ନାବାଳିକାକୁ ଦୁଷ୍କର୍ମ କରି ମଧ୍ୟପ୍ରଦେଶରେ ବିଜେପି ନେତା ଗିରଫ

ଭୋପାଳ (ମଧ୍ୟପ୍ରଦେଶ): ଜନୈକା ୭ ବର୍ଷ ବୟସ୍କା ନାବାଳିକାକୁ ମଧ୍ୟପ୍ରଦେଶ ଅଗର ଜିଲ୍ଲାର ଜନୈକ ବିଜେପି ନେତା ଦୁଷ୍କର୍ମ କରିବା ଅପରାଧରେ ଗିରଫ ହୋଇଛନ୍ତି। ଅଭିଯୁକ୍ତ ବିଜେପି ନେତାଙ୍କ ନାମ ନାରାୟଣ ମାଲି ଏବଂ ତାଙ୍କର ବୟସ ୪ହ ବର୍ଷ ବୋଲି ପୁଲିସ୍‌ କହିଛି। ଏହି ଘଟଣାକୁ କେନ୍ଦ୍ର କରି ମଧ୍ୟପ୍ରଦେଶର ରାଜନୀତି ଏବେ ବେଶ ସରଗରମ ହୋଇପଡ଼ିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅଭିଯୁକ୍ତ ନାରାୟଣଙ୍କର ଅଗର ଜିଲ୍ଲାର ପିପ୍‌ଲୋନ୍‌ ସହରରେ ଏକ ଷ୍ଟେସନାରି ଦୋକାନ ଅଛି। ସେ ସଂପୃକ୍ତା ୭ ବର୍ଷ ବୟସ୍କା ନାବାଳିକା ଜଣକ ଚକୋଲେଟ୍‌ ଦେଇ ଗତ ଦୁଇ ମାସ ଧରି ଦୁଷ୍କର୍ମ କରି ଆସୁଥିଲେ। ଗତ ରବିବାର ଦିନ ସେ ତାଙ୍କ ଦୋକାନ ଭିତରେ ଦୁଷ୍କର୍ମ କରୁଥିବା ଅବସ୍ଥାରେ ସ୍ଥାନୀୟ ଲୋକମାନେ ତାଙ୍କୁ ଧରିବା ସହ ଘଟଣା ସଂପର୍କରେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍‌ର ଦଫା ୩୭୬ ଓ ପୋସ୍କୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜ୍ଜୁକରି ତଦନ୍ତ ଚଳାଇଥିବା ବେଳେ ଚିକିତ୍ସା ପାଇଁ ନାବାଳିକା ଜଣଙ୍କୁ ହସ୍ପିଟାଲକୁ ପଠାଇଛି।
ଏହି ଘଟଣାରେ ମଧ୍ୟପ୍ରଦେଶରେ ଶାସନ କ୍ଷମତାରେ ଥିବା ବିଜେପିକୁ ବିରୋଧୀ କଂଗ୍ରେସ ଘେରିଥିବା ଥିବା ବେଳେ ଏହି ଘଟଣାର ସଂପୂର୍ଣ୍ଣ ନିରପେକ୍ଷ ତଦନ୍ତ କରାଯିବା ସହ ଅଭିଯୁକ୍ତ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ଭୂପିନ୍ଦର ସିଂହ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର