ପ୍ରବାସୀ ମହିଳାଙ୍କଠାରୁ ୧୮ଲକ୍ଷ ଟଙ୍କାର ସୁନା ଜବତ : ସୁନା ଚୁଡ଼ି ଓ ଚେନ୍‌ରେ ରୁପା କୋଟିଂ ଦେଇ ଆଣିଥିଲେ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଜଣେ ପ୍ରବାସୀ ମହିଳାଙ୍କ ଠାରୁ ପ୍ରାୟ ୫୪୫ଗ୍ରାମର ସୁନା ଜବତ ହୋଇଛି। ଯାହାର ବଜାର ମୂଲ୍ୟ ୧୭ଲକ୍ଷ ୮୮ହଜାର ଟଙ୍କା ହେବ। ବ୍ୟାଙ୍କକ୍‌ରୁ ଥାଇଲାଣ୍ଡ ପାସପୋର୍ଟରେ ମହିଳା ଯାତ୍ରୀ ଜଣଙ୍କ ଭୁବନେଶ୍ୱର ଆସିଥିଲେ। ବିମାନବନ୍ଦରରୁ ପ୍ରଥମ କରି ଜଣେ ପ୍ରବାସୀଙ୍କ ଠାରୁ ସୁନା ଜବତ ହୋଇଛି।

ବିମାନବନ୍ଦରର କଷ୍ଟମ୍‌ସ ବିଭାଗ ସୂଚନା ଅନୁଯାୟୀ, ବ୍ୟାଙ୍କକ୍‌ରୁ ଆସିଥିବା ଏଆଇ-୩୩୯ ବିମାନରେ ଜଣେ ପ୍ରବାସୀ ମହିଳା ଅଧିକ ସୁନା ଆଣିଥିବା ଜଣାପଡ଼ିଥିଲା। ଏପରିକି ସେ ଯେଉଁ ସୁନା ଚେନ୍‌, ମୁଦି ଓ ଚୁଡ଼ି ପିନ୍ଧିଥିଲେ ତାହା ଉପରେ ରୁପା କୋଟିଂ କରିଥିଲେ। ଏନେଇ ସନ୍ଦେହ ହେବାରୁ ତାଙ୍କର ଯାଞ୍ଚ କରାଯାଇଥିଲା। ମହିଳା ଜଣଙ୍କ ୫୦ଟି ହ୍ୟାଣ୍ଡବ୍ୟାଗ୍‌ ଆଣିଥିବାବେଳେ ଏଥିରୁ ଦୁଇଟିରୁ ସୁନା ଜବତ ହୋଇଛି। ଏହି ଅଳଙ୍କାରଗୁଡ଼ିକୁ ଘଷିବା ପରେ ଜଣାପଡ଼ିଥିଲା ଯେ, ଏହା ସୁନା ଅଳଙ୍କାର। ଏନେଇ ମହିଳା ଜଣଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏହା ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। କିନ୍ତୁ ସୁନା ଉପରେ ରୁପା କୋଟିଂ ହୋଇଥିବାରୁ ସନ୍ଦେହ ହୋଇଥିଲା। ମହିଳା ଯାତ୍ରୀ ଜଣଙ୍କ ଏହାର କାରଣ ଠିକ୍‌ ଭାବେ କହି ନ ପାରିବାରୁ ତାଙ୍କୁ ଅଧିକ ପଚରାଉଚରା ପାଇଁ ଅଟକ ରଖାଯାଇଛି।

କଷ୍ଟମ୍‌ସ ବିଭାଗ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୨୭ଟି ମୁଦି, ୪ଟି ଚୁଡ଼ି ଏବଂ ଗୋଟିଏ ଚେନ୍‌ ନିଜ ସହ ଆଣିଥିଲେ।

ସମ୍ବନ୍ଧିତ ଖବର