ଯୁବକଙ୍କୁ ହାଣି, ନେଇଗଲେ ଲକ୍ଷେ ୭୨ ହଜାର

ବାଲିଅନ୍ତା: ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ବାଲିଅନ୍ତା ଥାନା ଅଧୀନ ପୁରୁଣା ଜଗନ୍ନାଥ ରାସ୍ତାର ଟଙ୍କପାଣି ବ୍ରିଜ୍‌ ଓ ରଙ୍ଗବଜାର ଛକ ମଧ୍ୟରେ ଜଣେ ମାଇକ୍ରୋଫାଇନାନ୍‌ସ କର୍ମଚାରୀଙ୍କୁ ହାଣି ୩ ଦୁର୍ବୃତ୍ତ ଲକ୍ଷେ ୭୨ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ପ୍ରଦୀପ କୁମାର ମୁଦୁଲି। ତାଙ୍କ ମୁଣ୍ଡ ଓ ଶରୀରରେ ଗଭୀର ଆଘାତ ଲାଗିଛି। ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଲୋକମାନେ ପ୍ରଦୀପଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି। ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ ଜବତ କରିବା ସହିତ ଅନୁସନ୍ଧାନ ଚଳାଇଛି। ତେବେ ଲୁଟେରାଙ୍କ କୌଣସି ପତ୍ତା ମିଳିନି। ପ୍ରଦୀପ ମହିଳାମଣ୍ଡଳରୁ ଟଙ୍କା ସଂଗ୍ରହ କରି ଅଫିସ ଅଭିମୁଖେ ଫେରୁଥିବା ବେଳେ ରଙ୍ଗବଜାର ନଦୀବନ୍ଧ ରାସ୍ତାରେ ୩ ଜଣ ଯୁବକ ବାଇକରେ ତାଙ୍କୁ ପିଛା କରିଥିଲେ। ଏହି ନଦୀବନ୍ଧ ରାସ୍ତା ପୂରା ନିଛାଟିଆ ଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ପ୍ରଦୀପଙ୍କୁ ଅଟକାଇ ଟଙ୍କା ମାଗିଥିଲେ। ମାତ୍ର ପ୍ରଦୀପ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କୁ ମରଣାସ୍ତ୍ରରେ ଆକ୍ରମଣ କରି ଟଙ୍କା ଭର୍ତି ବ୍ୟାଗ୍‌ ଝାମ୍ପି ନେଇଥିଲେ। ଅନ୍ୟପକ୍ଷରେ ବାଲିଅନ୍ତା ଥାନା ଅଧିକାରୀଙ୍କ କହିବାନୁଯାୟୀ ପ୍ରଦୀପଙ୍କ କଥାରେ କିଛି ତାଳମେଳ ରହୁ ନଥିବାରୁ ସନ୍ଦେହ ହେଉଛି। ତେବେ ପ୍ରଦୀପଙ୍କ ଅଭିଯୋଗକୁ ଭିତ୍ତି କରି ଥାନାରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର