ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା, ୨ ଗିରଫ

ଭୁବନେଶ୍ୱର: ଗତକାଲି ପଳାଶୁଣି ଛକରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ଆଜି ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ନୂଆପଲ୍ଲୀର ଅମିତ ସାହୁ ଓ ପଳାଶୁଣିର ଅସିତ ସାହୁ। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ସାତଟାରେ ପଟିଆର ମହେଶ ନାମଦେବ ପଳାସୁଣି ଛକ ନିକଟରେ ଚାଲିଚାଲି ଯାଉଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାରରୁ ତାଙ୍କ ଉପରକୁ କାଦୁଅ ପାଣି ଛିଟିକିଥିଲା। ସେ ଗାଡ଼ିକୁ ଅଟକାଇ ପ୍ରତିବାଦ କରିବାରୁ କାରରେ ଥିବା ଏହି ୨ ଅଭିଯୁକ୍ତ ଓ ୨ ଯୁବତୀ ମିଳିତ ଭାବେ ଆକ୍ରମଣ କରିଥିଲେ। ଏକ ଲୁହାରଡ଼ରେ ୪ ଜଣ ମିଶି ସଂଘବଦ୍ଧ ଆକ୍ରମଣ କରିବାରୁ ମହେଶ ଗୁରୁତର ଆହତ ହୋଇଥିଲେ। ଏ ନେଇ ସେ ୪ ଜଣଙ୍କ ନାମରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କେବଳ ଦୁଇ ଯୁବକଙ୍କୁ ଗରିଫ କରି କୋର୍ଟ ଚାଲଣ କରିଛି। ଅନ୍ୟ ଦୁଇ ଯୁବତୀଙ୍କୁ ନୋଟିସ୍‌ ଦେଇ ଛାଡ଼ିଛି। କୌତୁହଳପ୍ରଦ ହେଉଛି ଗାଡ଼ିରେ ଥିବା ଯୁବତୀଙ୍କ ମଧ୍ୟରୁ ଜଣେ ଏକ ବାର୍‌ରେ ପରିଚାରିକା ଅଟନ୍ତି। ପ୍ରଥମେ ସେ ଗାଡ଼ିରୁ ଓହ୍ଲାଇ ମହେଶଙ୍କୁ ଲୁହା ରଡ଼୍‍ରେ ଆକ୍ରମଣ କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। କିନ୍ତୁ ତାଙ୍କୁ ପୁଲିସ୍‌ ଗିରଫ କରିନାହିଁ। ଗତକାଲି ଉଭୟଙ୍କୁ ପୁଲିସ୍‌ ଥାନାକୁ ଡକାଇ ଅଟକ ରଖିଥିବା ବେଳେ ସେଠାରେ ସମ୍ପୃକ୍ତ ଯୁବତୀ ହଙ୍ଗାମା କରିଥିଲେ। ଗିରଫ କଲେ ପରିସ୍ଥିତି ଭୟାବହ ହେବ ବୋଲି ସେ ପୁଲିସ୍‌କୁ ଧମକ ଦେଇଥିଲେ। ଏଣୁ ପୁଲିସ୍‌ ଭୟରେ ଗିରଫ କରିନଥିବା ନେଇ ଚର୍ଚା ହେଉଛି।

ସମ୍ବନ୍ଧିତ ଖବର