ଯୁବକଙ୍କୁ ଆକ୍ରମଣ କରି ଲୁଟ୍‌ : ୨ଲୁଟେରା ଗିରଫ, ବାଇକ୍‌ ଓ ୫ ମୋବାଇଲ୍‌ ଜବତ

ଭୁବନେଶ୍ୱର : ଜଣେ ଯୁବକଙ୍କୁ ଆକ୍ରମଣକରି ଲୁଟ୍‌ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୨ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ବାଇକ୍‌ ଓ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ଝାରପଡ଼ାର ସାକିର ଖାନ୍‌ ଓରଫ ପାକନ(୨୪) ଓ ସାଜିଦ୍‌ ଖାନ୍‌ ଓରଫ ଟୁକୁନା(୨୪)। ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ସନ୍ତୋଷ ମିଶ୍ର ନାମକ ଜଣେ ଯୁବକ ଝାରପଡ଼ାରୁ କଟକ ରୋଡ୍‌ ଯାଉଥିଲେ। ଜେଲ୍‌ ନିକଟରେ ପାକନ ଓ ଟୁକୁନା ଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇଥିଲେ। ସେ କିଛି ବୁଝିବା ପୂର୍ବରୁ ଉଭୟ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଇଟାରେ ମୁହଁକୁ ଛେଚି ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏନେଇ ସନ୍ତୋଷ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ବାଲିଅନ୍ତା : ବାଲିଅନ୍ତା ଥାନା ଅଧୀନ ବାଳକାଟି କଲେଜ ନିକଟରେ ଆଜି ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏନେଇ ଅପରାହ୍‌୍‌ଣରେ ଏଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏଥିରେ ବାଳକାଟି ଅଞ୍ଚଳର ଜଣେ ଛାତ୍ର ଆହତ ହୋଇଥିବା ବେଳେ ଉତ୍ତରା ଫାଣ୍ଡି ଅଧୀନ ମଧୁପୁର ଗ୍ରାମର ଅମରଜିତ ନାମକ ଅନ୍ୟ ଜଣେ ଛାତ୍ର ଆହତ ହୋଇଛନ୍ତିି। ଚିକିତ୍ସା ଲାଗି ଅମରଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଆଜି ଅପରାହ୍‌ଣରେ ବାଳକାଟି ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଛି। ଗଣ୍ଡଗୋଳର ପ୍ରକୃତ କାରଣ କଣ ଜଣାପଡ଼ି ନଥିବା ବେଳେ କମେଣ୍ଟମରାକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ହାତାହାତି ହୋଇଥିବା ସୂଚନା ମିଳିଛିି। ନିକଟରେ ଜଣେ ଛାତ୍ରୀଙ୍କୁ କମେଣ୍ଟ ମରା ନେଇ ଛାତ୍ର ଓ ଅଣଛାତ୍ର ଗୋଷ୍ଠୀ ବି ମୁହାଁମୁହିଁ ହୋଇଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ଯୋଗୁ କଲେଜ ହତାରେ ବାରମ୍ବାର ଛାତ୍ର ଅଶାନ୍ତି ଲାଗି ରହିଥିବା ଯୋଗୁ ଅଭିଭାବକ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

ଯୁବତୀଙ୍କ ସହ ପ୍ରତାରଣା, ଯୁବକ ଗିରଫ

ଭୁବନେଶ୍ୱର : ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ପ୍ରତାରଣା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ତମାଣ୍ଡୋ ଥାନା ଅଧୀନ ନରଗଡ଼ା ଅଞ୍ଚଳର ବିଶ୍ୱଜିତ୍‌ ପାଇକରାୟ ଓରଫ ବବୁଲୁ(୧୯)। ଗତ ୬ମାସ ତଳେ ବିଶ୍ୱଜିତ ଏକ ଅଜଣା ନମ୍ବରକୁ କଲ୍‌ କରିଥିଲା। ତେବେ ସେହି ନମ୍ବର୍‌ଟି ଜଣେ ଯୁବତୀଙ୍କ ଜାଣିବା ପରେ ବିଶ୍ୱଜିତ୍‌ ବାରମ୍ବାର କଲ୍‌ କରିଥିଲା। ଯୁବତୀ ଜଣଙ୍କ ରସୁଲଗଡ଼ ଅଞ୍ଚଳର। କିଛି ଦିନର କର୍ଥବାର୍ତା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ପରେ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା। ଉଭୟ କିଛିଦିନ ଏକାଠି ରହିବା ପରେ ଯୁବତୀ ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ବିଶ୍ୱଜିତ ତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇଥିଲା। ତେବେ ଯୁବତୀ ଜଣଙ୍କ ବିବାହ ପାଇଁ ବିଶ୍ୱଜିତଙ୍କୁ କହିଥିଲେ। ହେଲେ ବିଶ୍ୱଜିତ ଏଥିରେ ରାଜି ହୋଇ ନଥିଲେ। ଏନେଇ ଯୁବତୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ରବିବାର ରାତିରେ ପୁଲିସର ଏକ ଟିମ୍‌ ନରଗଡ଼ା ସ୍ଥିତ ଘରେ ଚଢ଼ଉ କରି ବିଶ୍ୱଜିତକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ମହିଳାଙ୍କୁ ଆକ୍ରମଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର : ଧାର ଟଙ୍କା ମାଗିବାରୁ ଜଣେ ମହିଳାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଖୋର୍ଧା ବାଘମାରୀ ସମରା ଗ୍ରାମର ରମେଶ କୁମାର ସାହୁ(୨୪)ଙ୍କୁ ଗିରଫ କରିଛି। ସେ ବଡ଼ଗଡ଼ ବ୍ରିଟ୍‌ କଳିଙ୍ଗ ବସ୍ତିରେ ରୁହେ। ପୁଲିସ ସୂଚନା ଅନୁଯାୟୀ ବଡ଼ଗଡ଼ ଉପର ସାହିର ନମିତା ମହାନ୍ତିଙ୍କଠରୁ ରମେଶ ୧୫ ହଜାର ଟଙ୍କା ଧାର ନେଇଥିଲା। ରବିବାର ନମିତା ତାଙ୍କୁ ଟଙ୍କା ମାଗିଥିଲା। ଏଥିରେ ଉତ୍ତ୍ୟେକ୍ତ ହୋଇ ରମେଶ ନମିତାଙ୍କୁ ଗାଳି କରିବା ସହ ମାଡ଼ ମାରିଥିଲା।

କ୍ୟାବିନ୍‌ ଭାଙ୍ଗି ଲୁଟ୍‌

ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ ଗ୍ୟାରେଜ୍‌ ଛକ ନିକଟ ନନ୍ଦକିଶୋର ନଗରରେ ଥିବା ନିଆଳିର ପଦ୍ମଲୋଚନ ସ୍ୱାଇଁଙ୍କ ଦୋକାନରୁ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ଦୋକାନ ଭାଙ୍ଗି ୧୦ହଜାର ଟଙ୍କାର ସାମଗ୍ରୀ ଓ ୫ଶହ ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ପଦ୍ମଲୋଚନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର