍ରଦେଶର ଜଣେ ଯୁବତୀ

ଅନନ୍ତପୁର: ପୁରୁଷର ଛଦ୍ମବେଶରେ ବି. ରମାଦେବୀ ନାମ୍ନୀ ଜଣେ ୧୮ ବର୍ଷୀୟ ଯୁବତୀ ତିନି ଜଣ ଝିଅଙ୍କୁ ବାହା ହୋଇଛି। ଏଥି ପାଇଁ କଡ଼ପା ଜିଲ୍ଲା ଅନ୍ତର୍ଗତ ଜମ୍ମାଲାମଡୁଗୁ ଥାନାରେ ମଙ୍ଗଳବାର ଦିନ ଅଭିଯୋଗ କରିଛି ତା’ର ତୃତୀୟ ପତ୍ନୀ।

ପୁଲିସ କହିବା ଅନୁସାରେ, କାଶୀ-ନୟନା ମଣ୍ଡଳର ଇଟିକା-ଲାପାଡୁ ଗାଁ’ର ରମାଦେବୀ ତାମିଲନାଡୁର ଏକ ଘରୋଇ ଲୁଗାକଳରେ କାମ କରେ। ସେ ସବୁବେଳେ ପୁଅ ପିଲାଙ୍କ ବେଶପୋଷାକ ସାଜେ। ପେଡ୍ଡାମୁଡ଼ିୟାମ୍‌ ମଣ୍ଡଳ ଅନ୍ତର୍ଗତ ଭୀମଗୁଣ୍ଡମ୍‌ ଗାଁ’ରୁ ଆସ ସେହି ଲୁଗାକଳରେ କାମ କରୁଥିବା ୧୭ ବର୍ଷୀୟ ରମ୍ଭା (ଛଦ୍ମନାମ) ସହ ତା’ର ମିତ୍ରତା ହୋଇଥିଲା। ବନ୍ଧୁତ୍ୱ କ୍ରମେ ପ୍ରେମରେ ରୂପାନ୍ତର ହେବା ପରେ ଗତ ଦୁଇ ମାସ ତଳେ ସେମାନେ ବିବାହ କରିଥିଲେ। ଜଣେ ଝିଅକୁ ବାହା ହୋଇଛି ବୋଲି ଜାଣିବାକୁ ରମ୍ଭାକୁ ଦୁଇ ମାସ ଲାଗିଥିଲା। ଏ କଥା ସେ ନିଜ ବାପାମାଆଙ୍କୁ କହିବା ପରେ ସେମାନେ ଥାନାକୁ ଯାଇଥିଲେ। ରମ୍ଭା ପୁଲିସକୁ କହିଥିଲା କି, ପୁରୁଷ ବେଶ ସାଜି ରମାଦେବୀ ତାକୁ ଠକିଛି।

Image Courtesy of puthiyathalaimurai

ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଛି ଯେ ପୂର୍ବରୁ ରମାଦେବୀ ଆଉ ଦୁଇ ଜଣ ଝିଅଙ୍କୁ ମଧ୍ୟ ବାହା ହୋଇଛି। ସେମାନେ ହେଉଛନ୍ତି କଡ଼ପା ଜିଲ୍ଲା ଅନ୍ତର୍ଗତ ପ୍ରୋଡ୍ଡାଟୁର୍‌ର ୧୬ ବର୍ଷୀୟ ଜ୍ୟୋତି (ଛଦ୍ମନାମ) ଏବଂ ଅନନ୍ତପୁର ଜିଲାର ମୁଡ଼ିଗୁବ୍‌ବା ମଣ୍ଡଳ ଅନ୍ତର୍ଗତ କୋତାଚେରୁଭୁ ଗ୍ରାମର ୧୭ ବର୍ଷୀୟ ବୃନ୍ଦା (ଛଦ୍ମନାମ)। ସେ ଦୁଇ ଝିଅଙ୍କର ମାନସିକ ଅବସ୍ଥା ଭଲ ନ ଥିବାରୁ ତାଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ପଠା ଯାଇଛି।

ପୁଲିସ ରମାଦେବୀକୁ ଗିରଫ କରିଛି। ଅର୍ଥ ପାଇଁ ସେ ଝିଅମାନଙ୍କୁ ଠକି ବାହା ହେଉଥିଲା କି, ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ବାହା ହେଉଥିଲା, ତାହା ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର