ଶିଶୁପାଳଗଡ଼ ଗୋଷ୍ଠୀ ସଂଘର୍ଷ ମାମଲା; ୨ ଗିରଫ 

ଧଉଳି ଧଉଳି ଥାନା ପୁଲିସ ଗତକାଲି ସଂଧ୍ୟାରେ ଶିଶୁପାଳଗଡ଼ରେ ଘଟିଥିବ ଗୋଷ୍ଠୀ ସଂଘର୍ଷ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବିରୋଧୀ ଗୋଷ୍ଠୀର ବିଜୟ ସାମଲ (୪୫) ଓ ପ୍ରଭାତ ଦାସ (୩୦) । ଆସନ୍ତାକାଲି ଏ ଦୁହେଁ କୋର୍ଟ ଚାଲାଣ ହେବେ ବୋଲି ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀ ଜଣାଇଛନ୍ତି । ଏନେଇ ବିପକ୍ଷ ଗୋଷ୍ଠୀର କୈଳାସ ଜେନା ରାତିରେ ଧଉଳି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଗତକାଲି ସଂଧ୍ୟା ୫ଟା ସମୟରେ କୈଳାସଙ୍କ ଦୁଇପୁଅ ଅଜୟ ଓ ଜଗା କାମରୁ ଘରକୁ ଫେରୁଥିବା ବେଳେ ୫ ଜଣ ମାମଲାଭୁକ୍ତ ଯୁବକ ସଂଘବଦ୍ଧ ହୋଇ ମାରଣାସ୍ତ୍ରରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ । କୈଳାସଙ୍କ ଅଭିଯୋଗକୁ ଆଧାର କରି ଧଉଳି ଥାନା ପୁଲିସ ଆଜି ବିଜୟ ଓ ପ୍ରଭାତକୁ ଗିରଫ କରି ଅନ୍ୟ ୩ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି । ଜାଗାବାଡ଼ି ସତ୍ତ୍ୱକୁ ନେଇ ସୂତ୍ରପାତ ହୋଇଥିବା ଏହି ପୂର୍ବ ବିବାଦ ଗଣ୍ଡଗୋଳ ମାମଲାରେ କିଛିଦିନ ତଳେ ଉକ୍ତ ଥାନା ପୁଲିସ ଉଭୟ ପକ୍ଷରୁ ୨ ଜଣ ଲେଖାଏଁ ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇଥିଲା ।

ସମ୍ବନ୍ଧିତ ଖବର