ମୋବାଇଲ ଚାର୍ଜ କରିବାକୁ ବିମାନର କକ୍‌ପିଟ ଭିତରେ ପ୍ରବେଶ କରି ଗିରଫ ହେଲେ ମଦ୍ୟପ ଯାତ୍ରୀ

ମୁମ୍ବାଇ: ଜନୈକ ମଦ୍ୟପ ବିମାନ ଯାତ୍ରୀ ତାଙ୍କ ମୋବାଇଲ ଚାର୍ଜ କରିବା ପାଇଁ ବିମାନର କକ୍‌ପିଟ ଭିତରକୁ ପଶିବା ଘଟଣା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଅପରାଧ ପାଇଁ ତାଙ୍କ ବିମାନ ଯାତ୍ରାକୁ ରଦ୍ଦ କରାଯିବା ସହ ମୁମ୍ବାଇ ବିମାନ ବନ୍ଦରର ସୁରକ୍ଷା କର୍ମୀମାନେ ସଂପୃକ୍ତ ବିମାନ ଯାତ୍ରୀଙ୍କୁ ଗିରଫ କରିଛନ୍ତି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ମଙ୍ଗଳବାର ଦିନ ମୁମ୍ବାଇରୁ କୋଲକାତା ଅଭିମୁଖେ ଉଡ଼ାଣ ଭରୁଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ସଂପୃକ୍ତ ଯାତ୍ରୀ ଜଣକ ଯାତ୍ରା କରୁଥିଲେ। ତେବେ, ବିମାନରେ ବସିବା ପୂର୍ବରୁ ଯାତ୍ରୀ ଜଣକ ମଦ୍ୟପାନ କରିବା ସହ ନିଶାସକ୍ତ ଅବସ୍ଥାରେ ଥିଲେ। ତେବେ, ବିମାନଟି ମୁମ୍ବାଇ ବିମାନ ବନ୍ଦରରୁ ନିଜର ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ଦେଖିଲେ ଯେ ତାଙ୍କ ମୋବାଇଲ ବ୍ୟାଟେରିରୁ ଚାର୍ଜ ସରି ଯାଇଛି। ତେଣୁ, ସେ ତାଙ୍କ ମୋବାଇଲ ଚାର୍ଜ କରିବା ଉଦ୍ଦେଶ୍ୟରେ ବିମାନର କକପିଟ ଭିତରକୁ ପଶି ଯାଇଥିଲେ। ତେବେ, ବିମାନର ପାଇଲଟମାନେ ତାଙ୍କୁ କକପିଟ ମଧ୍ୟରୁ ବାହାରି ଯିବାକୁ କହିଥିଲେ ମଧ୍ୟ ସେ ଶୁଣି ନଥିଲେ। ଓଲଟା ପାଇଲଟମାନଙ୍କ ସହ ଯୁକ୍ତିତର୍କ କରିଥିଲେ।

ପରେ ବିମାନର ପାଇଲଟ ଘଟଣା ସଂପର୍କରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବିମାନ ବନ୍ଦରର ସୁରକ୍ଷା କର୍ମୀମାନେ ବିମାନ ମଧ୍ୟରେ ପ୍ରବେଶ କରି ତାଙ୍କୁ ଗିରଫ କରି ନେଇ ଯାଇଥିଲେ। ଏହି କାରଣ ପାଇଁ ବିମାନଟିର ଉଡ଼ାଣରେ ପ୍ରାୟ ଅଧଘଣ୍ଟାର ବିଳମ୍ବ ଘଟିଥିଲା।

ସମ୍ବନ୍ଧିତ ଖବର