୩ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ

ବାଲେଶ୍ବରରୁ ଆଣୁଥିଲେ ବ୍ରାଉନ ସୁଗାର, ନାବାଳିକାକୁ ଅପହରଣ ପରେ ହତ୍ୟା କରିଥିଲେ

ଭୁବନେଶ୍ୱର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ନିଶା ବେପାରର ଚେର ଅଣ୍ଡାଳୁଥିବା କ୍ରାଇମ୍‌ବ୍ରାଞ୍ଚର ସ୍ପେସାଲ ଟାସ୍କଫୋର୍ସ(ଏସ୍‌ଟିଏଫ) ହାତରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଧରା ପଡ଼ିଛନ୍ତି। ସେମାନେ ହେଲେ, ବାଲେଶ୍ବର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଧୀନ ଗଳାପୋଲର ସେକ୍‌ ମାମୁଦ୍‌, ସେକ୍‌ ଲୋପା ଓ ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅଞ୍ଚଳର ସେକ୍‌ ମେହବୁବ୍‌। ବ୍ରାଉନସୁଗାର ବେପାରଠାରୁ ଆରମ୍ଭ କରି ଛିନ୍‌ତାଇ, ଲୁଟ୍‌, ହତ୍ୟା, ଅପହରଣ, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧରେ ଏମାନେ ସଂପୃକ୍ତ ଥିବା ଏସ୍‌ଟିଏଫ କହିଛି। ମାମୁଦ ଓ ଲୋପା ବିଭିନ୍ନ ସ୍ଥାନରେ ଅପରାଧ ଘଟାଉଥିବା ବେଳେ ମେହବୁବ୍‌ ସେମାନଙ୍କୁ ଭୁବନେଶ୍ୱରରେ ଆଶ୍ରୟ ଦେଉଥିଲା। ଏପରିକି କିଛି ଅପରାଧରେ ମଧ୍ୟ ସେ ଏମାନଙ୍କ ସହ ସାମିଲ ହେଉଥିଲା। ଏସ୍‌ଟିଏଫ ଏମାନଙ୍କୁ ଗିରଫ କରି ସହଦେବଖୁଣ୍ଟା ଥାନା ପୁଲିସକୁ ହସ୍ତାନ୍ତର କରିଛି। ଭୁବନେଶ୍ୱରସ୍ଥିତ ଏସଟିଏଫ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦିଆଯାଇଛି। ଅପରପକ୍ଷେ ଏହି ୩ ଅଭିଯୁକ୍ତଙ୍କ ଅପରାଧ ପେଡ଼ି ଖୋଲିବା ପାଇଁ ସେମାନଙ୍କୁ ରିମାଣ୍ଡରେ ଆଣିବ ବୋଲି ସହଦେବଖୁଣ୍ଟା ଥାନା ପୁଲିସ କହିଛି। କେମିତି ଧରାପଡ଼ିଲେ: ବ୍ରାଉନସୁଗାର ବ୍ୟବସାୟର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଯୋଜନା କରି ଏସ୍‌ଟିଏଫ୍‌ କେତେକ ଅଭିଯୁକ୍ତଙ୍କ ପିଛା କରିଥିଲା। ଏହି ମିସନ୍‌ରେ ଏସ୍‌ଟିଏଫ୍‌ ପ୍ରଥମେ ସେଖ୍‌ ମାମୁଦ୍‌କୁ ଟାର୍ଗେଟ କରିଥିଲା। ‌ମାମୁଦ୍‌ ଶିଖରଚଣ୍ଡିରେ ଥିବା ଖବର ପାଇ ଗତ ରାତିରେ ଏସ୍‌ଟିଏଫ ସେଠାରେ ଚଢ଼ଉ କରିଥିଲା। କିନ୍ତୁ ସୁଯୋଗକୁ ଏହି ତିନି ଜଣଯାକ ସେଠାରେ ଥିଲେ। ସେମାନଙ୍କୁ ଏସ୍‌ଟିଏଫ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା। ଏମାନେ ବାଲେଶ୍ବରରୁ ବ୍ରାଉନ ସୁଗାର ଆଣି ଭୁବନେଶ୍ବରରେ କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କୁ ବିକ୍ରି କରୁଥିବା ମାନିଥିଲେ। ପଚରାଉଚରା ବେଳେ ଭୟରେ ଏହି ୩ଜଣ ଏସ୍‌ଟିଏଫ ଆଗରେ ସେମାନଙ୍କ ସବୁ ଅପରାଧର ଚିଠା ଖୋଲି ଦେଇଥିଲେ। ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ଏମାନଙ୍କ ନାମରେ ୪ଟି ମାମଲା ରହିଥିବା ଏସଟିଏଫ ଜାଣିବାକୁ ପାଇଥିଲା। ଅପହରଣ ପରେ ନାବାଳିକାକୁ ଗୁଳି କରି ହତ୍ୟା: ଗତବର୍ଷ ଅକ୍ଟୋବରରେ ଏହି ୩ଜଣ ଯାକ ସହଦେବଖୁଣ୍ଟା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରିଥିଲେ। ଦୀର୍ଘ ୨୫ଦିନ ସେମାନେ ତାକୁ ଭୁବନେଶ୍ବରର ମେହ୍‌ବୁବ୍‌ ଘର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଖିଥିଲେ। ପରେ ସେମାନେ ତାକୁ ନେଇ ଘରେ ଛାଡ଼ି ଦେଇଥିଲେ। ହେଲେ ନାବାଳିକା ଘରେ ସବୁ ସତ କହିଦେବ ବୋଲି କହିବାରୁ ଧରା ପଡ଼ିଯିବା ଭୟରେ ସେମାନେ ତାକୁ ହତ୍ୟା କରିଥିଲେ। ଯୋଜନାବଦ୍ଧ ଭାବରେ ସେମାନେ ସେହିଦିନ ସନ୍ଧ୍ୟାରେ ନାବାଳିକା ଘରେ ପହଞ୍ଚି ତାକୁ ଗୁଳି କରି ଦେଇଥିଲେ।

ସମ୍ବନ୍ଧିତ ଖବର