ଧରାପଡ଼ିଲା ସିନ୍ଧିଚୋର ମିଥୁନ୍‌: ୭ ଲାପଟପ୍‌, ୧୮ ମୋବାଇଲ୍‌ ଜବତ

ଖଣ୍ଡଗିରି: ଖଣ୍ଡଗିରି ଅଞ୍ଚଳର କୁଖ୍ୟାତ ସିନ୍ଧିଚୋର ବରମୁଣ୍ଡାର ମିଥୁନ୍‌ ପାଇକରାୟ(୨୬)କୁ ପୁଣି ଥରେ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗତକାଲି ରାତିରେ ତାକୁ ପୁଲିସ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଗିରଫ କରିବା ସହ ତା’ଠାରୁ ୭ଟି ଲାପଟପ୍‌ ଓ ୧୮ଟି ଚୋରା ମୋବାଇଲ୍‌ ଫୋନ୍‌ ଜବତ କରିଛି। କୋର୍ଟ ଚାଲାଣ ପରେ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ ସୂଚନାନୁସାରେ ମିଥୁନ୍‌ ପୂର୍ବରୁ ଏଭଳି ସିନ୍ଧିଚୋରି ମାମଲାରେ ବହୁ ଥର ଗିରଫ ହୋଇଛି। ରାତିରେ କବାଟ ଝରକା ଗ୍ରିଲ୍‌ ତାଡ଼ି ଘରେ ପଶିବାରେ ସେ ଓସ୍ତାଦ୍‌। ଗତ ଜୁନ୍‌ ୭ ତାରିଖରେ ମିଥୁନ୍‌ ସ୍ଥାନୀୟ ସୌଭାଗ୍ୟନଗରରେ ଏକ କାଣ୍ଡ କରିବା ପରେ ଫେରାର୍‌ ହୋଇ ଯାଇଥିଲା। ସୌଭାଗ୍ୟନଗର ପ୍ଲଟ ନମ୍ବର ୧୫୪୦/୪୯୩୧ରେ ରହୁଥିବା ରାମ କିଶୋର ସିଂହଙ୍କ ଘରର ଝରକା ତାଡ଼ି ସେ ୨ଟି ମୋବାଇଲ୍‌ ଫୋନ୍‌ ଓ ଗୋଟିଏ ଲାପଟପ୍‌ ଚୋରି କରିଥିଲା। ସେ ଜଗମୋହନନଗର, ପଞ୍ଚସଖା ନଗର, ଧର୍ମବିହାର, ମଲ୍ଲିକ କମ୍ପ୍ଲେକ୍ସ ଓ ସୌଭାଗ୍ୟନଗର ଆଦି ଅଞ୍ଚଳରେ ବହୁତ କାଣ୍ଡ ଘଟାଇଛି। ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ ସୂଚନାନୁସାରେ ମିଥୁନ୍‌ଠାରୁ ଜବତ ହୋଇଥିବା ଲାପଟପ୍‌ ଓ ମୋବାଇଲ୍‌ ଗୁଡ଼ିକର ମାଲିକ କିଏ ଜଣାପଡ଼ିନାହିଁ। ସବୁଗୁଡ଼ିକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଚୋରିର ଶିକାର ହୋଇଥିବା ଲୋକେ ଜବତ ଲାପଟପ୍‌ ଓ ମୋବାଇଲ୍‌ ଫୋନ୍‌ ଚିହ୍ନଟ କରିବାକୁ ଥାନା ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର