ଲଭ୍‌ ସେକ୍ସ ଧୋକା : ଜେଲ୍‌ ଗଲା ଅଭିଯୁକ୍ତ

ଭୁବନେଶ୍ବର : ଲଭ୍‌, ସେକ୍ସ, ଧୋକା ପରେ ପୀଡ଼ିତାଙ୍କୁ ହତ୍ୟା ଧମକ ଅଭିଯୋଗରେ ଗିରଫ ହୋଇଥିବା ଜଟଣୀ ବଡ଼ତୋଟା କ୍ୟାମ୍ପରେ କାର୍ଯ୍ୟରତ ଜଗତସିଂହପୁର ଚାଷୀଖଣ୍ଡ ଅଂଚଳର ବିଏସ୍‌ଏଫ୍‌ ଅଧିକାରୀ ମନୋଜ ମହାକୁଡ଼ ଜେଲ୍‌ ଯାଇଛି। ଆଜି କ୍ୟାପିଟାଲ ହସ୍‌ପିଟାଲରେ ତା’ର ଡାକ୍ତରୀ ମାଇନା ହେବା ପରେ ମହିଳା ଥାନା ପୁଲିସ ତାକୁ କୋର୍ଟ ଚାଲାଣ କରିଥିଲା। ସେଠାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଗତ ରାତିରେ ଅଭିଯୋଗ ହେବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମାମଲା ରଫାଦଫା ପାଇଁ ଅଭିଯୁକ୍ତ ଅଧିକାରୀ ଉଦ୍ୟମ କରୁଥିବା ଅଭିଯୋଗ ହୋଇଥିଲା। ତେବେ ସେ ବିଫଳ ହେବାରୁ ବିଳମ୍ବିତ ରାତିରେ ମାମଲା ରୁଜୁ କରାଯାଇଥିଲା।

ସୂଚନା ମୁତାବକ, ଯୁବତୀ ଜଣକ ଏକ ବିଲ୍ଡର ସଂସ୍ଥାରେ ଏଜେଣ୍ଟ ଭାବରେ କାମ କରୁଥିଲେ। ଅଭିଯୁକ୍ତ ଅଧିକାରୀ ଚନ୍ଦକା ଗୋଠପାଟଣା‌‌ରେ ଏକ ଆପାର୍ଟମେଣ୍ଟରେ ରହୁଥିଲା। ଜମି ନେବାପାଇଁ ଅଭିଯୁକ୍ତ ବିଲ୍ଡର ସହ ଯୋଗାଯୋଗ କଲା ବେଳେ ଯୁବତୀଙ୍କ ସହ ସଂସ୍ପର୍ଶରେ ଆସି ବିବାହର ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିଥିଲା। ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ଦ୍ବାରା ପୀଡ଼ିତା ଗର୍ଭବତୀ ହେବା ପରେ ଅଭିଯୁକ୍ତ ଚିନ୍ତାରେ ପଡିଯାଇଥିଲେ। କଣ୍ଟା ହଟାଇବା ପାଇଁ ତାଙ୍କର ଗର୍ଭ ନଷ୍ଟ କରାଇଥିଲା। ତେବେ ବିବାହ ପାଇଁ ଯୁବତୀ ଜିଦ୍‌ କରିବାରୁ ଗୋପନରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିବା ପାଇଁ ଚେତାବନୀ ଦେଇଥିଲା। ଏପରିକି ଏହି ଫଟୋ ଓ ଭିଡିଓ ଡିଲିଟ୍‌ କରିବା ପାଇଁ ଅଭିଯୁକ୍ତ ପୀଡ଼ିତାଙ୍କ ଠାରୁ ୨୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ତେବେ ପୀଡ଼ିତା ତାଙ୍କୁ ଫସାଇ ଦେଇଥିବା ଅଭିଯୁକ୍ତ ଜଣକ କହିଛି।

ବିବାହିତ ଯୁବକ ଗିରଫ
ଭୁବନେଶ୍ୱର : ପୁଣି ଲଭ ସେକ୍ସ ଧୋକା ଅଭିଯୋଗ। ଆଜି ଜଣେ ବିଏସଏଫ ଅଧିକାରୀ ଏଭଳି ଧୋକା ଦେବା ଅଭିଯୋଗରେ ଜେଲ ଯାଇଥିବା ବେଳେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଆଜି ଗିରଫ କରିଛି। ସେ ହେଉଛି ଜଗତସିଂପୁରର ଶଶାଙ୍କ ଶେଖର ମହାନ୍ତ। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି କହିଛି ପୁଲିସ।

ସହିଦଗନର ଥାନା ଅଞ୍ଚଳରେ ରହିବା ସହ ଏକ ସଫ୍ଟୱେର କମ୍ପାନୀରେ ଶଶାଙ୍କ ଚାକିରି କରୁଥିଲା। ସେ ପୂର୍ବରୁ ବିବାହିତ। ତାଙ୍କର ପତ୍ନୀ ସହ ଏକ ସନ୍ତାନ ମଧ୍ୟ ଅଛି। ହେଲେ ବର୍ଷେ ହେବ ଜଣେ ଯୁବତୀଙ୍କ ସହ ସମ୍ପର୍କ ଗଢି ଉଠିଥିଲା। ପ୍ରଥମେ ପ୍ରେମ ଓ ପରେ ଯୁବତୀଙ୍କୁ ସେ ବିବାହ କରିଥିଲା। ଏକ ମନ୍ଦିରରେ ବିବାହ ହୋଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ପୂର୍ବରୁ ଶଶାଙ୍କ ବିବାହିତ ତାଙ୍କର ଏକ ସନ୍ତାନ ଅଛି ଜାଣିବା ପରେ ଦ୍ବିତୀୟ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି। ଶଶାଙ୍କଙ୍କ ପତ୍ନୀ କହିଛନ୍ତି ତାଙ୍କ ସ୍ବାମୀଙ୍କୁ ଯୁବତୀ ଫସାଇ ଦେଇଛନ୍ତି। ବିବାହିତ ଜାଣିଥିଲେ ବି ସେ ସମ୍ପର୍କ ରଖିଛନ୍ତି। ଏବେ ସେ ଆମ ଘରେ ରହିବେ ବୋଲି ଜିଦ୍‌ କରିବା ପରେ ମୁଁ ମନା କରିବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଘଟଣାର ତଦନ୍ତ ଚାଲିଛି, ଅଭିଯୋଗ ପରେ ସତ୍ୟତା ଜଣା ପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର